କଟକ: ଏସସିବି ମେଡିକାଲରେ ପ୍ରଭାବିତ ହେବ ସ୍ବାସ୍ଥ୍ୟସେବା । ଆସନ୍ତାକାଲି (ବୁଧବାର)ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ହାଉସ ସର୍ଜନ । ଆନ୍ଦୋଳନରେ ସାମିଲ ହେବେ 250 ହାଉସ ସର୍ଜନ । ଆଉ

ଟଡୋର, ୱାର୍ଡ, ICU ଓ OTରେ କାର୍ଯ୍ୟ କରିବେ ନାହିଁ ବୋଲି ରୋକଠୋକ କହିଛନ୍ତି ହାଉସ ସର୍ଜନ । ସେମାନଙ୍କ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ । ସେପଟେ ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ପ୍ରଭାବରେ ରୋଗୀଙ୍କ ଉପରେ ବିଶେଷ ଭାବରେ ପ୍ରଭାବ ପଡ଼ିବ ।

ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହାଉସ ସର୍ଜନ ଓ ନର୍ସିଂ କର୍ମଚାରୀଙ୍କ ଭିତରେ ଚାଲିଥିବା ବିବାଦ ଉଗ୍ର ରୂପ ଧାରଣ କରିବାକୁ ଲାଗିଲାଣି । ଗତ ରବିବାର ଦିନ ସନ୍ଧ୍ୟା ସମୟରେ ମେଡ଼ିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଜଣେ ନର୍ସ ଓ ହାଉସ ସର୍ଜନଙ୍କ ମଧ୍ୟରେ କିଛି ସମୟ କଥା କଟାକଟି ହୋଇଥିଲା । ଏମିତିକି ଏହା ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦରେ ପରିଣତ ହୋଇଥିଲା । ରବିବାରଠାରୁ ଉଭୟ ଉଭୟଙ୍କ ବିରୁଦ୍ଧରେ ଆରୋପ ପ୍ରତ୍ୟାରୋପ କରି ଏସସିବି ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ । ହେଲେ ଏନେଇ କୌଣସି ସମାଧାନ ନ ହେବାରୁ ଆଜି ଶତାଧିକ ନର୍ସିଂ କର୍ମଚାରୀ ଏସସିବି ଅଧିକ୍ଷକଙ୍କ କାର୍ଯ୍ୟଳୟରେ ଧାରଣା ଦେବା ସହ ଦୀର୍ଘ ସମୟ ଧରି ହୋହାଲ୍ଲା କରିଥିଲେ ।

ଏହି ବିବାଦର ସମାଧାନ ପାଇଁ କମିଟି ମିଟିଂ ଚାଲିଥିବା ବେଳେ ଅଭିଯୋଗ କାରିଣୀ ନର୍ସଙ୍କ ମୋବାଇଲକୁ ବରିଷ୍ଠ ଅଧିକାରୀମାନେ ଛଡାଇ ନେଇଥିବା ଅଭଯୋଗ କରି ଶତାଧିକ ନର୍ସ ଅଧିକ୍ଷକଙ୍କ କକ୍ଷ ଭିତରକୁ ଧସେଇ ପଶିଥିଲେ । ତେବେ ସେଦିନ ରକ୍ତ ଦେବାକୁ ନେଇ ହୋଇଥିବା ପାଟିତୁଣ୍ଡ ପରେ ଦଶରୁ ଊର୍ଦ୍ଧ୍ବ ହାଉସ ସର୍ଜନ ଆସି ଉକ୍ତ ନର୍ସଙ୍କୁ କବାଟ ବନ୍ଦ କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏହି ଘଟଣାରେ ହାଉସ ସର୍ଜନମାନେ ମଧ୍ୟ ଆଜି ଅଧିକ୍ଷକଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ଉପରେ ମିଛ ଅଭିଯୋଗ କରାଯାଇଥିବା କହିଛନ୍ତି ହାଉସ ସର୍ଜନ । ଯାହାକୁ ନେଇ ଆସନ୍ତାକାଲି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ । ଯେଉଁମାନେ ସେମାନଙ୍କ ଉପରେ ମିଛ ଅଭିଯୋଗ ଆଣିଛନ୍ତି ଯେ ପର୍ଯ୍ୟନ୍ତ ସେମାନେ କ୍ଷମା ମାଗିନାହାଁନ୍ତି ସେ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳରେ ବସିବେ ବୋଲି ହାଉସ ସର୍ଜନମାନେ କହିଛନ୍ତି ।

0 Comments