କଟକ: ଏସସିବି ହାଉସ ସର୍ଜନ ଓ ନର୍ସିଂ ସଂଘ ବିବାଦ ଘଟଣା । ଆସନ୍ତାକାଲିଠୁ ସ୍ବାଭାବିକ ହେବ ରୋଗୀ ସେବା । ସ୍ଥଗିତ ରହିଲା ଉଭୟ ସଂଘର ଆନ୍ଦୋଳନ । ହାଉସ ସର୍ଜନ ଆସନ୍ତାକାଲିଠୁ ସମସ୍ତ କାର୍ଯ୍ୟରେ ଯୋଗଦେବେ । ସେହିଭଳି ନର୍ସିଂ ସଂଘ ମଧ୍ୟ କଳାବ୍ୟାଚ୍‌ ପିନ୍ଧି ଆନ୍ଦୋଳନ କରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏସ୍‌ସିବି ମେଡିକାଲ ପ୍ରିନ୍ସିପାଲ ଅଫିସରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଏସ୍‌ସିବି ସ୍

ାସ୍ଥ୍ୟ ବିକାଶ ସମିତି ତଥା ସିଏମ୍‌ସି କମିଶନର ବିଜୟ କୁମାର ଦାଶ ।

ତେବେ ବଡ଼ ମେଡିକାଲରେ କାର୍ଯ୍ୟରତ ନର୍ସିଂ ଷ୍ଟାଫ୍ ଓ ହାଉସ୍ ସର୍ଜନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଆଜି ଉଗ୍ର ରୂପ ନେଇଥିଲା । ଗତକାଲି ଡକରା ଅନୁଯାୟୀ ଆଜିଠୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ ହାଉସ ସର୍ଜନ । ଆନ୍ଦୋଳନ ସମୟରେ ଏମରଜେନ୍ସି ଡ୍ୟୁଟି, ଲେବର ରୁମ, କାଜୁଆଲଟି ଓ NTC ଡ୍ୟୁଟି ଜାରି ରହିଥିଲା ବେଳେ ଆଉଟ୍‌ ଡୋର, ୱାର୍ଡ, ICU, OTରେ କାର୍ଯ୍ୟ ବନ୍ଦ ରଖିଥିଲେ ହାଉସ ସର୍ଜନ । ଏପରିକି ଆଜି ଜୁନିୟର ଡାକ୍ତର ସଂଘ ଓ ରେସିଡେନ୍ସ ଡାକ୍ତର ସଂଘ, ହାଉସ ସର୍ଜନ ସଂଘକୁ ସମର୍ଥନ ଜଣାଇଥିଲେ । ଯାହାଫଳରେ ରୋଗୀ ସେବା କିଛିମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା ।

ଅନ୍ୟପଟେ ନର୍ସିଂ ସଂଘ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ କଳାବ୍ୟାଚ ଧାରଣ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ରୋଗୀ ସେବା ବାଧାପ୍ରାପ୍ତ ନକରି ଆନ୍ଦୋଳନ ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ ନର୍ସିଂ ସଂଘ । ନର୍ସିଂ ସଂଘ ସମ୍ପାଦିକା ସରୋଜିନୀ ଜେନା କହିଥିଲେ, "ଜଣେ ନର୍ସିଂ ଷ୍ଟାଫ କାର୍ଯ୍ୟ କରୁଥିବାବେଳେ ତାଙ୍କୁ 10 ଜଣ ହାଉସ ସର୍ଜନ ଦୁର୍ବ୍ୟବହାର କରିବା ଏକ ନିନ୍ଦନୀୟ ଘଟଣା । ତେଣୁ ଯଦି ଉକ୍ତ ସର୍ଜନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ନଯାଏ, ତେବେ ଆସନ୍ତା 24 ତାରିଖରୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟବନ୍ଦ କରିବୁ ।"

ଏହି ବିବାଦକୁ ନେଇ ଏସ୍‌ସିବି ମେଡିକାଲ ପ୍ରିନ୍ସିପାଲ ଅଫିସରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଏକ ଉଚ୍ଚସ୍ତରୀୟ କମିଟି ଆଜି ଗଠନ କରାଯାଇଛି । ଫଳରେ ସମାଧାନର ବାଟ ବହାରିପାରିବ ବୋଲି ସୂଚନା ରଖିଛନ୍ତି ଏସ୍‌ସିବି ହେଲଥ୍‌ ଚେୟାରମ୍ୟାନ । ଉଭୟ ସଂଘର ଆନ୍ଦୋଳନ ସ୍ଥଗିତ ରହିବା ଫଳରେ ଆସନ୍ତାକାଲିଠୁ ସ୍ବାଭାବିକ ହେବ ରୋଗୀ ସେବା । ହାଉସ ସର୍ଜନ ଆସନ୍ତାକାଲିଠୁ ସମସ୍ତ କାର୍ଯ୍ୟରେ ଯୋଗଦେବେ । ସେହିଭଳି ନର୍ସିଂ ସଂଘ ମଧ୍ୟ କଳାବ୍ୟାଚ୍‌ ପିନ୍ଧି ଆନ୍ଦୋଳନ କରିବା ନିଷ୍ପତ୍ତିରୁ ଓହରିଛନ୍ତି ।

0 Comments