ପରଲୋକରେ କିମ୍ବଦନ୍ତୀ କ୍ରିକେଟର ତଥା କୋଚ ଅଂଶୁମାନ ଗାଏକଓ୍ବାଡ । ରକ୍ତକର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିବା ଅଂଶୁମାନଙ୍କର ଗତକାଲି (ବୁଧବାର) ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 71ବର୍ଷ ବୟସ ହୋଇଥିଲା । ଏନେଇ ‘ବରୋଦା କ୍ରିକେଟ୍ ଆସୋସିଏସନ୍’ (ବିସିଏ) ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । 1983 ରେ ଦିନିକିଆ ବିଶ୍ବକପରେ ଚାମ୍ପିୟନ ହୋଇଥିବା ଭାରତୀୟ ଦଳରେ ସେ ଖେଳିଥିଲେ । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି ।

ଅଂଶୁମାନ ଗାଏକଓ୍ବାଡ ଭାରତୀୟ ଟିମ୍‌ ପାଇଁ 40ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ 1985 ରନ ସଂଗ୍ରହ କରିଥିଲେ । ଟେଷ୍ଟରେ ତାଙ୍କର ବେଷ୍ଟ ସ୍କୋର ହେଉଛି 201 ରନ । ସେହିପରି ସେ 15ଟି ଦିନିକିଆ ମ୍ୟାଚ ଖେଳି 269 ରନ କରିଥିଲେ । 269 ଫାଷ୍ଟକ୍ଲାସ ମ୍ୟାଚ ଖେଳି 12 ହଜାର 136 ରନ କରିଥିଲେ । ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର 225 ରହିଥିଲା । 1983ରେ କପିଲ ଦେବଙ୍କ ନେତୃତ୍ବରେ ଭାରତ ଦିନିକିଆ ବିଶ୍ବକପ ହାତେଇଥିବା ବେଳେ ସେ

ସମୟରେ ସେ ଟିମ୍‌ର ସଦସ୍ୟ ଥିଲେ ।

ଅଂଶୁମାନ ଗାଏକଓ୍ବାଡ ‘ଟିମ୍‌ ଇଣ୍ଡିଆ’ର କୋଚ ମଧ୍ୟ ରହିଛନ୍ତି । 2000 ମସିହାରେ ସେ ଭାରତୀୟ କ୍ରିକେଟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ରନର୍ସଅପ ହୋଇଥିଲା, ସେହି ସମୟରେ ଭାରତୀୟ ଦଳରେ କୋଚ ଥିଲେ । ସେହିପରି ତାଙ୍କ ସମୟରେ ଦଳ 1998 ରେ ସାରାଝା ଓ 1999 ରେ କୋଟଲା ଟେଷ୍ଟରେ ମଧ୍ୟ ଦମଦାର ପ୍ରଦର୍ଶନ କରି ବିଜୟୀ ହୋଇଥିଲା । କୋଟଲାରେ ଟେଷ୍ଟରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅନୀଲ କୁମ୍ବଲେ 10ଟି ଓ୍ବିକେଟ ନେଇ ରେକର୍ଡ ସୃଷ୍ଟି କରିଥିଲେ । ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ ଏବଂ ପୂର୍ବତନ ମହିଳା କ୍ରିକେଟର ଶାନ୍ତି ରଙ୍ଗାସ୍ୱାମୀଙ୍କ ସହ କ୍ରିକେଟ୍ ପରାମର୍ଶଦାତା କମିଟି ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ରକ୍ତକର୍କଟରେ ପୀଡିତ ହେବା ପରେ କପିଲ ଦେବଙ୍କ ସମେତ ତାଙ୍କର ପୂର୍ବତନ ସାଥୀମାନେ ତାଙ୍କୁ ଆର୍ଥିକ ସହାୟତା ଦେବାକୁ କ୍ରିକେଟ ବୋର୍ଡକୁ ନିବେଦନ କରିଥିଲେ । ଏହା ପରେ ଚିକିତ୍ସ ପାଇଁ ‘ବିସିସିଆଇ’ 1 କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲା ।

0 Comments