କେନ୍ଦୁଝର: ରାଜ୍ୟରେ ସମବାୟ ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କରିଛନ୍ତି। 

ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲା ଅଡିଟୋରିୟମ୍‌ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକ, ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ,ବିଭିନ୍ନ ବ୍ଲକ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶୁଭଦର୍ଶି ଯୋଶୀ ପଂଚାୟତରୁ କୃଷି ଭାଇ ଓ ଭଉଣୀ ଏବଂ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହଦାକାର ବହୁମୁଖୀ ସମବାୟ ସମିତି ର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଉନ୍ମୋଚନ ସହ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିଲା ।

ଏହି ଅବସରରେ ଆପ୍ଲିକେସନ୍‌କୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି— "ସମବାୟ ସଂସ୍ଥାଗୁଡ଼ିକର କମ୍ପ୍ୟୁଟରୀକରଣ କେବଳ ଫାଇଲ୍‌ କାମ ନୁହେଁ, ବରଂ 'ରିଏଲ୍ ଟାଇମ୍ ସେଟଲମେଣ୍ଟ' ଏବଂ ସ୍ୱଚ୍ଛତା ଆଣିବା ପାଇଁ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହଦାକାର ବହୁମୁଖୀ ସମବାୟ ସମିତିଗୁଡ଼ିକୁ କୋର୍‌ ବ୍ୟାଙ୍କିଂ ସହ ଯୋଡ଼ାଯିବ। ଯାହାଦ୍ୱାରା ଅଡିଟ୍ ପ୍ରକ୍ରିୟାକୁ ସୁଦୃଢ଼ କରାଯାଉଛି, ଯାହାଦ୍ୱାରା କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆସିପାରିବ।"

ଗ୍ରାମୀଣ ଅର୍ଥନୀତିର ସଶକ୍ତୀକରଣ ଓ ପ୍ରତ୍ୟେକ ପରିବାରକୁ ସମବାୟ କ୍ଷେତ୍ର ସହ ଯୋଡ଼ିବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲାରେ ଆଗାମୀ ୨ ମାସ ପର୍ଯ୍ୟନ୍ତ ଏହି ବ୍ୟାପକ ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଚାଲିବ। ଏହି ଅଭିଯାନ ମାଧ୍

ମରେ ଜିଲ୍ଲାର ପ୍ରତ୍ୟେକ ଘରୁ ଅନ୍ତତଃ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ସମିତି ସଦସ୍ୟ ଏବଂ 'ସମବାୟ ସାଥି' ଭାବେ ଅନ୍ତର୍ଭୁକ୍ତ କରାଯିବ। ଗ୍ରାମାଞ୍ଚଳର ସାଧାରଣ ନାଗରିକ ଓ ଚାଷୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ସୂଚନାଯୋଗ୍ୟ ଯେ ୭୦ଟି ପ୍ରାଥମିକ କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଓ ଗୋଦାମ ଲୋକାର୍ପଣ ସହ ୪ଟି ମଡେଲ୍ ମଣ୍ଡି ଓ ୩ଟି ଗୋଦାମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ୧୮୫ଟି ଧାନ କ୍ରୟ କେନ୍ଦ୍ରରେ ଆବଶ୍ୟକ ସୁବିଧା ସହ ୨୫୦ଟି ପ୍ରାଥମିକ କୃଷି ସମବାୟ ସମିତିରେ ଜନସେବା କେନ୍ଦ୍ର ଏବଂ ୨୧ଟି ପ୍ରାଥମିକ କୃଷି ସମବାୟ ସମିତିରେ ଦୁଗ୍ଧ ସଂଗ୍ରହ କେନ୍ଦ୍ର ମଧ୍ୟ ଉଦ୍‌ଘାଟିତ ହୋଇଛି। ସୁଦୃଢ଼ ସମବାୟ ବ୍ୟବସ୍ଥା ସହ କୃଷକଙ୍କ ସୁବିଧା, ସେବା ଓ ଆୟ ବୃଦ୍ଧିକୁ ଗୁରୁତ୍ୱ ଦେଇ ଆଗକୁ ବଢ଼ୁଛି ଓଡ଼ିଶା।

ଏହାସହ ରୂପାନ୍ତରିତ ମଣ୍ଡି, ଆଦର୍ଶ ମଣ୍ଡିର ଭିତ୍ତିପ୍ରସ୍ତର, ଶସ୍ୟ ଗୋଦାମ ଓ କଷ୍ଟମ୍ ହାୟାରିଂ ସେଣ୍ଟର ଭଳି ବ୍ୟାପକ ଭିତ୍ତିଭୂମିର ଲୋକାର୍ପଣ ସହିତ ଚାଷୀ-ସଦସ୍ୟମାନଙ୍କୁ ଲାଭାଂଶ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚାଷୀଭାଇମାନଙ୍କ ସ୍ୱାର୍ଥରକ୍ଷା ଓ ଆୟ ବୃଦ୍ଧି ପାଇଁ ଆଖୁ ଚାଷୀଙ୍କ ନିମନ୍ତେ ଏକ ନୂତନ ‘ଇନପୁଟ୍ ସବସିଡି ପ୍ରୋତ୍ସାହନ ଯୋଜନା’ର ଶୁଭାରମ୍ଭ ହେବା ସହ ନବନିଯୁକ୍ତ ସମବାୟ ନିରୀକ୍ଷକ ତଥା ପଣ୍ୟାଗାର କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି।‘ସହକାର୍ ସେ ସମୃଦ୍ଧି’ ମନ୍ତ୍ରକୁ ପାଥେୟ କରି ତୃଣମୂଳ ସ୍ତରରେ ସମବାୟ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଦକ୍ଷ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ରାଜ୍ୟର ପ୍ରତ୍ୟେକ ଯୋଗ୍ୟ କୃଷକ ପରିବାର ଏହି ମହାଅଭିଯାନରେ ସାମିଲ ହୋଇ ସମବାୟକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ଏକ ସମୃଦ୍ଧ ଓଡ଼ିଶା ଗଠନରେ ଭାଗୀଦାର ହେବାକୁ ଆହ୍ୱାନ ଦିଆଯାଇଛି।

0 Comments