ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବଢୁଥିବା ଅତ୍ୟାଚାରକୁ ନେଇ ସାରା ଦେଶରେ ଆକ୍ରୋଶର ଅଗ୍ନି ବ୍ୟାପିବାରେ ଲାଗିଛି । ହିନ୍ଦୁଙ୍କ ଉପରେ ବଢୁଥିବା ଅତ୍ୟାଚାର ଓ ଦିପୁ ଚନ୍ଦ୍ର ଦାସ ନାମକ ଏକ ହିନ୍ଦୁ ଯୁବକଙ୍କୁ ସର୍ବସାଧାରଣରେ ପିଟି ପିଟି ହତ୍ୟା ଘଟଣାକୁ ନେଇ ସାରା ଭାରତରେ କ୍ରୋଧ ବଢୁଛି । ବାଂଲାଦେଶରେ ମୃତ ଯୁବକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦିଲ୍ଲୀ ସ୍ଥିତ ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନକାରୀ ନିଜର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନରେ ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ହିନ୍ଦୁ ଜାଗରଣ ମଞ୍ଚ ଓ ସର୍ବ ଭାରତୀୟ ହିନ୍ଦୀ ବଙ୍ଗାଳୀ ସଂଗଠନ ଯୋଗ ଦେଇଥିଲେ । ବାଂଲାଦେଶରେ ହେଉଥିବା ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ସ୍ବର କେବଳ ଦେଶର ରାଜଧାନୀ ନୁହେଁ ବରଂ ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଦେଖିବାକୁ ମିଳି

ଛି ।

ଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ସଦସ୍ୟ ମଙ୍ଗଳବାର ସକାଳେ ଏକତ୍ରିତ ହୋଇଥିଲେ । ଏହି ମାମଲାରେ ବିକ୍ଷୋଭ ପ୍ରଦର୍ଶନ କରି ଆଗକୁ ବଢିବାରୁ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ହେଲେ ମଧ୍ୟାହ୍ଣ ସୁଦ୍ଧା ପ୍ରଦର୍ଶନକାରୀ ଏହି ସମସ୍ତ ବ୍ୟାରିକେଡ଼ ଭାଙ୍ଗି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଦିଲ୍ଲୀ ପୋଲିସ ଓ ପାରାମିଲିଟାରୀ ଜବାନଙ୍କ ବହୁ ସ୍ତରୀୟ ସୁରକ୍ଷା ବଳୟକୁ ଲଙ୍ଘିବାରେ ବିଫଳ ହୋଇଥିଲେ ।

ପ୍ରଦର୍ଶନକାରୀଙ୍କ ଭିଡ଼ ବଢିବା ସହିତ "ଭାରତ ମାତା କି ଜୟ", "ୟୁନୁଶ ସରକାର ହୋସ ମେ ଆଓ", "ହିନ୍ଦୁ ହତ୍ୟା ବନ୍ଦ କର" ଭଳି ସ୍ଲୋଗାନ ଶୁଣିବାକୁ ମିଳିଥିଲା । ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ଚାଲିଥିବା ବେଳେ ମହିଳାଙ୍କ ସୁରକ୍ଷା ନେଇ ଜଣେ ପ୍ରଦର୍ଶନକାରୀ ଚିନ୍ତା ପ୍ରକଟ କରିଥିଲେ । ହାଇକମିଶନଙ୍କ କାର୍ଯ୍ୟାଳୟ ବାହାରେ ଦେଖା ଦେଇଥିବା ପ୍ରଦର୍ଶନରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସେହି ପରି ଦୁର୍ଗାବାଇ ଦେଶମୁଖ ମେଟ୍ରୋ ଷ୍ଟେସନର ଦକ୍ଷିଣ କ୍ୟାମ୍ପସରେ ସମାନ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ପଶ୍ଚିମବଙ୍ଗର ସିଲିଗୁଡ଼ି ଠାରେ ହିନ୍ଦୁ ଜାଗରଣ ମଞ୍ଚ ଓ ବିଶ୍ବ ହିନ୍ଦୁ ପରିଷଦର ସଦସ୍ୟମାନେ ବାଂଲାଦେଶ ଭିସା ସେଣ୍ଟର ସାମ୍ନାରେ ମଙ୍ଗଳବାର ପ୍ରଦର୍ଶନ କରିଛନ୍ତି । ସେହିପରି ହାଇଦ୍ରାବାଦର କୋଠାପେଟ ଅଞ୍ଚଳରେ ବିଶ୍ବ ହିନ୍ଦୁ ପରିଷଦ ଓ ଅନ୍ୟାନ୍ୟ ହିନ୍ଦୁ ସଂଗଠନ ମାନେ ମିଶି ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି ।

ବାଂଲାଦେଶର ମାଇମେନସିଂ ଠାରେ ଗତ ଡିସେମ୍ବର 18 ତାରିଖରେ 27 ବର୍ଷୀୟ ହିନ୍ଦୁ ଯୁବକ ଦିପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରାଯିବା ପରେ ଏପରି ଆକ୍ରୋଶ ସାମ୍ନାକୁ ଆସିଥିଲା । ଧର୍ମନିନ୍ଦା ଅଭିଯୋଗରେ ଏକ ଦଳ ତାଙ୍କୁ ମାଡ଼ ମାରି ହତ୍ୟା କରିବା ପରେ ତାଙ୍କୁ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ । ଏହି ଘଟଣା ପରେ ଭାରତରେ ଓ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି ।


0 Comments