ସମ୍ବଲପୁର: ଆସନ୍ତା 8 ତାରିଖରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏଥିପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀଙ୍କ ମନ୍ଦିରରେ ଜୋର ସୋରରେ ଚାଲିଛି ପ୍ରସ୍ତୁତି । ମନ୍ଦିରରେ ରଙ୍ଗ ବୋଲା ସରିଯାଇଛି । ଏହି କ୍ରମରେ ଆଜି ମା’ ସମଲେଶ୍ୱରୀଙ୍କ ପାଖକୁ ପହଁଚିଛି ନୁଆଁ ଧାନ । ପରମ୍ପରା ମୁତାବକ ଏହି ଧାନକୁ ବଲବସପୁରର ସୁବାଷ ବେହେରା ପ୍ରତ୍ୟେକ ବର୍ଷ ଆଣିଥାନ୍ତି ।

ସମ

୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଇଙ୍କ ପୀଠରେ ପହଂଚିଲା ନୂଆଁଧାନ ବା ସରିଆ ଧାନ । ନୂଆଁଖାଇ ଦିନ ମାଙ୍କ ଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି l ଏହି ନୂଆଁ ଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବେ l ଏହା ପରେ କେଣ୍ଡାରୁ ଧାନ ଅଲଗା କରି ତାର ଚାଉଳ ବାହାର କରିବେ l ପରେ ଗୁଡ ଓ ଘିଅ ଦେଇ ନବାନ୍ନ ଭୋଗ ପ୍ରସ୍ତୁତ କରିବେ l ତେବେ ମାତ୍ର 60 ଦିନରେ ଅମଳ ହେଉଥିବା ଏହି ଧାନ ପାଇଁ ସୁବାଷ ବେହେରାଙ୍କ ପରିବାର ବହୁ ପୂର୍ବରୁ ଚାଷରେ ଲାଗି ପଡିଥାନ୍ତି l

ନୂଆଁଖାଇ ପାଇଁ ସ୍ଥିର ହୋଇସାରିଛି ଶୁଭଲଗ୍ନ । ପଶ୍ଚିମ ଓଡ଼ିଶାର କୃଷି ଭିର୍ତ୍ତିକ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ଶୁଭ ଲଗ୍ନ ନିର୍ଦ୍ଧାରିତ ହୋଇଥିଲା । ଆସନ୍ତା 8 ତାରିଖ ରବିବାର ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସକାଳ ସମୟ 9ଟା 12 ମିନିଟରୁ 9ଟା 27 ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ବା ନୂଆ ଚାଉଳର ଭୋଗ ଅର୍ପଣ ହେବ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଏହି ଲଗ୍ନ ନିର୍ଣ୍ଣୟ କରିଛନ୍ତି । ଏହି ଶୁଭଲଗ୍ନରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେଵୀ ମା' ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଚଢାଯିବା ପରେ ସମଗ୍ର ପଶ୍ଚିମ ଓଡିଶାରେ ଏହି ଶୁଭ ଲଗ୍ନ ଅନୁସାରେ ନୂଆଁଖାଇ ପର୍ବ ପାଳନ ହୋଇଥାଏ । ପରେ ଘରେ ଘରେ ଲୋକେ ନୂଆ ଚାଉଳ ର ଭୋଗ ଖାଇ ନୂଆଖାଇ ପର୍ବ ପାଳନ କରିବେ ।

ଆସନ୍ତା 9 ତାରିଖକୁ ଛୁଟି ଘୋଷଣା କରାଯାଇଛି । ସେପ୍ଟେମ୍ବର 8ରେ ପଡୁଛି ନୂଆଖାଇ । ହେଲେ ସେଦିନ ରବିବାର ପଡୁଥିବାରୁ ତା ପରଦିନ ଅର୍ଥାତ 9 ତାରିଖରୁ ଛୁଟି ଘୋଷଣା କରାଯାଇଛି । ସେଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀ, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେପଟେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇସାରିଥିବା ବେଳେ ଉତ୍ସବ ମୁଖର ପୂରା ପଶ୍ଚିମ ଓଡିଶା । ନୂଆଖାଇ ପାଳିବାକୁ ସମସ୍ତେ ଚାତକ ଭଳି ଚାହିଁ ରହିଥିବା ବେଳେ ଘରେ ଘରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ନୂଆ ଖାଇବେ ସମସ୍ତେ, ଆଉ ପରସ୍ପରକୁ କହିବେ ନୂଆଖାଇ ଜୁହାର ।

0 Comments