ଖୋର୍ଦ୍ଧା: ବିଦେଶୀ ଭାଷାରେ ପ୍ରଶିକ୍ଷଣ ପାଇବେ ଓଡ଼ିଆ ଯୁବକ-ଯୁବତୀ । ଫଳରେ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ପାଇବାର ସୁଯୋଗ ବଢ଼ିବ । ଏଥିପାଇଁ ସ୍କିଲ୍ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍ (SDI) ଭୁବନେଶ୍ୱରରେ ନାସନାଲ୍ ସ୍କିଲ୍ ଡେଭେଲପମେଣ୍ଟ୍ କର୍ପୋରେସନ୍(NSDC)ର ସହଯୋଗରେ ଆନ୍ତର୍ଜାତୀୟ ଭାଷା ପ୍ରଶିକ୍ଷଣ କେନ୍ଦ୍ରର ଉଦ୍‌ଘାଟନ ହୋଇଛି । ଏହାସହ 'ସ୍କିଲ୍ ଅନ୍ ହ୍ୱିଲ୍' ବା କୌଶଳ ରଥର ମଧ୍ୟ ଶୁଭାରମ୍ଭ କରାଯାଇଛି । ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମିଶନ ସ୍କିଲ ଇଣ୍ଡିଆର ପରିକଳ୍ପନାକୁ ରାଜ୍ୟପାଳ ପ୍ରଶଂସା କରିଛନ୍ତି । ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ପ୍ରଗତିଶୀଳ ପ୍ରୟାସ ଉପରେ ଆଲୋକପାତ କରିଛନ୍ତି । ଏହାସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନକୁ ପ୍ରଶଂସା କରି ତାଙ୍କୁ ଜାତୀୟ ସ୍ତରରେ ପ୍ରଶଂସା ପାଇଥିବା ଏସ୍.ଡି.ଆଇ. ଭୁବନେଶ୍ୱରର ସ୍ଥପତି ବୋଲି ଅଭିହିତ କରିଛନ୍ତି । ରାଜ୍ୟପାଳ କହିଛନ୍ତି ଯେ, ଏହି ବିଶ୍ୱସ୍ତରୀୟ କ୍ୟାମ୍ପସ ଐତିହାସିକ ବରୁଣେଇ ପାହାଡ଼ର ପାଦଦେଶରେ ୪୭ ଏକର ପରିମିତ ଜମିରେ ୫୦୦ କୋଟି ଟଙ୍କାର ନିବେଶ ସହିତ ବିକଶିତ ହୋଇ କୌଶଳ ପ୍ରଶିକ୍ଷଣର ଉତ୍କୃଷ୍ଟତାର ଏକ ମଡେଲ୍ ଭାବରେ ଉଭା ହୋଇଛି । SDI ଭୁବନେଶ୍ୱର ଇଞ୍ଜିନିୟରିଂ, ପଲିଟେକନିକ୍ ଏବଂ ଆଇଟିଆଇ ସ୍ନାତକଧାରୀଙ୍କ ପାଇଁ ଏହା ବିଶେଷ ସହାୟକ ହୋଇଛି ।

ଏହି ଅବସରରେ ରାଜ୍ୟାପାଳ ଡକ୍ଟର ହରି ବାବୁ କମ୍ଭମପାଟି କହିଛନ୍ତି, "ଆନ୍ତର୍ଜାତୀୟ ଭାଷା ପ୍ରଶିକ୍ଷଣ କେନ୍ଦ୍ର NSDCର ପ୍ରୟାସରେ ଆଜି ଆରମ୍ଭ ହୋଇଛି । ଯେଉଁ ଏକାଡେମୀ ଆମର ଯୁବଶକ୍ତିଙ୍କୁ ବିଦେଶୀ ଭାଷାର ପ୍ରଶିକ୍ଷଣ ଦେଇ ସେମାନଙ୍କ ପାଇଁ ଅନ୍ତର୍ଜାତୀୟ ସୁଯୋଗକୁ ବ୍ୟାପକ କରିଛି । ସେମାନଙ୍କୁ ଭବିଷ୍ୟତର କ୍ୟାରିୟରରେ ସୁଯୋଗ ଦେବା ପାଇଁ ସବୁପ୍ରକାର ସହଯୋଗ ମଧ୍ୟ ପ୍ରଦାନ କରାଯିବ । ସେହିପରି ଉଦଘାଟିତ କୁଶଳ ରଥ ଏକ ମୋବାଇଲ୍ ପ୍ରଶିକ୍ଷଣ ୟୁନିଟ୍ । ଆଗ

ାମୀ ଦିନର ପରିବର୍ତ୍ତିତ ଦୁନିଆରେ ନୂତନ ଟେକ୍ନୋଲୋଜି ଓ ସ୍କିଲ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଆଯାଇଥିବା ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ । ଅତ୍ୟାଧୁନିକ ଉପକରଣରେ ସୁସଜ୍ଜିତ ଏହି ସ୍କିଲ୍ ରଥ ଯୁବବର୍ଗଙ୍କ ଦକ୍ଷତାକୁ ବଢାଇବ । SDI ଭୁବନେଶ୍ୱର ଜାତୀୟ ସ୍ତରରେ ଏକ କୌଶଳ ଏକାଡେମୀ ଭାବେ ଆଗକୁ ବଢ଼ିବ ଏବଂ ଓଡିଶାକୁ ଅଧିକ ଗୌରବନ୍ନିତ କରିବାରେ ସକ୍ଷମ ହେବ ।"

ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ସ୍ୱାଇଁ, SDI ଭୁବନେଶ୍ୱର ପ୍ରତିଷ୍ଠା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କଳ୍ପନାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, "NSDC ଓ SDI ଭୁବନେଶ୍ବରର ମିଳିତ ଉଦ୍ୟମରେ ଏକ ଇଣ୍ଟରନ୍ୟାସନାଲ ଏକାଡେମୀର ଶୁଭାରମ୍ଭ କରାଗଲା । ଯେଉଁଠି ବିଦେଶୀ ଭାଷାରେ ପ୍ରଶିକ୍ଷଣ ଦିଆଯିବ । ବିଦେଶୀ ଭାଷାରେ ପ୍ରଶିକ୍ଷଣ ପାଇ ଓଡ଼ିଆ ଯୁବକ-ଯୁବତୀମାନେ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ପାଇବାର ସୁଯୋଗ ପାଇବେ । ଏହାସହ ସ୍କିଲ ଅନ ହ୍ବିଲ ରଥର ଶୁଭାରମ୍ଭ କରାଯାଇଛି । ଏହା ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଦକ୍ଷତା ବିକାଶ ସହ ଯୁବକମାନଙ୍କୁ ଯୋଡିବାରେ ସହାୟକ ହେବ । ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭିଜନ ଅଛି । ଯେତେବେଳେ ଓଡ଼ିଶାର ଯୁବକମାନଙ୍କ ଦକ୍ଷତା ବୃଦ୍ଧି ହେବ ଓ ସେମାନେ ଦକ୍ଷ ହେବେ ସେତେବେଳେ ସମୃଦ୍ଧ ଓଡ଼ିଶା ଗଠନ ସଫଳ ହେବ । ଏବି ଅନୁଷ୍ଠାନ ମାଧ୍ୟମରେ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ନୂଆନୂଆ ଧର୍ମପଦ ତିଆରି ହେଉଛନ୍ତି । ଓଡିଶାକୁ ପୂର୍ବ ଭାରତର କୌଶଳ କେନ୍ଦ୍ରରେ ପରିଣତ କରାଯିବ ।"

ଏହି ଅବସରରେ ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ସହ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଭୂପେନ୍ଦ୍ର ସିଂହ ପୁନୀଆ, ଏସଡିଆଇ ଭୁବନେଶ୍ୱରର ଚେୟାରମ୍ୟାନ ରଶ୍ମି ଗୋଭିଲ, ଆଇଓସିଏସର ଏଚଆର୍ ନିର୍ଦ୍ଦେଶକ, ଏନଏସଡିସି ଓ ଦକ୍ଷତା ବିକାଶ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

0 Comments