ମୋକି (ଚୀନ) : ପୁଣି ଏସୀୟ ଚାମ୍ପିୟନ ହେଲା ଭାରତ । ଏସୀୟ ହକି ଚାମ୍ପିୟନ୍ସ ଟ୍ରଫିରେ ଚୀନକୁ 1-0 ଗୋଲରେ ମାତ ଦେଇ କ୍ରମାଗତ ଦ୍ବିତୀୟ ଥର ପାଇଁ ଟାଇଟଲ ହାତେଇଲା ଟିମ୍‌ ଇଣ୍ଡିଆ । ଚାଇନାର ହୁଲୁନବୁଇରସ୍ଥିତ ମୋକି ହକି ଟ୍ରେନିଂ ବେସଠାରେ ମଙ୍ଗଳବାର ଭାରତୀୟ ପୁରୁଷ ହକି ଦଳ ଏବଂ ଚୀନ୍ ମଧ୍ୟରେ ଏସିଆନ୍ ହକି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା । ଏହି ରୋମାଞ୍ଚକର ମ୍ୟାଚ୍‌ରେ ଚାଇନାକୁ 1-0ରେ ପରାସ୍ତ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ଏହି ଟ୍ରଫିକୁ କବଜା କରିଛି ଭାରତ । ଏହି କଡ଼ା ମୁକାବିଲାରେ ଭାରତୀୟ ଦଳ ଚାପରେ ଥାଇ ମଧ୍ୟ ଚମତ୍କାର

ପ୍ରଦର୍ଶନ କରି ଆୟୋଜକ ଚୀନ୍‌ର ପ୍ରଥମ ଥର ପାଇଁ ଟାଇଟଲ ଜିତିବାର ସ୍ୱପ୍ନକୁ ଭାଙ୍ଗି ଦେଇଛି । ମ୍ୟାଚ୍‌ରେ 51 ମିନିଟରେ ଏକମାତ୍ର ଗୋଲ ସ୍କୋର କରିଥିଲେ ଭାରତର ଯୁଗରାଜ ସିଂହ । ଏହି ଗୋଲ ସାହାଯ୍ୟରେ ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ଏସୀୟ ଚାମ୍ପିଅନ୍ ହୋଇଛି ।

ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ସମସ୍ତ 6ଟି ମ୍ୟାଚ୍ ଜିତି ଫାଇନାଲ୍‌ରେ ପହଞ୍ଚିଥିବା ଭାରତୀୟ ଦଳ ଏହି ମ୍ୟାଚରେ ଦ୍ରୁତ ଆରମ୍ଭ କରିଥିଲା । କିନ୍ତୁ ଚୀନର ଦୃଢ଼ ଡିଫେନ୍ସକୁ ଭେଦ କରିବାରେ ବିଫଳ ହୋଇଥିଲେ ଭାରତୀୟ ଖେଳାଳି । ଚୀନ୍‌ର ଶକ୍ତିଶାଳି ଡିଫେନ୍ସ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରି ଭାରତର ଗୋଲ୍ ସ୍କୋର କରିବାର ଇଚ୍ଛାକୁ ସ୍ବପ୍ନରେ ହିଁ ରଖିଦେଇଥିଲା ।

ବିଶ୍ବର ନମ୍ବର-5 ତଥା ପ୍ୟାରିସ ଅଲିମ୍ପିକ୍ସ 2024ର ବ୍ରୋଞ୍ଜ ମେଡାଲ ବିଜେତା ଭାରତୀୟ ଦଳ ବିପକ୍ଷରେ ଫାଇନାଲ ମ୍ୟାଚ୍‌ରେ ବିଶ୍ବର ନମ୍ବର-14 ଦଳ ଚୀନ ମଧ୍ୟ ବେଶ ଆକ୍ରାମକ ଆରମ୍ଭ କରିଥିଲା । ଗୋଲ ସ୍କୋର କରିବାକୁ ଭାରତ ଯଥାସମ୍ଭବ ଚେଷ୍ଟା କରିଥିଲା, ​କିନ୍ତୁ ଚୀନ୍‌ର ଡିଫେଣ୍ଡରମାନେ ବିଶେଷ କରି ସେମାନଙ୍କ ଗୋଲକିପର ଭାରତକୁ ଗୋଲ ସ୍କୋର କରିବାକୁ ଦେଇନଥିଲେ । ଖେଳର ଅଧା ସମୟ ପର୍ଯ୍ୟନ୍ତ ଭାରତକୁ 5ଟି ପେନାଲ୍ଟି କର୍ଣ୍ଣର ମଧ୍ୟ ମିଳିଥିଲା, କିନ୍ତୁ ଗୋଟିଏ ବି ଲକ୍ଷ୍ୟ ଭେଦ କରିବାରେ ଦଳ ବିଫଳ ହୋଇଥିଲା । ସ୍କୋର ଅଧା ସମୟ ପର୍ଯ୍ୟନ୍ତ 0-0 ବରାବର ସ୍ଥିତିରେ ରହିଥିଲା ।

ଗୋଲ ସ୍କୋର କରିବାକୁ ଚତୁର୍ଥ କ୍ୱାର୍ଟରରେ ଭାରତ, ଚୀନ୍ ଉପରେ ଅନେକ ଶକ୍ତିଶାଳୀ ଆକ୍ରମଣ କରିଥିଲା । ନିରନ୍ତର ଉଦ୍ୟମ ପରେ ଶେଷରେ ଭାରତ ସଫଳତା ପାଇଲା । 51 ମିନିଟରେ ଭାରତର ଷ୍ଟାର ପ୍ଲେୟର ଯୁଗରାଜ ସିଂ ଏକ ଚମତ୍କାର ଫିଲ୍ଡ ଗୋଲ ସ୍କୋର କରି ଭାରତର ଆକାଉଣ୍ଟ ଖୋଲିଥିଲେ । ଏହି ଗୋଲ ଯୋଗୁଁ ଚୀନ୍ ଉପରେ ଭାରତ 1-0ରେ ଆଗୁଆ ରହିଥିଲା । ଏହାପରେ ଚାଇନାର ଖେଳାଳିମାନେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସ୍କୋରକୁ ସମାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ରହିଥିଲେ । ଶେଷରେ ଯୁଗରାଜ ସିଂହଙ୍କ ଗୋଲ ଯୋଗୁଁ ଭାରତ ଫାଇନାଲ ମ୍ୟାଚକୁ 1-0 ଗୋଲରେ ଜିତି ଏସିଆନ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି ।

0 Comments