ଶିକ୍ଷା ସୋପାନ, କାନପୁର ଆନୁକୁଲ୍ଯରେ ଶିକ୍ଷା ଓ ଅନୁସନ୍ଧାନ ସହଭାଗିତାରେ ବିଶ୍ୱବିଦ୍ୟାଳୟର ଅଡିଟୋରିମ ଓ ପରିସରରେ ଆୟୋଜିତ ଦୁଇ ଦିବସୀୟ ରାଜ୍ଯ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ଯଶାଳାରେ ମୁଖ୍ଯ ଅତିଥି ଓ ବିଶେଷଜ୍ଞ ପ୍ରଶିକ୍ଷକ ଭାବେ ଯୋଗଦେଇ ଆଇ ଆଇ ଟି କାନପୁରର ପ୍ରାକ୍ତନ ପ୍ରଫେସର ପଦ୍ମଶ୍ରୀ ହରିଶ୍ଚନ୍ଦ୍ର ବର୍ମା କହିଲେ ଆମ ଚାରିପାଖରେ ଅବସ୍ଥିତ ପଦାର୍ଥ ବ୍ଯବହାର ପୂର୍ବକ ସଚରାଚର ଜଗତକୁ ପରିଚାଳିତ କରୁଥିବା ଗହନ ବୈଜ୍ଞାନିକ ତତ୍ତ୍ବ ସବୁକୁ ବୁଝିହେବ। ଆମ ଚତୁର୍ପାଶ୍ୱର ପ୍ରାକୃତିକ ଘଟଣା ପ୍ରତି ଜିଜ୍ଞାସା ଆମକୁ ପରୀକ୍ଷଣମନସ୍କ କରେ ଓ ପରୀକ୍ଷଣ ଆମକୁ ପ୍ରାକୃତିକ ନିୟମ ସବୁ ସ୍ପଷ୍ଟ ଭାବରେ ବୁଝାଇ ଥାଏ। ପ୍ରଫେସର ବର୍ମା ଭାରତୀୟ ପଦାର୍ଥ ବିଜ୍ଞାନ ଶିକ୍ଷକ ସଂଘ (ଆଇ.ଏ.ପି.ଟି) ଦ୍ୱାରା ପରିଚାଳିତ ନାସନାଲ ଅନ୍ୱେଷିକା ଏକ୍ସପେରିମେଣ୍ଟାଲ ସ୍କିଲ ଟେଷ୍ଟ ପରୀକ୍ଷା ବିଷୟରେ ସମ୍ଯକ ସୁଚନା ଦେବା ସହ ଲର୍ଣ୍ଣିଂ ଫିଜିକ୍ସ ଥ୍ରୁ ନେଚର ବିଷୟରେ କହିଥିଲେ। କାର୍ଯ୍ଯକ୍ରମ ଅଧ୍ଯକ୍ଷ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର, ଡଃ ଲମ୍ବୋଦର ପ୍ରସାଦ ସିଂ ପ୍ରକୃତି ସମସ୍ତ ମାନବୀୟ ସର୍ଜନାର ପ୍ରେରଣାର ଉତ୍ସ, ସେ ସାହିତ୍ୟ ହେଉ କି ଦର୍ଶନ ବା ବିଜ୍ଞାନ। ପ୍ରଶ୍ନ ହିଁ ବିଜ୍ଞାନର ବୀଜ ଯାହା କଳ୍ପବଟ ପରି ବିଶାଳ ପ୍ରକୃତିକୁ ସଠିକ୍ ଭାବେ ବୁଝାଇ ଥାଏ। ତେଣୁ ଆମେ ପରୀକ୍ଷଣ ମାଧ୍ୟମରେ ପ୍ରକୃତିକୁ ବୁଝିବା ପାଇଁ ପ୍ରଚେଷ୍ଟା କରିବା ଉଚିତ୍। ଆଇଜର, କୋଲକାତାର ପ୍ରାକ୍ତନ ନିର୍ଦ୍ଦେଶକ ଓ କର୍ମଶାଳା ଉପାଧ୍ଯକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପାଣିଗ୍ରାହୀ କହିଲେ ଯେ ପ୍ରକୃତି ହିଁ ବାସ୍ତବରେ ଆମ ଶିକ୍ଷକ। ମୟୁରର ପୁଛର ବର୍ଣ୍ଣାଳୀ, ଲାଜକୁଳୀ ଲତା ପତ୍ର ମୁଦି ହେବା ଓ ଖୋଲିବ
, ପଦ୍ମପତ୍ରରେ ଢଳ ଢଳ ସୁଢ଼ଳ ଜଳ କଣ ଆମ ମନରେ ଜିଜ୍ଞାସା ଅଙ୍କୁରିତ କରେନାହିଁ? ଏଇ ଜିଜ୍ଞାସା ଆମକୁ ବାଟ କଢାଇ ନେବ ନୂତନ ଉଦ୍ଭାବନ ନିକଟକୁ। କର୍ମଶାଳା ଉପାଧ୍ଯକ୍ଷ ଓ ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ଡଃ ପୁରେନ୍ଦ୍ର କୁମାର ଦାଶ ସ୍ୱାଗତ ବକ୍ତବ୍ଯରେ ସମାଜରେ ବିଜ୍ଞାନ ମନସ୍କତା ଉନ୍ମେଷ ଉପରେ ଗୁରୁତ୍ୱାରୋପ କରିଥିବା ବେଳେ, ଭାଇସପ୍ରିନିସିପାଲ ଡଃ ଅର୍ଜୁନ ସାହୁ ପରୀକ୍ଷଣର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। କାର୍ଯ୍ଯକ୍ରମ ଆବାହକ ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହିମାଚଳ ପ୍ରଦେଶର ଅଧ୍ଯାପକ ଡଃ ଗୌରୀଶଙ୍କର ସାହୁ ଧନ୍ଯବାଦ ଅର୍ପଣ ପୂର୍ବକ ଓଡିଶାର ଗୌରବାଜ୍ୱଳ ବୈଜ୍ଞାନିକ ପରମ୍ପରା ବିଷୟରେ ସମ୍ଯକ ସୂଚନା ପ୍ରଦାନ କରିଥିଲେ। ଶିକ୍ଷା ସୋପାନ, କାନପୁରର ବିଜ୍ଞାନ ସଂଯୋଜକ ରଞ୍ଜନ କୁମାର, ବିଶେଷଜ୍ଞ ହେମନ୍ତ ବର୍ମା, ଅନ୍ୱେଷିକାର ରାଜ୍ଯ ସଂଯୋଜିକା ଡଃ ରାଜଶ୍ରୀ ମହାପାତ୍ର ଦୁଇଦିନ ଧରି ଡଃ ବର୍ମାଙ୍କ ନେତୃତ୍ବରେ ପ୍ରତିଭାଗୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।କାର୍ଯ୍ଯଶାଳାରେ ରାଜ୍ଯର ଉଚ୍ଚ ମହାବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ୯୧ (ଏକାନବେ) ଜଣ ଅଧ୍ଯାପକ ଓ ଶିକ୍ଷକ ପ୍ରଶିକ୍ଷଣ ନେଇଥିଲେ। ଆଇ. ଆଇ. ଟି. କାନପୁରର ପ୍ରାକ୍ତନ ପ୍ରଫେସର ଡଃ ଅସୀମା ପ୍ରଧାନ ଓ ଓଡିଶା ଫିଜିକାଲ ସୋସାଇଟିର ସଭାପତି ପ୍ରଫେସର ସ୍ନିଗ୍ଧା ମିଶ୍ର, ପ୍ରଫେସର ହରିହର ମିଶ୍ର ପ୍ରତିଭାଗୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ। ସଞ୍ଜୟ କୁମାର ପଟ୍ଟନାୟକ, ସୌଭାଗ୍ୟ ସ୍ୱାଇଁ, ଅଶୋକ କୁମାର ସର୍କାର, ଅଧ୍ଯାପକ ବିଭୁଦତ୍ତ ଦାଶ, ଅଧ୍ଯାପକ ରାକେଶ କୁମାର, ଅଧ୍ଯାପକ ଦିଲ୍ଲିପ ସାହୁ, ଅଧ୍ଯାପକା ବିଜୟିନୀ ତ୍ରିପାଠୀ, ଅଧ୍ଯାପିକା ଶୁଭଶ୍ରୀ ମହାନ୍ତି ଓ ସୋଆର ଅଧ୍ଯାପକ ମାନେ କାର୍ଯକ୍ରମ ସଂଯୋଜନା କରିଥିଲେ।