ପାଟନା (ବିହାର): ସରିଛି ନିର୍ବାଚନ, ଗଠନ ହେବ ନୂଆ ସରକାର । ବିହାରରେ ନୂଆ ସରକାର ଗଠନ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପାଟନା ନିକଟ ଗାନ୍ଧୀ ମୈଦାନକୁ 4 ଦିନ ପାଇଁ ସର୍ବସାଧାରଣଙ୍କ ପାଇଁ କଟକଣା ଜାରି କରାଯାଇଛି । ସେପଟେ କ୍ୟାବିନେଟ ବୈଠକ ଶେଷ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଭେଟିଛନ୍ତି । ଆସନ୍ତାକ
ଲି ଏନଡିଏ ମେଣ୍ଟ ଦଳଗୁଡ଼ିକର ବୈଠକ ବସି ନୀତିଶ କୁମାରଙ୍କୁ ଆନୁଷ୍ଠାନିକ ଭାବେ ନେତା ନିର୍ବାଚିତ କରିବାର ସମ୍ଭାବନା ରହିଛି ।
କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ପରେ ସିଧାସଳଖ ପାଟନା ସ୍ଥିତ ନିଜ ବାସଭବନ ଫେରିଥିଲେ । ନଭେମ୍ବର 19 ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ଏହି ଦିନ ବିଧାନସଭା ଭଙ୍ଗ କରାଯିବ । ଏହାପରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ ।
ବୁଧବାର (ନଭେମ୍ବର 19) ଜେଡିୟୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ନଭେମ୍ବର 20ରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବାକୁ ଯାଉଛି । ପାଟନା ଗାନ୍ଧୀ ମୈଦାନରେ ଶପଥ ଗ୍ରହଣ ସମାରୋହ ପ୍ରସ୍ତୁତି ଜୋରଦାର ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏନଡିଏ ଶାସନାଧିନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ ତଥା ପ୍ରମୁଖ ନେତାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ।
ବିହାର ବିଧାସନଭା ନିର୍ବାଚନରେ ଏନଡିଏର ପ୍ରଚଣ୍ଡ ବିଜୟ ହାସଲ ପରେ ନଭେମ୍ବର 20ରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବାକୁ ଯାଉଛି । 243 ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରେ 202 ଆସନରେ ଏନଡିଏ ବିଜୟ ଲାଭ କରିଛି । ମହାଗଠବନ୍ଧନ ହାତରେ ରହିଛି ମାତ୍ର 35ଟି ଆସନ ।
ଜେଡିୟୁ ସଭାପତି ନୀତିଶ କୁମାର ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । 20 ବର୍ଷ ମଧ୍ୟରେ ସେ 10ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । 2005ରେ ସେ ପ୍ରଥମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।