ଭୁବନେଶ୍ୱର: ଅବପାତ ଜନିତ ଲଗାଣ ବର୍ଷା ଯୋଗୁ ଦେଖା ଦେଇଛି ବନ୍ୟା ପରିସ୍ଥିତି । ବନ୍ୟାରେ ଉଜୁଡି ଯାଇଛି ଅନେର ଘର ସଂସାର। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପରେ କେଉଁଠି ଗାଁ ପାଣି ଘେରରେ ରହିଛି, କେଉଁଠି ଘରେ ବନ୍ୟାଜଳ ପଶିଯାଇଛି । ପୁଣି କେଉଁଠି ଧୋଇଯାଇଛି ରାସ୍ତା, ଚାଷଜମିରେ ପାଣି । ବର୍ଷାର ତାଣ୍ଡବ ପରେ ଏବେ ସାମ୍ନାକୁ ଆସୁଛି କ୍ଷୟକ୍ଷତିର ବଡ଼ ଚିତ୍ର। ଏହି ବିପର୍ଯ୍ୟୟର ବାସ୍ତବ ସ୍ଥିତି ଦେଖିବାକୁ ଆକାଶମାର୍ଗରେ ବୁଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାଙ୍ଗରେ ଅଛନ୍ତି ରାଜସ୍ୱ ଓ ବିପର୍ଯ୍
ୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। କେବଳ ଆକାଶରୁ ନୁହେଁ, ବୋଟ୍ରେ ଯାଇ ବନ୍ୟାଞ୍ଚଳର ସ୍ଥିତି ମଧ୍ୟ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ। ଏପରିକି କଳିଙ୍ଗା ଘାଟିରେ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ମଧ୍ୟ ବୁଲି ଦେଖିଛନ୍ତି।
ଦକ୍ଷିଣ ଓଡ଼ିଶାରେ ଅବପାତଜନିତ ବର୍ଷା ଯୋଗୁ କୋରାପୁଟ, ନବରଙ୍ଗପୁର ଓ ଗଞ୍ଜାମ ଅଧିକ ପ୍ରଭାବିତ ହୋଇଛି । ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଥିବା ବେଳେ ଘରଦ୍ୱାର, ରାସ୍ତାଘାଟ ଓ ଚାଷଜମି କ୍ଷତିଗ୍ରସ୍ତ ହୋଇଛି।
ଏହି ସବୁ ଅଞ୍ଚଳ ଉପରେ ଆକାଶମାର୍ଗରୁ ନଜର ପକାଇଛନ୍ତି ମୁଖ୍ୟମନ୍ତ୍ରୀ। କେଉଁ ଅଞ୍ଚଳରେ କେତେ ପାଣି, କେଉଁଠି ଯୋଗାଯୋଗ ବ୍ୟବସ୍ଥା ବିଛିନ୍ନ ଏବଂ କେଉଁଠି ଅଧିକ ରିଲିଫ୍ ଓ ଉଦ୍ଧାର ଆବଶ୍ୟକ ସେସବୁର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥି ସହିତ ଜଳବନ୍ଦୀ ଅଞ୍ଚଳର ବାସ୍ତବ ସ୍ଥିତି ଜାଣିବା ପାଇଁ ବୋଟ୍ରେ ଯାଇ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବନ୍ୟାଜଳ ଘେରରେ ରହିଥିବା ଲୋକଙ୍କ ସ୍ଥିତି, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ସହ ଜଳ ନିଷ୍କାସନ ନେଇ ସ୍ଥିତି ଅନୁଧ୍ୟାନ କରାଯାଇଛି।
କୋରାପୁଟ ଜିଲ୍ଲାର କୋଟପାଡ଼ ଅଞ୍ଚଳ ସମେତ ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଘରଭିତରେ ପାଣି ପଶିଥିବା ବେଳେ ଅନେକ ପରିବାର ପ୍ରଭାବିତ ହୋଇଛନ୍ତି । ଯୋଗାଯୋଗ ବ୍ୟବସ୍ଥାରେ ବାଧା ସୃଷ୍ଟି ହୋଇଛି। ରେଳ ଚଳାଚଳ ମଧ୍ୟ କେତେକ ସ୍ଥାନରେ ବ୍ୟାହତ ହୋଇଛି । ସେହିପରି ନବରଙ୍ଗପୁରରେ ମଧ୍ୟ ସ୍ଥିତି ଦୟନୀୟ ହୋଇଛି। ଅନେକ ପଞ୍ଚାୟତରେ ଧାନ, ମକା ଓ ପନିପରିବା ଚାଷ ଜମିରେ ପାଣି ଜମିଛି। ଦକ୍ଷିଣ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ପଥ କଳିଙ୍ଗା ଘାଟି। ପ୍ରବଳ ବର୍ଷାରେ ଘାଟି ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ହୋଇଛି। ରାସ୍ତା ଓ ପାହାଡ଼ିଆ ଅଞ୍ଚଳର ସ୍ଥିତି ନିଜେ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ବର୍ଷା କମିଛି, ହେଲେ ଦୁର୍ଦ୍ଦଶା ଏବେ ବି ଅନେକ ଅଞ୍ଚଳରେ ଜାରି ରହିଛି । ଜଳବନ୍ଦୀଙ୍କ ଉଦ୍ଧାର ପରେ ରିଲିଫ୍, ଭାଙ୍ଗିଥିବା ଘର ପାଇଁ ସହାୟତା, ଚାଷୀଙ୍କ ଫସଲ କ୍ଷତିର ଆକଳନ ଏବଂ ରାସ୍ତାଘାଟ ପୁନରୁଦ୍ଧାର ଏବେ ସରକାରଙ୍କ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ।