ଭୁବନେଶ୍ୱର: ୨୦୩୬ ସୁଦ୍ଧା ଓଡିଶା ହେବ ସମୃଦ୍ଧ ଓଡିଶା । ଏହି ପରିକଳ୍ପନାରେ ଆଜି ଶୁଭାରମ୍ଭ ହୋଇଛି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ରାଜ୍ୟର ସମୃଦ୍ଧିରେ ଏହି ଯୋଜନା ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବ । କାରଣ ଆଜିର ବିଦ୍ୟାର୍ଥୀ ଆସନ୍ତାକାଲିର ନାଗରିକ ଓ ରାଷ୍ଟ୍ର ନିର୍ମାତା । ବିଦ୍ୟାର୍ଥୀଙ୍କ ପାଠପଢ଼ାର ମୂଳଦୁଆକୁ ସଶକ୍ତ କରିବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ବିକଶିତ ଓଡ଼ିଶା ଓ ବିକଶିତ ଭାରତ ପାଇଁ ଏହା ଏକ ମାଇଲଖୁଣ୍ଟ । ବାଣପୁରରେ ରାଜ୍ୟସ୍ତରୀୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ୩୦ଟି ଜିଲ୍ଲାପାଇଁ ୧୧୮ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।
ବୁଧବାର ବାଣପୁର ମାଟିରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ତାପନ କରି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ପର୍ଯ୍ୟାୟରେ ୨୨୦୦ ଆଦର୍ଶ ବିଦ୍ୟାଳୟ ପାଇଁ ୧୨ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଓଡିଶାରେ ପ୍ରାଥମିକ ଶିକ୍ଷାର ଗରିମାମୟ ଅଧ୍ୟାୟ ଆରମ୍ଭ ହୋଇଥିବା ବେଳେ ବିକଶିତ ଓଡିଶା, ବିକଶିତ ଭାରତ ପାଇଁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗୋଦାବରୀଶ ମିଶ୍ର ଆଦର୍
ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ୪ ବର୍ଷରେ ରାଜ୍ୟର ପଞ୍ଚାୟତ ଗୁଡିକରେ ୨୨ ଶହ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଗୋଦାବରୀଶ ମିଶ୍ର ଏକାଧାରରେ ଥିଲେ ଜଣେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଲେଖକ ଓ ଶିକ୍ଷାବିତ । ତାଙ୍କ ନାଁ'ରେ ନାମିତ ଏହି ଆଦର୍ଶ ବିଦ୍ୟାଳୟ ଯୋଜନା ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର କାୟାକଳ୍ପ କରିବାରେ ସଫଳ ହେବ । ଏହି ଯୋଜନାରେ ପିଲାମାନଙ୍କୁ ଗୁଣାତ୍ମକ ମାନର ଶିକ୍ଷା ମିଳିବା ସହିତ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସୁଦୃଢ ହେବ ।
ପଣ୍ତିତ ଗୋଦାବରୀଶଙ୍କର ଏହି ମହତ ଭାବନାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରସ୍ତୁତ କରାଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗୀର, କେନ୍ଦୁଝର, ନବରଙ୍ଗପୁର ଏବଂ ପୁରୀ ଜିଲ୍ଲାରୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମୁଖ୍ୟମନ୍ତ୍ରୀଙ୍କର ଏହି ମହତ୍ତ୍ୱକାଂକ୍ଷୀ ଯୋଜନା ପାଇଁ ଭିସି ଜରିଆରେ ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ ଥିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ, ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ, ଜିଲ୍ଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ ଓ ଓସେପାର ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ରୁତୁରାଜ ପ୍ରମୁଖ ଉପସ୍ଥିତ ଥିଲେ ।