ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ପ୍ରଧାନମନ୍ତ୍ରୀ ଆସିବେ ଯୋଜନାର କରିବେ ଶୁଭାରମ୍ଭ । ଏହାରି ଭିତରେ ପରୀକ୍ଷାମୂଳକ ଭାବେ ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି 1 ଟଙ୍କା । ଏହାର ସୁଯୋଗ ନେଇ ମାତିଲେଣି ସାଇବର ଠକ । ସାଇବର ଠକରୁ ବର୍ତ୍ତିବା ଏଭଳି ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ସୁଭଦ୍ରା ଯୋଜନା ପାଇବାକୁ ଥିବା ହିତାଧିକାରୀଙ୍କୁ ସଚେତନ କରିଲେ ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନା ନେଇ ସରକାରଙ୍କ ପକ୍ଷରୁ କୌଣସି କଲ୍‌ କିମ୍ବା ଲିଙ୍କ ଯିବ ନାହିଁ । ଯଦି ଆପଣଙ୍କୁ କିଏ ଲିଙ୍କ୍‌ ବା କଲ୍‌ ପାଇଁ କୁହେ ତେବେ ସାଇବର ଠକେଇ ହୋଇପାରେ । ତେଣୁ ଏଥିରୁ ବର୍ତ୍ତିବାକୁ ଅପିଲ୍‌ କଲେ ଉପମୁଖ୍ୟମନ୍ତ୍ରୀ ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି, ‘କିଛି ସମୟ ପୂର୍ବରୁ ଖବର ଆସିଛି । ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଯାଇଛି କି ନାହିଁ, ସେଥିପାଇଁ ଜଣଙ୍କୁ ଫୋନ କଲ ଆସିଲା । ଲିଙ୍କରେ କ୍ଲିକ୍ କଲେ ସୁଭଦ୍ରା ଯୋଜନାର ଟଙ୍କା ମିଳିଯିବ ବୋଲି କହିଲେ । ସେହି ବ୍ୟକ୍ତିଙ୍କ ଆକାଉଣ୍ଟରୁ 12 ହଜାର 500 ଟଙ୍କା କଟିଗଲା ।’ ଏସବୁ ସାଇବର ଠକେଇରୁ ବର୍ତ୍ତିବା ପାଇଁ ସଚେତନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ରାଜ୍ୟ ସରକାର ପରୀକ୍ଷଣ ଭାବେ କିଛି ହିତ

ାଧିକାରୀଙ୍କ ଆକାଉଣ୍ଟକୁ 1 ଟଙ୍କା ପଠାଇଛନ୍ତି । ଆବେଦନ କରିଥିବା କିଛି ମହିଳାଙ୍କୁ ଟଙ୍କାଟିଏ ଆସିଥିବା ବେଳେ କିଛି ମହିଳାଙ୍କୁ ଆସିନଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପ୍ରଭାତି ପରିଡା କହିଛନ୍ତି, ‘ଆକାଉଣ୍ଟକୁ 1 ଟଙ୍କା ଯାଇଥାଉ କି ନଯାଇଥାଉ, ସୁଭଦ୍ରା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ । ଏହି 1 ଟଙ୍କା ଆକାଉଣ୍ଟ ଚେକ୍ ପାଇଁ ଯାଇଛି । ତେଣୁ ଯେଉଁମାନେ 1 ଟଙ୍କା ପାଇ ନାହାନ୍ତି, ସେମାନେ ବି ବ୍ୟସ୍ତ ହୁଅନ୍ତୁ ନାହିଁ । ସବୁ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ନହେବା ଯାଏଁ ଚାଲିବ ପଞ୍ଜୀକରଣ ।’

ସୁଭଦ୍ରା ନେଇ ଚାରିଆଡେ ଉତ୍ସାହ । ଜନସେବା କେନ୍ଦ୍ରରେ ଧାଡିରେ ଛିଡା ହୋଇ ପଞ୍ଜୀକରଣ କରୁଛନ୍ତି । ଗତକାଲି ସୁଦ୍ଧା 65 ଲକ୍ଷ ମହିଳା ପଞ୍ଜୀକରଣ କରିଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ‘17 ତାରିଖରେ ପ୍ରଥମ କିସ୍ତି ପାଇବେ ହିତାଧିକାରୀ ମହିଳା । 17 ପରେ ଯେଉଁମାନେ ପଞ୍ଜୀକରଣ କରିବେ ସେମାନେ ତା ପରବର୍ତ୍ତୀ ସମୟରେ 17ର ପ୍ରଥମ କିସ୍ତିର ପଇସା ହିଁ ପାଇବେ । 1 କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀ ପ୍ରଥମ କିସ୍ତି ପାଇବେ । କେହି ବଞ୍ଚିତ ହେବେ ନାହିଁ । ନଭେମ୍ବର ମାସରେ ବି ପଞ୍ଜୀକରଣ କଲେ ସୁଭଦ୍ରାର ପ୍ରଥମ କିସ୍ତି ମିଳିବ । ସୁଭଦ୍ରା ଯୋଜନାର ସହାୟତା ରାଶି ସମସ୍ତଙ୍କୁ ସହଜ ଓ ସରଳ ଭାବେ ପହଞ୍ଚିବ । କେହି ବ୍ୟସ୍ତ, ବିବ୍ରତ, ଭ୍ରମିତ ହୁଅନ୍ତୁ ନାହିଁ କି ଠକେଇର ଶିକାର ହୁଅନ୍ତୁ ନାହିଁ । ସୁଭଦ୍ରା ଆବେଦନ କରନ୍ତୁ ନିଶ୍ଚିତ ରୁହନ୍ତୁ ସୁଭଦ୍ରା ଆପେ ଆପେ ଆପଣଙ୍କ ନିକଟରେ ପହଞ୍ଚିବ ।’

0 Comments