ବାଲେଶ୍ବର: ଗୋଷ୍ଠୀ ସଂଘର୍ଷ ପରେ ଅଶାନ୍ତ ହୋଇପଡିଛି ବାଲେଶ୍ବର । ଶାନ୍ତି ଫେରାଇ ଆଣିବାକୁ କର୍ଫ୍ୟୁ ଲାଗୁ କରାଯାଇଛି । ଆଜି ଅପରାହ୍ନରୁ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ହୋଇଛି । ବାଲେଶ୍ୱର ପୌରପାଳିକା ଅଞ୍ଚଳରେ ଦୁଇଦିନ ପାଇଁ କର୍ଫ୍ୟୁ ଲାଗୁ କରିଛି ପ୍ରଶାସନ । ଦୁଇ ଦିନ ପର୍ଯ୍ୟନ୍ତ ବଜାରରେ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦିଆୟାଇଛି । କେବଳ ଜରୁରୀକାଳୀନ ସେବାକୁ ଛାଡିଦେଲେ ସାଧାରଣ ଚଳ ପ୍ରଚଳ ଉପରେ ରୋକ ଲଗାଯାଇଛି । ଏବେ ପରିସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଲୋକମାନଙ୍କୁ ସହଯୋଗ କରିବା ସହ ଘରେ ରହିବା ପାଇଁ ଅନୁରୋଧ କରାଯାଇଛି । ଓଟି ରୋଡ଼କୁ ସଂଯୋଗ କରୁଥିବା ବିଭିନ୍ନ ପ୍ରବେଶ ପଥ ସିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସେଣ୍ଟ୍ରାଲ ଆର୍ମ ଫୋର୍ସ ନିୟୋଜିତ କରାଯାଇଛି । ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଗଣ୍ଡଗୋଳରେ ଜଡ଼ିତ ଥିବା ଲୋକଙ୍କ ମଧ୍ୟରୁ 34 ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ତଥ୍ୟ ପ୍ରମାଣ ଆଧାରରେ ସେମା

ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା 7ଟି ମାମଲା ରୁଜୁ ହୋଇଛି ଏବଂ ଆହୁରି ମାମଲା ବଢିବାର ସମ୍ଭାବନା ରହିଥିବା ସୂଚନା ଦିଆଯାଇଛି । ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ 40 ପ୍ଲାଟୁନ ଫୋର୍ସ ମୁତୟନ ଅଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ମୁତୟନ ହେବ ବୋଲି ଏସପି କହିଛନ୍ତି । ବାଲେଶ୍ଵର ସହରବାସୀ ଶାନ୍ତି ବଜାୟ ରଖନ୍ତୁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ଏସପି ସାଗରିକା ନାଥ କହିଛନ୍ତି, ଆଇନ ଶୃଙ୍ଖଳାକୁ ହାତକୁ ନ ନେବାପାଇଁ ନିବେଦନ କରାଯାଇଛି । ରାସ୍ତା ଉପରେ ଗଣ୍ଡଗୋଳ ହଟାଇବା ପ୍ରାଥମିକତା ଥିଲା ଏବଂ ପରବର୍ତ୍ତୀ ସମୟରେ ଉଭୟ ଗୋଷ୍ଠୀର ଲୋକଙ୍କୁ ନେଇ ଶାନ୍ତି ଫେରିବା ପାଇଁ ଆଲୋଚନା ହେବ । ଆଜି ଯେଉଁ ମାନଙ୍କ ପରୀକ୍ଷା ଅଛି ସେମାନେ ଆଡମିଟ କାର୍ଡ ଦେଖାଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ । ଏହାସହ ଜରୁରୀ କାଳୀନ ପରିସ୍ଥିତି ରେ ମେଡିକାଲକୁ ଯାଇ ପାରିବେ ବୋଲି କହିଛନ୍ତି ଏସପି ।

ପ୍ରକାଶ ଥାଉକି, ସୋମବାର ଟାଉନ ଥାନା ଅଧିନ ସୁନହାଟ ଅଞ୍ଚଳରେ ଏକ ନାଳରେ ରକ୍ତ ଭାସୁଥିବା କିଛି ଲୋକ ଦେଖିଥିଲେ । ରକ୍ତ କେଉଁଠୁ ଆସିଲା କିପରି ଆସିଲାକୁ ନେଇ 2 ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ତାହା ଗଣ୍ଡଗୋଳର ରୂପ ନେଇଥିଲା । ଟେକା ପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଥିଲା। ଏଥିରେ ପାଞ୍ଚରୁ ଊର୍ଦ୍ଧ୍ଵ ଆହତ ହୋଇଥିବା ବେଳେ ପୋଲିସ କର୍ମଚାରୀ ଏବଂ ଏସପି ଆହତ ହୋଇଥିଲେ । ଅପରାହ୍ନରୁ ସନ୍ଧ୍ୟା ଯାଏଁ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ରାତିରେ ପୁଣି ଗୋଷ୍ଠୀ ବିବାଦ ତେଜିଥିଲା । ସୁଏଲପୁର, ମାଣିଖମ୍ବ, ଗୋଳାପୋଖରୀ ଆଦି ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କାର, ବାଇକ ଭଙ୍ଗାରୁଜା ହୋଇଥିବା ମଧ୍ୟ ନଜର ଆସିଥିଲା । ପରିସ୍ଥିତି ଧୀରେ ଧୀରେ ଅଣାୟତ୍ତ ହୋଇଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । କେଉଁ କାରଣରୁ ଗୋଷ୍ଠୀ ସଂଘର୍ଷ ହୋଇଥିବା ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଏକ ରାସ୍ତାରୋକକୁ ନେଇ ଏମିତି ଘଟଣା ଘଟିଥିବା କଥା କୁହାଯାଉଛି ।

ଏହି ଘଟଣା ପରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହଥିଲେ ଯେ, ଶାନ୍ତି ବଜାୟ ରଖିବା ପାଇଁ ମୁଁ ନିବେଦନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବାପରେ ଘଟଣାର ପ୍ରକୃତ କାରଣ ଖୋଜାଯିବ । ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା । ପୂର୍ବରୁ ବକରି ଇଦରେ କୌଣସି ପଶୁ ହତ୍ୟା ନ କରିବା ପାଇଁ ସାଂସଦ ଜିଲ୍ଲାପାଳଙ୍କୁ କହିଥିଲେ । ମାତ୍ର ଡ୍ରେନରେ ରକ୍ତ ଛିଟା ପଡ଼ିବାକୁ ନେଇ ଏମିତି ଘଟଣା ଘଟିଥିବା ସାଂସଦ କହୁଥିବା ବେଳେ ଉକ୍ତ ରକ୍ତ ନମୁନାକୁ ପରୀକ୍ଷା ପାଇଁ ପଠାଯାଇଛି ।

0 Comments