ବାଲେଶ୍ବର: ସଫଳ ହେଲା ‘ଡିଆରଡିଓ’ର ପରୀକ୍ଷଣ । ସଠିକତାର ସହ ଟାର୍ଗେଟକୁ ହିଟ୍‌ କଲା ‘ଇଣ୍ଟରସେପ୍ଟର’ ମିସାଇଲ । ଚାନ୍ଦିପୁର ସମନ୍ବିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର (ଆଇଟିଆର)ର 3ନଂ ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଥିବା ପୃଥ୍ବୀ-2 କ୍ଷେପଣାସ୍ତ୍ରକୁ ଧାମରା ନିକଟବର୍ତ୍ତୀ ଅବଦୁଲ କାଲାମ ଦ୍ବୀପରୁ ଉତକ୍ଷେପଣ ହୋଇଥିବା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଇଣ୍ଟରସେପ୍ଟର ମିସାଇଲ୍‌ ଲକ୍ଷ୍ୟଭେଦ କରିଛି । ଅପରାହ୍ନ 4ଟା 15 ମିନିଟ୍‌ରେ ଏହି ପରୀକ୍ଷଣ ସଫଳ ହୋଇଥିବ

ଜଣାପଡ଼ିଛି । ଏହି ପରୀକ୍ଷଣ ପାଇଁ ଆଜି ଚାନ୍ଦିପୁର ଉପକୂଳବର୍ତ୍ତୀ ଏରିଆରୁ ପ୍ରାୟ 10 ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ପଡିଥିଲା ।

ସୂଚନା ଅନୁସାରେ, ପ୍ରଥମେ ଅପରାହ୍ନ 4ଟା 15 ମିନିଟ୍‌ରେ ‘ଆଇଟିଆର’ 3ନଂ ଲଞ୍ଚପ୍ୟାଡ଼ରୁ ମୋଡ଼ିଫାଏଡ଼ ପୃଥ୍ବୀ-2 ମିସାଇଲକୁ ଉତ୍‌କ୍ଷେପଣ କରାଯାଇଥିଲା । ଏହାର ମାତ୍ର କିଛି ସମୟ ବ୍ୟବଧାନରେ ଧାମରା ସ୍ଥିତ ଅବଦୁଲ କାଲାମ ଦ୍ବୀପରୁ ଇଣ୍ଟସେପ୍ଟର ସ୍ବୟଂଚାଳିତ ଭାବେ ଉତ୍‌କ୍ଷେପିତ ହୋଇଥିଲା । ପୂର୍ବ ଆକଳନ ଅନୁସାରେ, ସଠିକ ସମୟରେ ଇଣ୍ଟରସେପ୍ଟର ବଙ୍ଗୋପସାଗର ସମୁଦ୍ର ଭିତରେ ପୃଥ୍ବୀ-2 କ୍ଷେପଣାସ୍ତ୍ରକୁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଲା ।

ଏହି ପରୀକ୍ଷଣ ପାଇଁ 3ନଂ ଲଞ୍ଚପ୍ୟାଡର ସାଢେ 3 କିଲୋମିଟର ଦୂରତା ମଧ୍ୟରେ ଥିବା ଏରିଆରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା । ଜୟଦେବକସବା, ଭିମପୁର, ସାହାଜାନଗର, କୁସୁମୁଳୀ, ଖଡୁପାହି, ତୁଣ୍ଡୁରା, ଛଚିନା, ଦୋମୁହାଁପାଟଣା, କଣ୍ଡର୍ଦ୍ଦା ଓ ବର୍ଦ୍ଧନପୁର ଗାଁର ମୋଟ 10,581 ଲୋକଙ୍କୁ ଭିମପୁର, ବର୍ଦ୍ଧନପୁର,କଳାମାଟିଆ ଓ ନିଧିପଡା ଅସ୍ଥାୟୀ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିଲା । ଉତକ୍ଷେପଣ ହେବା ପୂର୍ବରୁ ଡିଆରଡିଓର ସୂଚନା ଅନୁସାରେ, ସ୍ଥାନୀୟ ପ୍ରଶାସନ ଏହି ସ୍ଥାନାନ୍ତରଣ ଶେଷ କରିଥିଲା । ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯାଇଥିବାରୁ ପ୍ରାପ୍ତବୟସ୍କଙ୍କ ପାଇଁ 300 ଓ ନାବାଳକ/ ନାବାଳିକାଙ୍କ ପାଇଁ 150 ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ପ୍ରତିରକ୍ଷା ବିଭାଗ ଘୋଷଣା କରିଥିଲା । ତେବେ ଅପରାହ୍ନରେ ଏହି ପରୀକ୍ଷଣ ସଫଳ ହୋଇଛି ।

କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ପ୍ରଶାସନ ପକ୍ଷରୁ ଗତକାଲିଠାରୁ (ମଙ୍ଗଳବାର) ସେହି ଅଞ୍ଚଳଗୁଡିକରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସ୍ଥାନାନ୍ତର ପାଇଁ ସଚେତନ କରାଯାଇଥିଲା । ଅସ୍ଥାୟୀ ଶିବିର ଗୁଡିକରେ ନାମ ପଞ୍ଜିକୃତ ହୋଇଥିଲା । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ କରାଯାଇଥିଲା । ଏବେ ପ୍ରଶାସନ ପୂର୍ବ ପ୍ରତିଶ୍ରୁତି ଅନୁସାରେ,ସେମାନଙ୍କ ଅର୍ଥରାଶି ପ୍ରଦାନ କରିବ ।

0 Comments