ଭୁବନେଶ୍ବର: ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ । 18ଟି ସ୍ଥାନରେ 10 ଡିଗ୍ରୀରୁ ତଳକୁ ଖସିଲା ପାରଦ । ସାମାନ୍ୟ ତ୍ରାହି ପରେ ପୁଣି ରାଜ୍ୟକୁ ଫେରିଲା ଶୀତ ଲହରୀ । ଆଗାମୀ 3 ଦିନ ପର୍ଯ
୍ୟନ୍ତ ରାଜ୍ୟରେ ଜାରି ରହିବ ଶୀତ ଲହରୀ । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର 15ଟି ସ୍ଥାନରେ ତାପମତ୍ରା 10 ଡିଗ୍ରୀରୁ କମ୍ ରହିଥିଲା ।
ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନାହିଁ । ଯାହା ଫଳରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ । ତେଣୁ ପୁଣି ଥରେ ଜାଡ଼ ବା ପ୍ରବଳ ଶୀତ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟରେ ପ୍ରବଳ କୁହୁଡି ଦୃଶ୍ୟମାନ ହେଉଥିବା ବେଳେ ଆହୁରି 3 ଦିନ ପର୍ଯ୍ୟନ୍ତ ଶୀତ ପ୍ରବାହ ଜାରି ରହିବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।
ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ, କଟକ, ଜଗତସିଂହପୁର, କୋରାପୁଟରେ ଶୀତ ପ୍ରବାହ ଜାରି ରହିବା ପାଇଁ ଏହି 6ଟି ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ଓ ପରଦିନ ପାଇଁ ମଧ୍ୟ ଏହି 6ଟି ଜିଲ୍ଲାକୁ ଶୀତ ପ୍ରବାହ ଜାରି ରହିବା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
7 ଜାନୁଆରୀ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ରାଜ୍ୟର 18ଟି ସ୍ଥାନରେ ତାପମାତ୍ରା 10 ଡିଗ୍ରୀରୁ କମ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ସେହିପରି ଆସନ୍ତା 24 ଘଣ୍ଟାରେ ମଧ୍ୟ ରାଜ୍ୟର 17ଟି ସ୍ଥାନରେ ପାରଦ 10 ଡିଗ୍ରୀରୁ କମ୍ ରହିବ । ଏହା ସହିତ ଅନେକ ସ୍ଥାନରେ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିବ । ବୌଦ୍ଧ, ନୟାଗଡ଼, କନ୍ଧମାଳ, କୋରାପୁଟ ଆଦି ସ୍ଥାନରେ ଆଗାମୀ 24 ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ଦେଖି ଯିବାର ଚେତାବନୀ ଦେଇଛି ପାଣିପାଗ ବିଭାଗ ।