ବାଲେଶ୍ବର: ଭିଜିଲାନ୍ସ ଜାଲରେ ବାଲେଶ୍ଵର ଜଳସେଚନ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ । ଆଜି ସକାଳୁ ଭିଜିଲାନ୍ସର ଏକ ୯ ଜଣିଆ ଟିମ୍ ଯନ୍ତ୍ରୀଙ୍କ ବାଲେଶ୍ବର ସହର ଆଇଟିଆଇ ଛକରେ ସ୍ଥିତ କାର୍ଯ୍ୟାଳୟ ସହ ବିଭିନ୍ନ ଠିକଣାରେ ରେଡ୍ କରୁଛି । ତେବେ ରେଡ୍ ବେଳେ ଯନ୍ତ୍ରୀଙ୍କ ଘରୁ ବାହାରିଛି ପୁଳା ପୁଳା ଟଙ୍କା । କେବଳ ଟଙ୍କା ନୁହେଁ, ଯନ୍ତ୍ରୀଙ୍କ ଆଲିସାନ ଘର ସହିତ ସୁନାଗହଣା ଓ କୋଟି କୋଟି ମୂଲ୍ୟର ସମ୍ପତ୍ତି ଦେଖି ଖୋସି ହୋଇଯାଇଛି ଭିଜିଲାନ୍ସ ଆଖି ।

ଓଡ଼ିଶା ସହିତ ପଶ୍ଚିମବଙ୍ଗରେ ରହିଛି ଯନ୍ତ୍ରୀଙ୍କ ମାଳ ମାଳ ପ୍ଲଟ । ଏବେ ଯାଏଁ ୮୫ଟି ପ୍ଲଟ ଠାବ ହୋଇଥିବାବେଳେ ଆହୁରି ଖୋଳତାଡ ଚାଲିଛି ।

ଭିଜିଲାନ୍ସର ୯ ଜଣିଆ ଟିମ୍ ଯନ୍ତ୍ରୀଙ୍କ ବାଲେଶ୍ବର ସହର ଆଇଟିଆଇ ଛକରେ ଥିବା କାର୍ଯ୍ୟାଳୟ, ସରକାରୀ ବାସଭବନ, ବଡ଼ବଜାର ସ୍ଥିତ ପୈତୃକ ଘର, ନିର୍ମାଣାଧୀନ ଏକ ମହଲା କୋଠା, ମାର୍କେଟ କମ୍ଲେକ୍ସ, ବାଲିଆପାଳ ମସିହାମୁଣ୍ଡାଠାରେ ସ୍ଥିତି ତାଙ୍କର ଶ୍ବଶୁର ଘର, ଜଳେଶ୍ବରର ସନ୍ତିଆ ଅଞ୍ଚଳରେ ତାଙ୍କର ସହଯୋଗୀ ତଥା ଠିକାଦାର ମିଟିକ ସିଂହଙ୍କ ଘରେ ଏକକାଳୀନ ଚଢାଉ ହୋଇଛି । ବାଲେଶ୍ଵର ଭିଜିଲାନ୍ସ ଏସପି ନରହରି ନାୟକଙ୍କ ତତ୍ତ୍ବାବଧାନରେ ଚଢାଉ ଚାଲିଥିବା ବେଳେ ଏଥିରେ ୨ ଜଣ ଅତିରିକ୍ତ ଏସପି, ୪ ଡିଏସପି, ୬ ଇନ୍ସପେକ୍ଟର, ୭ ଏଏସଆଇ ସାମିଲ ଅଛନ୍ତି ।

ଚଢାଉ ବେଳେ ଅଧୀକ୍ଷଣ ଯନ୍ତ୍ରୀଙ୍କ ସରକାରୀ କ୍ବାର୍ଟରରୁ ମିଳିଛି ପୁଳା ପୁଳା ଟଙ୍କା । ତା' ସହିତ ବହୁ ପରିମାଣର ସୁନା ଗହଣା, ବହୁ ଜମିବାଡି, ବ୍ୟାଙ୍କ ପାସବୁକ୍ ଓ ବୀମା କାଗଜପତ୍ର ମିଳିଛି । ପଶ୍ଚିମବଙ୍ଗ ସୀମାରେ ତାଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ତାହାର ମଧ୍ୟ ଛାନଭିନ୍ କରାଯାଉଛି । ବଡ କଥା ହେଲା, ତାଙ୍କ ଘରୁ ଏକ ବ୍ୟାଗ୍ ଭିତରୁ ଅଚଳ ୨ ହଜାର ଟଙ୍କିଆ ନୋଟ ବିଡା ଜବତ କରିଛି ଭିଜିଲାନ୍ସ ଟିମ୍ । ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସଙ୍କୁ ପଦୋନ୍ନତି ମିଳିବା ପରେ କେନ୍ଦୁଝର ବୈତରଣୀ ବ୍ୟାରେଜ ଡିଭିଜନକୁ ତାଙ୍କର ବଦଳି ହୋଇଥିବାର ଜଣାପଡିଛି । ଏବେ ବି ତାଙ୍କର ବିଭିନ୍ନ ଠିକଣାରେ ଚଢାଉ ଜାରି ରହିଥିବାରୁ ସମ୍ପୂର୍ଣ୍ଣ ସମ୍ପତ୍ତି ଆକଳନ କରାଯାଇପାରି ନାହିଁ ।

ଭିଜିଲାନ୍ସ ଏସପି ନରହରି ନାୟକଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ୧୧ ଲକ୍ଷ ୭୦ ହଜାର ନଗଦ, ୨୧୭ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି । ତାଙ୍କର ୮୫ଟି ପ୍ଲଟ, ୫ ମହଲା କୋଠା, ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୬୦ ଲକ୍ଷ ଥିବାବେଳେ ପଶ୍ଚିମବଙ୍ଗରେ ମଧ୍ୟ ୨ଟି ପ୍ଲଟ ଥିବା ଜଣାପଡିଛି । ତେବେ ଆଉ କେଉଁଠି କେତେ ସମ୍ପତ୍ତି ଅଛି, ତାହାର ତଦନ୍ତ ଚାଲିଛି ।

0 Comments