ସିଲଭର ସିଟିରେ 'ଜୟ ଜଗନ୍ନାଥ' କହି ଓଡ଼ିଆରେ ଭାଷଣ ଆରମ୍ଭ କଲେ ମୋଦି । କଟକ ଚଣ୍ଡୀ ଓ ମା' ଭଟ୍ଟାରିକାଙ୍କୁ କଲେ ପ୍ରଣାମ । ଗତକାଲି ସନ୍ଧ୍ୟାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି କଟକରେ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ କଲେ ଟାର୍ଗେଟ । କହିଲେ ବିଜେଡି ସରକାର ଓଡ଼ିଶାକୁ ଦେଇଛି ଲ୍ୟାଣ୍ଡ, ସ୍ୟାଣ୍ଡ୍‌, କୋଇଲା ଓ ଖଣି ମାଫିଆ । ସେହିଭଳି ଓଡ଼ିଶା ସରକାରକୁ ଜଣେ ମାଫିଆ କବ୍‌ଜା କରି ରଖିଥିବା କହିଲେ ମୋଦି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ତାମିଲନାଡ଼ୁରେ ଥିବା କହିବା ସହିତ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ବିଜୟ ସଂକଳ୍ପ ସମାବେଶରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରକୁ ଜୋରଦାର ଆକ୍ରମଣ କରିଥିଲେ । ସବୁଠାରୁ ବଡ଼କଥା ହେଉଛି ଏଠାରେ ପୁଣି ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ବିଜେଡି ସରକାରକୁ ଟାର୍ଗେଟ କରିଥିଲେ । ପରୋକ୍ଷରେ ପାଣ୍ଡିଆନଙ୍କ ଉପରେ ମଧ୍ୟ ବର୍ଷିଥିଲେ ମୋଦି । ସେ କହିଥିଲେ, "ଲୋକ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ପଳାଇଛି । ରତ୍ନଭଣ୍ଡାର ଚାବି ଓଡ଼ିଶା କିଏ ନେଇଛି ? ଯାଞ୍ଚ କମିଟି ରିପୋର୍ଟକୁ ଚାପି ଦିଆଯାଇଛି । ବାରମ୍ବାର ଦାବି ସତ୍ତ୍ବେ ଏହାକୁ ସାର୍ବଜନୀନ କରାଯାଉନାହିଁ । ଶ୍ରୀମନ୍ଦିର ଓଡ଼ିଶାବାସୀଙ୍କ ଭାବାବେଗ ସହ ଜଡ଼ିତ । ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳୁଥିବା ଲୋକଙ୍କୁ କେବେ କ୍ଷମା ମିଳିବ ନାହିଁ । ବିଜେପି ସରକାର

ସିଲେ ରତ୍ନଭଣ୍ଡାର ଚାବିର ରାଜ ଖୋଲିବ । ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ ।" ତେବେ ଯଦି କିଛି ଗଡ଼ବଡ଼ ଥିବ, ମୋଦି କାହାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି ।

କଟକ ସଭାରେ ବିଜେଡି ସରକାରକୁ ଲୁଟେରା ସରକାର ବୋଲି କହି ବର୍ଷିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, "ଶାସନ ଆରମ୍ଭରୁ ଓଡିଶାବାସୀଙ୍କୁ ଲୁଟି ଚାଲିଛି ବିଜେଡି ସରକାର । ବାଲି, ମାଟି, ଖଣି, ଇତ୍ୟାଦି ମାଫିଆ ରାଜ ରାଜ୍ୟରେ ଚାଲିଛି । ରାଜ୍ୟରେ ବିଜେଡିର ଭ୍ରଷ୍ଟାଚାର ପାଇଁ ରାଜ୍ୟର ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡ଼ୁଛି । ଜଣେ ମାଫିଆ ବିଜେଡିକୁ କବଜା କରିଛି । ସେହି ମାଫିଆ ସବୁ ସେକ୍ଟରକୁ କବ୍‌ଜା କରିଛି । ବିଜେଡି ନେତା ମାଫିଆଗିରିରେ ୨୪ ଘଣ୍ଟା ଲାଗିଛନ୍ତି ।" ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ ବୋଲି ମୋଦି କହିଛନ୍ତି ।

ଏହାଛଡ଼ା ୨୫ ବର୍ଷ ବିଜେଡି ଶାସନ ଦେଖି ସାଇଲେଣି ଓଡିଶାବାସୀ । କିନ୍ତୁ ଏଇଠି ପୂର୍ଣ୍ଣଚ୍ଛେଦ ପକାଇବାର ସମୟ ଆସିଛି ବୋଲି କହିବା ସହ ଓଡିଶାରେ ବିଜେପି ସରକାର ଆରମ୍ଭ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ମୋଦିଙ୍କ ଓଡ଼ିଶା ଗସ୍ତ ବେଶ ସଫଳ ହୋଇଛି । ଓଡ଼ିଶାରେ ନିଶ୍ଚୟ ବିଜେପି ପ୍ରଥମ ଥର ସରକାର ଗଢ଼ିବ । କେନ୍ଦ୍ରରେ ମଧ୍ୟ ପୁଣିଥରେ ମୋଦି ସରକାର ଆସିବ । ଏଥିରେ କଟକବାସୀ ମଧ୍ୟ ଯୋଗଦାନ ଦେବେ । ଲୋକସଭା ସମେତ ଏହା ଅଧିନ ସମସ୍ତ ୭ ବିଧାନସଭା ଆସନ ବିଜେପି ଖାତାକୁ ଯିବ ।"

0 Comments