ଭୁବନେଶ୍ୱର: ଭାରତର ସର୍ବପ୍ରଥମ ସିଲିକନ ସେମି-କଣ୍ଡକ୍ଟର ହବ ଭାବେ ରୂପାନ୍ତରିତ ହେଉଛି ଓଡିଶା । ଉତ୍କର୍ଷ ଓଡିଶା ସମ୍ମିଳନୀ ମାଧ୍ୟମରେ ଅପାର ସମ୍ଭାବନାର ରାଜ୍ୟ ଓଡିଶା ବିଶ୍ଵର ଶିଳ୍ପଦ୍ୟୋଗୀ ଓ ନିବେଶକଙ୍କ ପ୍ରଥମ ପସନ୍ଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଓଡିଶାରେ ପ୍ରସ୍ତୁତ ହେଉଛି ଆତ୍ମନିର୍ଭର ଭାରତର ରୂପରେଖ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରସ୍ତୁତ ଭିଜନ ଡକ୍ୟୁମେଣ୍ଟ ଆଧାରରେ 'ଏକ ଭାରତ, ଶ୍ରେଷ୍ଠ ଭାରତ' ପାଇଁ ଓଡିଶାର ପ୍ରତିବଦ୍ଧତା ପ୍ରଦର୍ଶିତ । ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୫ରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା ରାଜ୍ୟ ଦିବସ ସମାରୋହରେ ଓଡିଶାର ନୃତ୍ୟ ଓ ସଙ୍ଗୀତରେ ବିମୋହିତ ହେଲା ବିଶ୍ଵ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସମସ୍ତଙ୍କୁ କଲା ଉତ୍ସାହିତ ।

୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ନବମ ଦିବସରେ ଆଜି ପାଳିତ ହୋଇଥିଲା ଓଡିଶା ରାଜ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର

ବିଷୟବସ୍ତୁ ଯଥାର୍ଥରେ ଆମ ସ୍ୱପ୍ନ ଓ ସମ୍ଭାବନାକୁ ପ୍ରତିପାଦିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ପ୍ରଯୁକ୍ତିବିଦ୍ୟାର ସଫଳ ଉପଯୋଗ ମାଧ୍ୟମରେ ସିଲିକନ ସେମିକଣ୍ଡକ୍ଟର ଚିପ ଭଳି ସୂକ୍ଷ୍ମାତିସୂକ୍ଷ୍ମ ଅତ୍ୟାଧୁନିକ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାକୁ ନୂତନ ପରିଚୟ ପ୍ରଦାନ କରିବ ବୋଲି ମୋହନ କହିଛନ୍ତି । ଏହା ଆମ ଅର୍ଥନୀତିକୁ ସୁଦୃଢ କରିବ ଏବଂ ନୂତନ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ । ନବୀକରଣୀୟ ବିଦ୍ୟୁତ ଶକ୍ତିର ଉତ୍ପାଦନ, ବ୍ୟାପକ ବୃକ୍ଷଚାରା ରୋପଣ ମାଧ୍ୟମରେ ପରିବେଶ ସନ୍ତୁଳନ ରକ୍ଷା ଏବଂ ପରବର୍ତ୍ତୀ ପିଢୀ ପାଇଁ ଏକ ସୁନ୍ଦର ପୃଥିବୀ ଛାଡିଯିବା ଆଭିମୁଖ୍ୟ ନେଇ ନୀତି ଓ ଯୋଜନା ପ୍ରଣୟନ କରିବା ସହିତ ତାର କାର୍ଯ୍ୟାନ୍ଵୟନ ପ୍ରାଥମିକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଉତ୍କର୍ଷ ଓଡ଼ିଶା: ମେକ-ଇନ-ଓଡିଶା କନକ୍ଳେଭ ମାଧ୍ୟମରେ ବିଶ୍ଵର ଶିଳ୍ପପତି ଓ ପୁଞ୍ଜିପତିମାନଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ ହେଉଛନ୍ତି । ଓଡିଶାର ସୁଦକ୍ଷ ଯୁବଗୋଷ୍ଠୀଙ୍କ ଷ୍ଟାର୍ଟ-ଅପ ଉତ୍ପାଦକୁ ବିଶ୍ଵ ସମ୍ମୁଖରେ ଉପସ୍ଥାପନ କରିବା । ଓଡିଶାରେ ଉତ୍ପାଦିତ ଶ୍ରୀଅନ୍ନ ବିସ୍ମୃତ ଖାଦ୍ୟ ବିଶ୍ଵ ବଜାର ସୁବିଧା ଉପଲବ୍ଧ କରିବା । ନିକଟ ଅତୀତରେ ଅନ୍ତର୍ଜାତୀୟ ମିଲେଟ କନଭେନସନ ଆୟୋଜନ । ପ୍ରତ୍ଯେକ କ୍ଷେତ୍ରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଓଡିଶାର ପ୍ରଗତିଶୀଳ ନୀତିକୁ ସମଗ୍ର ବିଶ୍ଵ ସକାରାତ୍ମକ ଦୃଷ୍ଟିରେ ଦେଖୁଛି ।"

ରାଜ୍ୟ ଦିବସ ଅବସରରେ ଭୁବନେଶ୍ଵର ନୁପୁର ଅନୁଷ୍ଠାନରେ କଳାକାରମାନଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟାଭିନୟ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ତରଫରୁ ପଶୁମୁଖା ନୃତ୍ୟ, ସୁବର୍ଣ୍ଣପୁର ସ୍ଥିତ ରୁମକୁଝୁମାର କଳାକାରମାନଙ୍କ ସମ୍ବଲପୁରୀ ନୃତ୍ୟ, କନ୍ଧମାଳ ଜିଲ୍ଲାର ନୂତନ କଳା ସଂସଦର ଶିଙ୍ଘନୃତ୍ୟ ଏବଂ କଳାହାଣ୍ଡିର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ନୃତ୍ୟ ପରିବେଷଣ ହୋଇଛି ।

କାର୍ଯ୍ୟକ୍ରମରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସୁଜିତ କୁମାର, ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ସମେତ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ସାବିତ୍ରୀ ରଥ, ଶିଳ୍ପ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଶାସନ ସଚିବ ହେମନ୍ତ ଶର୍ମା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ପ୍ରମୁଖ ଆବାସିକ ଆୟୁକ୍ତ ବିଶାଲ ଗଗନ, ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ରିତୁ ଅରୋରା, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ବୈଷୟିକ ନିର୍ଦ୍ଦେଶକ ଗୁରବୀର ସିଂହଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

0 Comments