ଭୁବନେଶ୍ବର: ବିଜେଡି ଛାଡିଲେ ରାସେଶ୍ବରୀ । ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ଟାଣୁଆ ନେତ୍ରୀ ରାସେଶ୍ବରୀ ପାଣିଗ୍ରାହୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ

ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ସଂଗଠନ ସଭାପତିଙ୍କ ଜରିଆରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ସମ୍ବଲପୁରରୁ ଟିକଟ ଆଶାୟୀ ଥିଲେ ରାସେଶ୍ବରୀ । କିନ୍ତୁ ଦଳ ରୋହିତ ପୂଜାରୀଙ୍କୁ ଟିକଟ ଦେବା ପରେ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି । ରାସେଶ୍ବରୀ ଆସନ୍ତା କିଛି ଦିନରେ ବିଜେପିରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ହେଉଛି ।

୨୦୧୪ରୁ ୨୦୧୯ ଯାଏଁ ରାସେଶ୍ବରୀ ପାଣିଗ୍ରାହୀ ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ବିଜେଡି ଟିକେଟରେ ବିଧାୟକ ଥିଲେ । ୨୦୧୯ ନିର୍ବାଚନରେ ସେ ବିଜେପିର ଜୟନାରାୟଣ ମିଶ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୨୪ରେ ସେ ସମ୍ବଲପୁର ଆସନରୁ ଟିକଟ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଅଣଦେଖା କରିଥିଲା । ବିଜେଡି ପକ୍ଷରୁ ଦୁଇ ଥର ଲାଗି ସମ୍ବଲପୁର ବିଧାନସଭା ଆସନ ଘୋଷଣା କରିଥିଲା । ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ସମ୍ବଲପୁର ଟିକଟ ଦେଇଥିଲା । ରେଢାଖୋଲରୁ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଥିଲେ । ପ୍ରସନ୍ନ ଅସନ୍ତୋଷ ବ୍ୟକ୍ତ କରିବାରୁ ଦଳ ଆସନ ଅଦଳବଦଳ କରିଥିଲା । ତାଙ୍କୁ ବଦଳାଇ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଟିକଟ ଦିଆଯାଇଥିଲା । ଏହାପରେ ରସେଶ୍ୱରୀଙ୍କ ଟିକେଟ ଆଶା ଦ୍ଵିତୀୟ ଥର ଲାଗି ଭାଙ୍ଗିଥିଲା । ତେଣୁ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି ।

ସମ୍ବଲପୁର ଟିକଟ ନେଇ ରୋହିତ ଓ ରସେଶ୍ୱରୀଙ୍କ ସମର୍ଥକ ବିଭିନ୍ନ ସମୟରେ ମୁହାଁମୁହିଁ ହୋଇଛନ୍ତି । ଏହାକୁ ସମାଧାନ କରିବା ଲାଗି ଦଳ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକଟ ଦେଇ ରସେଶ୍ୱରୀ ଗୋଷ୍ଠୀଙ୍କୁ ଚୁପ କରିବାକୁ ଚେଷ୍ଟା କରିଥିଲେ । ଟିକଟ ବଦଳିବା ଓ ପୁନର୍ବାର ତାଙ୍କୁ ଅଣଦେଖା କରାଯିବାରୁ ରସେଶ୍ୱରୀ ଅସନ୍ତୁଷ୍ଟ ହୋଇଥିଲେ । ଏବେ ବିଜେଡି ଛାଡି ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

0 Comments