ତପନ ବେହେରା (ଢେଙ୍କିକୋଟ) ଢେଙ୍କିକୋଟସ୍ଥିତ ସତ୍ୟନାରାୟଣ ବିଦ୍ୟାପୀଠ ପରିସରରେ ଆଜି ଜିଲ୍ଲାସ୍ତରୀୟ ସତରଞ୍ଜ ଓ ଯୋଗ ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକରୁ ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଯୋଗଦେଇ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ।
ସତ୍ୟନାରାୟଣ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ପଣ୍ଡା ପତାକା ଉତ୍ତୋଳନ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ସତରଞ୍ଜ ଓ ଯୋଗ ବିଭାଗରେ ବିଭିନ୍ନ ବର୍ଗର ଖେଳାଳିମାନେ ଅଂଶଗ୍ରହଣ କରି ଉତ୍କୃଷ୍ଟ କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ।
ଉଦ୍ଯାପନୀ ଅବସରରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ବର୍ଗରେ ସଫଳତା ହାସଲ କରିଥିବା କୃତୀ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ଏଥିସହ ଖେଳାଳିମାନେ ଆଗାମୀ ଦିନରେ କିପରି ନିଜ କ୍ରୀଡ଼ା ପ୍ରତିଭାର ବିକାଶ କରି ସଫଳତା ହାସଲ କରିପାରିବେ, ସେ ସମ୍ପର୍କରେ ପ୍ରେରଣ
ାଦାୟକ ବକ୍ତବ୍ୟ ରଖିଥିଲେ।
ମୁଖ୍ୟବକ୍ତା ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ଯୋଗଦେଇ କୃତୀ ଖେଳାଳିମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ପ୍ରତିଯୋଗିତାରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରତିଯୋଗିତାର ସତରଞ୍ଜ ବିଭାଗକୁ ସମରଜିତ ସିଂହ ଓ ମୋହନ ମହାନ୍ତ ଏବଂ ଯୋଗ ବିଭାଗକୁ ମୌଳେନ୍ଦୁ ମହାନ୍ତ, ବିଷ୍ଣୁପ୍ରିୟା ଓଝା, ଜ୍ୟୋତି କମଳ ଓ କିଶୋର ପାଇକରାୟ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଘଟଗାଁ ବ୍ଲକ ଗେମ୍ସ ଆଣ୍ଡ ସ୍ପୋର୍ଟସ୍ ସେକ୍ରେଟାରୀ ପ୍ରଶାନ୍ତ କୁମାର ବେହେରା, ସୁରେଶ ପଳେଇ, ସୁବ୍ରତ ଲେଙ୍କା, ପ୍ରଶାନ୍ତ ମହାନ୍ତିଙ୍କ ସମେତ ସତ୍ୟନାରାୟଣ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
ଜିଲ୍ଲାସ୍ତରୀୟ ଏହି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା ଓ ପ୍ରତିଭା ବିକାଶରେ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ