ବାଲେଶ୍ୱର: ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ବାଲେଶ୍ଵରର ଅନେକ ସ୍ଥାନରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିତି । ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ବନ୍ୟା ଅଞ୍ଚଳର ପରିଦର୍ଶନ କରିଛନ୍ତି । ବାଲେଶ୍ଵର ଜିଲ୍ଲା ବନ୍ୟା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି । ବାଲେଶ୍ଵର ଜିଲ୍ଲାରେ ବନ୍ୟା ସ୍ଥିତି ଉଦବେଗଜନକ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଶାସନିକ ଅଧିକାରୀମାନଙ୍କ ସହ ବନ୍ୟା ପରିସ୍ଥିତି ସମୀକ୍ଷା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସହ ବାଲେଶ୍ୱରରେ ମଧ୍ୟ ବର୍ଷା ହେବା କାରଣରୁ ଯେଉଁ ବନ୍ୟା ଆସିଛି । ଏ ବନ୍ୟା ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଉଦବେଗ ଜନକ ଅବସ୍ଥାରେ ଅଛି । ଆଜି ଯେତେବେଳେ ଏହାକୁ ଆକାଶ ମାର୍ଗରୁ ହେଲିକପ୍ଟରରେ ନିରୀକ୍ଷଣ କରାଗଲା ମୁଁ ନିଜେ ତାକୁ ଦେଖିଲି । ଏବେ ବି ବଡ଼ ଜଟିଳ ଅବସ୍ଥାରେ ଅଛି । ସେଥିରେ ବିଶେଷ କରିକି ସର୍ବମୋଟ ଯେଉଁ ପ୍ରଭାବିତ ଅଞ୍ଚଳ ଏବେ ବି ପାଣି ଘେରରେ ଅଛି, କ୍ଷତିଗ୍ରସ୍ତ ହେବାର ବେଶୀ ଆଶଙ୍କା ଅଛି, ୬ଟି ବ୍ଲକ ଅଛି ଏବଂ ସେଥିରେ ପାଖପାଖି ୮ ହଜାର ହେକ୍ଟର ଜମି ଉପରେ ଏହା ପ୍ରଭାବିତ ହୋଇ ଜଳ ବର୍ତ୍ତମାନ ସୁଦ୍ଧା ଘେରବନ୍ଦୀ ଅଛି ।"

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା ମଧ୍ୟ କହିଛନ୍ତି, "ଯେହେତୁ ଆଜି ପୂର୍ଣ୍ଣିମା, ଜୁଆର ସମୁଦ୍ର ଆଡୁ ଆସୁଥିବାରୁ ଏ ଜଳ ନିଷ୍କାସିତ ହେବାରେ ବର୍ତ୍ତମାନ ବିଳମ୍ବିତ ହେଉଛି । ଏଥିରେ ବିଶେଷ କରି କି ୩ଟି ବ୍ଲକ ପ୍ରଭାବିତ ହୋଇଛି ଏବଂ ପ୍ରାୟ ୩୫ଟି ପଞ୍ଚାୟତ ଏଥିରେ ପ୍ରଭାବିତ ଅଞ୍ଚଳ ହିସାବରେ ଜଳମଗ୍ନ ଅବସ୍ଥାର

ଅଛି । ବିଶେଷ କରି ଯେଉଁ ଅଞ୍ଚଳ ଗୁଡିକ ନଦୀର ତଳମୁଣ୍ଡରେ ଅଛି ଏବଂ ଯେଉଁଠି ପାଣି ପଶି ଯାଇଛି, ସେ ଗ୍ରାମ ଗୁଡିକରେ ସେମାନଙ୍କୁ ଆମ ଜିଲ୍ଲା ପ୍ରଶାସନ ତରଫରୁ ୨ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ଆବଶ୍ୟକୀୟ ରନ୍ଧା ଖାଦ୍ୟ ସହିତ ତାଙ୍କର ଯାହା ଜିନିଷ ଦରକାର ଅଛି ତାହା ମଧ୍ୟ ଯୋଗାଇ ଦିଆଯାଉଛି । ଯେଉଁ ଗାଁଗୁଡିକ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି ସେଥିରେ ଉଦ୍ଧାର କାର୍ଯ୍ୟପାଇଁ ଆଠଟି ଅଗ୍ନିଶମ ଦଳ, ୩ଟି ଓଡ୍ରାଫ ଟିମ ଏବଂ ଗୋଟିଏ ଏନଡିଆରଏଫ ଟିମ ନିୟୋଜିତ ଅଛନ୍ତି । ସମସ୍ତଙ୍କୁ ସବୁ ସମୟରେ ପାଟ୍ରୋଲିଂ କରିବା ସହିତ ସବୁ ଅଞ୍ଚଳକୁ ସତର୍କ ରଖାଯାଇଛି ।"

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ବିଶେଷ କରି ବାଲେଶ୍ବର ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ସେମାନେ ୨୪ ଘଣ୍ଟା ଏହାକୁ ନିରିକ୍ଷଣରେ ରଖିଛନ୍ତି । କୌଣସି ପରିସ୍ଥିତିରେ ଯେମିତି କୌଣସି ଅଘଟଣ ନ ଘଟୁ । ସମସ୍ତଙ୍କର ମତାମତ ନିଆଯାଇଛି, ଜିଲ୍ଲାପାଳ ବି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଏଆଇସି ଆମର ଜଳସମ୍ପଦ ବିଭାଗର ଆସିଛନ୍ତି । ସେ ମଧ୍ୟ ଆବଶ୍ୟକୀୟ ରିପୋର୍ଟ କରିଛନ୍ତି ଏବଂ ବିଧାୟକମାନେ ମଧ୍ୟ ଏଠି ଅନେକ ଗୁଡିଏ ପ୍ରସ୍ତାବ ଦେଇଛନ୍ତି । ଯେଉଁଥିରେ, ବିଶେଷ କରିକି ସୁବର୍ଣ୍ଣରେଖା ନଦୀ ସମେତ ବୁଢ଼ାବଳଙ୍ଗ ଏବଂ ଗୋଟିଏ ଛୋଟ ନଦୀ ଯେଉଁଟା କି ଜଳକା କୁହାଯାଉଛି ସେବି ବେଳେବେଳେ ଭୟଙ୍କର ରୂପ ନେଉଛି । ନଦୀର ଗତିବିଧି ସହିତ ଯେଉଁଠି ଜଳ ଜୋର ପ୍ରବାହିତ ହେଉଛି ସେଥିପାଇଁ ବିଶେଷ କରିକି ସୁବର୍ଣ୍ଣରେଖାର ଜଳ ସଂସ୍କାର କରିବା ପାଇଁ, ଯାହା ଆଗରୁ ଦାବି ମଧ୍ୟ ହୋଇ ଆସିଥିଲା । ଏଥିରେ ଅର୍ଥ ମଧ୍ୟ ମଞ୍ଜୁର ହୋଇକି ଅଛି ।

ମୋହନ ମାଝୀ ଏହା ମଧ୍ୟ କହିଛନ୍ତି, "ଏବେକାର ବନ୍ୟା ପରିସ୍ଥିତି ଦେଖି ଏଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେ ତାଙ୍କର ରିପୋର୍ଟ ତିଆରି କରିବେ । କିଭଳି ଭାବରେ ଜଳ ଏଥିରେ ନିଷ୍କାସନ ହୋଇପାରିବ ତା ସହିତ ବନ୍ୟା ନିୟନ୍ତ୍ରଣ କିଭଳି ଭାବେ କରାଯାଇ ପାରିବ ସେଥିପାଇଁ ତାହାର ରୋଡ଼ମ୍ୟାପ ତିଆରି କରିବେ । ସେହି ଅନୁସାରେ ସରକାରଙ୍କୁ ଦେଲେ ନିଶ୍ଚିତ ଭାବରେ ସରକାର ସବୁଦିନ ପାଇଁ କିଭଳି ଭାବେ ବନ୍ୟା ନିୟନ୍ତ୍ରଣ ଭିତରେ ରହିପାରିବ ଏବଂ ବିଶେଷ କରି ଯେଉଁ ସମୟରେ ପୂର୍ଣ୍ଣିମା ଆସୁଛି ବା ଜୁଆର ଯେଉଁ ସମୟରେ ମାଡି ଆସୁଛି ତାକୁ କିଭଳି ଭାବରେ ନିରୀକ୍ଷଣ କରିକି ତାର କ'ଣ ପଦକ୍ଷେପ ନିଆଯାଇ ପାରିବ ଏହାକୁ ମଧ୍ୟ ଜିଲ୍ଲାପାଳ ସମେତ ବିଭାଗ ଯେଉଁମାନେ ଆସିଛନ୍ତି ୱାଟର ରିସୋର୍ସର ସେ ବାବଦରେ ନିର୍ଦ୍ଦେଶ ଦିଆଯାଇଛି ।"

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ମୁଁ ଆଶା କରିବି ନିଶ୍ଚିତ ଭାବରେ ଯେହେତୁ ବର୍ତ୍ତମାନ ସୁଦ୍ଧା ଆମର ଏହି ବନ୍ୟାରେ ଜିରୋ କାଜୁଆଲିଟି ଅଛି ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଉଛି, ଜିଲ୍ଲାପାଳଙ୍କୁ ସେଥିରେ ୨୪ ଘଣ୍ଟିଆ ପହରା ଦେବାପାଇଁ ମଧ୍ୟ ବିଭିନ୍ନ ଅଧିକାରୀମାନଙ୍କୁ ନିଯୁକ୍ତି କରିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଛି । ମୁଁ ଆଶା କରିବି ନିଶ୍ଚିତ ଭାବରେ ଖୁବ କମ ସମୟ ଭିତରେ ଅର୍ଥାତ ମୋତେ ଲାଗୁଛି ଆଉ ଗୋଟିଏ ଦିନ ଭିତରେ ଏହା ସ୍ବଭାବିକ ଅବସ୍ଥାକୁ ଆସିବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେଉଁ ସାପ କାମୁଡ଼ା ଏବଂ ଡାଇରିଆ ହେବାର ସମ୍ଭାବନା ଥାଏ ତାକୁ ମଧ୍ୟ ଆଗୁଆ କିଭଳି ଭାବରେ ମୋବିଲାଇଜ କରାଯିବ ସେଥିପାଇଁ ସିଡିଏମଓଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି । ସେମାନେ ତାହାର ଉପଯୁକ୍ତ ପଦକ୍ଷେପ ନେବେ ଯାହାଦ୍ୱାରା କି ସମ୍ପୂର୍ଣ୍ଣ ଭାବେ କଣ୍ଟ୍ରୋଲକୁ ଆସି ପାରିବ।"

0 Comments