କେନ୍ଦୁଝର :- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ମାନପୁର ଗାଁରେ ବାଣ ବିକ୍ରି ବେଳେ ଘଟିଛି ଭୟଙ୍କର ଅଘଟଣ। ବାଣ ଦେଉଥିବା ସମୟରେ ହଠାତ୍ ଏକ ବମ୍ ଖସିପଡ଼ିବାରୁ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।
ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଘରର ଖପର ଓ ଅନ୍ୟାନ୍ୟ ସାମଗ୍ରୀ ଚାରିଆଡ଼େ ଛିଟିକି ପଡ଼ିଥିଲା।
ଏହି ବିସ୍ଫୋରଣରେ ମାନପୁର ଗାଁର ପ୍ରତିମା ସାହୁ (୭୫)ଙ୍କ ମୃତ୍ୟୁ ହୋଇଥିବାବେଳେ ଅପରାଜିତା ସାହୁ (୪୦) ଓ ବାଣ କିଣିବାକୁ ଆସିଥିବା କୁଣ୍ଡଳପାଣି ଗାଁର ଅଜିତ ମହାକୁଡ ଗୁରୁତର ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ହରିଚନ୍ଦନପୁର ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଥିବାବେଳେ ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।