ଭୁବନେଶ୍ବର: ବଙ୍ଗୋପସାଗରେ ସୃଷ୍ଟି ଗଭୀର ଅବପାତ ବର୍ତ୍ତମାନ ପଶ୍ଚିମବଙ୍ଗ ଗାଙ୍ଗେଟିକ୍ ଅଞ୍ଚଳ ଉପରେ ରହିଛି ।ଏହା ପଶ୍ଚିମ ଦିଗକୁ ଗତି କରିବା ସହ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ତୀବ୍ରତା ଅଧିକ ରହିବ । ଏହା ପରେ ଗଭୀର ଅବପାତଟି ପଶ୍ଚିମ ଦିଗରେ ଗତିକରି ଦୁର୍ବଳ ହେବା ସହ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସହ ଝାରଖଣ୍ଡ ଓ ଦକ୍ଷିଣ ଛତିଶଗଡ ଆଡକୁ ଗତି କରିବ ବା ଉପକୂଳ ଅତିକ୍ରମ କରିବ । ପ୍ରଭାବରେ ଉତ୍ତର ଓଡ଼ିଶାରେ ଆଗାମୀ ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

>

୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟା ମୟୂରଭଞ୍ଜରେ ଭୀଷଣ ବର୍ଷାର ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି । ସେହିପରି କେନ୍ଦୁଝର, ବାଲେଶ୍ୱର ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ ସହ ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ପାଣିପାଗ ବିଭାଗ । ସେଗୁଡ଼ିକ ହେଲା କଟକ, ଜଗତସିଂହପୁର, ନୟାଗଡ଼, ଯାଜପୁର,ଭଦ୍ରକ, କେନ୍ଦ୍ରାପଡ଼ା, ଅନୁଗୁଳ, ବୌଦ୍ଧ, ଦେବଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ।

ଆସନ୍ତାକାଲି ପାଇଁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ଦେଓଗଡ଼, କେନ୍ଦୁଝର, ସମ୍ବଲପୁର ,ସୋନପୁର, ବରଗଡ଼, ବୌଦ୍ଧ ଓ ଅନୁଗୋଳରେ ପ୍ରବଳ ବର୍ଷାର ଆଶଙ୍କା ନେଇ ଜାରି ହୋଇଛି ୟେଲୋ ଆଲର୍ଟ । ୧୬ ତାରିଖରୁ କମିବ ବର୍ଷା ।

ସମୁଦ୍ର ମଧ୍ୟରେ ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ବନ୍ଦର ଗୁଡିକୁ ୩ ନମ୍ବର ବିପଦ ସଂକେତର ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶାରେ ଅଧିକ ବର୍ଷାର ସମ୍ଭାବନା ଥିବାବେଳେ ଉପକୂଳ ଅର୍ଥାତ ପାରାଦ୍ୱୀପ ଓ ଧାମରା ବନ୍ଦର ପାଇଁ ଏହି ସତର୍କତା ରହିଛି ।

ସେପଟେ ସାରା ରାଜ୍ୟରେ ୯୬୩.୫ ମିମି ବର୍ଷା ହୋଇଥିବାବେଳେ ବର୍ତ୍ତମାନ ୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଏହି କ୍ରମରେ ବାଲେଶ୍ୱରର ଭୋଗରାଇରେ ସର୍ବାଧିକ ୧୨୫ ମିମି ବର୍ଷା ରେକର୍ଡ କରାଯାଇଛି ।

0 Comments