ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ଧାରା ୩୭୦ ଉଚ୍ଛ
ଦ, ଜମ୍ମୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ଅପସାରଣ, ବିହାର ନିର୍ବାଚନ ତାଲିକା ସଂଶୋଧନ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଐତିହାସିକ ରାୟ ଏବଂ ଆଦେଶର ସହ ଜଡ଼ିତ ଥିବା ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଆଜି ତାଙ୍କୁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏହି ପଦର ଶପଥ ପାଠ କରାଇଛନ୍ତି ।
ଚଳିତ ମାସ ସିଜେଆଇ ବି ଆର ଗଭାଇଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଆଜି ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ । ସେ ପ୍ରାୟ 15 ମାସ କାର୍ଯ୍ୟ କରିବା ପରେ 2027 ଫେବୃଆରୀ 9ରେ ଅବସର ଗ୍ରହଣ କରିବେ । ବିଚାରପତି ସୂର୍ଯ୍ୟକାନ୍ତ 2019 ମସିହା ମେ’ 24 ତାରିଖରେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।
ଜଷ୍ଟିସ ସୂର୍ଯ୍ୟକାନ୍ତ 1962 ମସିହା ଫେବୃଆରୀ 10ରେ ହରିୟାଣା ରାଜ୍ୟର ହିସାର ଜିଲ୍ଲାରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । 1981ରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ କଲେଜରୁ ସେ ସ୍ନାତକ ହାସଲ କରିଥିଲେ । ଏହାପରେ ସେ 1984ରେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ସେହି ବର୍ଷ ହିସାଲ ଜିଲ୍ଲା କୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ । 1985ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଅଭ୍ୟାସ କରିଥିଲେ । ସେ ସାମ୍ବିଧାନିକ, ସେବା ଓ ଦେଓ୍ବାନୀ ମାମଲାରେ ଅଭିଜ୍ଞତା ହାସଲ କରିଛନ୍ତି । ଅନେକ ବିଶ୍ୱବିଦ୍ୟାଳୟ, ବୋର୍ଡ, ନିଗମ, ବ୍ୟାଙ୍କ ଏବଂ ହାଇକୋର୍ଟରେ ପ୍ରତିନିଧିତ୍ୱ କରିଛନ୍ତି ।