ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭା ବୈଠକ ମାର୍ଚ୍ଚ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ବେଙ୍ଗାଲୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଗୃହିତ ପ୍ରସ୍ତାବ ଅନୁଯାୟୀ ବାଂଲାଦେଶର ଅତ୍ୟାଚାରିତ ହିନ୍ଦୁ ସମାଜ ସହିତ ସମସ୍ତେ ଏକଜୁଟ ହୋଇ ଠିଆ ରହିବା ଉଚିତ ବୋଲି ସଂଘର ପ୍ରାନ୍ତ ସଂଘଚାଳକ ସମୀର କୁମାର ମହାନ୍ତି ଆଜିର ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଏହି ସଭାରେ ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟର ଦିବଙ୍ଗତ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ନିମନ୍ତେ ଏକ ଶୋକ ପ୍ରସ୍ତାବ ଗୃହିତ ହୋଇଥିଲା । ଏଥିମଧ୍ୟରୁ ଓଡ଼ିଶାର ସିନେ କଳାକାର ଉତମ ମହାନ୍ତି, ରାଜନେତା ଡ଼ଃ ଦେବେନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ପ୍ରଶାସକ ଏବଂ ପ୍ରସିଦ୍ଧ କବି ଶ୍ରୀଯୁକ୍ତ ରମାକାନ୍ତ ରଥ ଅନ୍ୟତମ । ଏହି ପ୍ରତିନିଧି ସଭାର ବିବରଣୀ ଅନୁଯାୟୀ ସମଗ୍ର ଦେଶରେ ୧ ଲକ୍ଷ ୧୫ ହଜାର ୨୭୬ଟି ଶାଖା(ଦୈନିକ ଓ ସାପ୍ତାହିକ) ଚାଲୁଛି ସେଥିମଧ୍ୟରୁ ଓଡ଼ିଶାରେ ୨୮୪୩ ଶାଖା ଅଛି । ଏହି ସଭାରେ ଉକ୍ତ ପ୍ରସ୍ତାବ ଗୃହିତ ହେବା ସହିତ ଏକ ବକ୍ତବ୍ୟ ମଧ୍ୟ ଜାରି କରାଯାଇଛି ।
ପ୍ରସ୍ତାବଟି ହେଉଛି ବାଂଲାଦେଶରେ କ୍ଷମତା ପରିବର୍ତନ ପରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ଇସଲାମିକ ମୌଳବାଦୀଙ୍କ ଦ୍ୱାରା ହୋଇଥିବା ଅତ୍ୟାଚାର ପ୍ରତି ସଂଘ ଗଭୀର ଚିନ୍ତାପ୍ରକଟ କରିଛି । ମୌଳବାଦୀମାନଙ୍କର ଦୁର୍ଗା ମଣ୍ଡପ ଉପରେ ଆକ୍ରମଣ, ବଳପୂର୍ବକ ଧର୍ମାନ୍ତରୀକରଣ ତଥା ମହିଳାମାନଙ୍କ ପ୍ରତି ଅକଥନୀୟ ଅତ୍ୟାଚାର ଘଟଣା ଅତ୍ୟନ୍ତ ଦୁଃଖର ବିଷୟ । ବଙ୍ଗଳାଦେଶର ପୀଡିତମାନଙ୍କ ସମର୍ଥନରେ ସଂଘ ଦୃଢ଼ ଭାବରେ ଠିଆ ହୋଇଛି । ସେଠାରେ ଭାରତ ବିରୋଧୀ ବାତାବରଣ ତିଆରି କରୁଥିବା ପାକିସ୍ତାନ ଓ ୟରରକ୍ଟ୍ର ଗ୍ଦଗ୍ଧବଗ୍ଧର ର ଭୂମିକା ପ୍ରତି ସତର୍କ ରହିବା ପାଇଁ ଦେଶବାସୀଙ୍କୁ ପ୍ରତିନିଧି ସଭା ଆହ୍ୱାନ ଦେଇଛି । ଏହା ସହିତ ଅନ୍ୟ କୌଣସି ଦେଶରେ ମଧ୍ୟ ଏମାନଙ୍କର କାର୍ଯ୍ୟକଳାପ ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ସଂଘ ପରାମର୍ଶ ଦେଇଛି । ବାଂଲାଦେଶର ହିନ୍ଦୁ ସମାଜ ଏହି ଅତ୍ୟାଚାର ବିରୁଦ୍ଧରେ ଗଣତାନ୍ତ୍ରିକ ଉପାୟରେ ବିରୋଧ କରିଛନ୍ତି ଏବଂ ପୃଥବୀର ଅନ୍ୟ ଦେଶରେ ମଧ୍ୟ ଏହାର ବିରୋଧ ହୋଇଛି । ପ୍ରତିନିଧି ସଭା ଭାରତ ସରକାରଙ୍କୁ ଅନୁରୋଧ କରଛି ଯେ, ସେମାନେ ବାଂଲାଦେଶର ସରକାରଙ୍କ ସହ ସଂପର୍କ ରଖି ସେଠାରେ ଥିବା ହିନ୍ଦୁ ସମାଜର ସୁରକ୍ଷା ଏବଂ ସ୍ୱାଭିମାନକୁ ସୁନିଶ୍ଚିତ କରିବା ପାଇଁ ନିରନ୍ତର ବାର୍ତାଳାପ ଜାରିରଖନ୍ତୁ । ତାସହିତ ବିଶ୍ୱର ଅନ୍ୟ ଅନ୍ତରାଷ୍ଟ୍ରୀୟ ସଂଗଠନମାନଙ୍କର ସମର୍ଥନ ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଛି ।
>
ସଂଘ ଯାତ୍ରାର ୧୦୦ ବର୍ଷ ପୂର୍ତି ଅବସରରେ ସଂଘ ତାର ଦୈନିକ ଶାଖାର ସଂସ୍କାର ମାଧ୍ୟମରେ ସମାଜର ଅତୁଟ ବିଶ୍ୱାସ ଏବଂ ଶ୍ରଦ୍ଧାକୁ ଜିତିପାରିଛି ଯାହା କି ଏକ ବିଶେଷ ଉପଲବ୍ଧି । ଏହି ସମୟ ଭିତରେ ସଂଘର ସ୍ୱୟଂସେବକମାନେ ଆତ୍ମୀୟତା ଓ ସ୍ନେହ ଦ୍ୱାରା ସମସ୍ତଙ୍କୁ ସାଙ୍ଗରେ ନେଇ ମାନ ଅପମାନ ଏବଂ ରାଗ-ଦ୍ୱେଷର ଉର୍ଦ୍ଧ୍ୱକୁ ଉଠି କାମ କରିବା ପାଇଁ ପ୍ରୟାସ କରିଛନ୍ତି । ଏଥିରେ ସମସ୍ତ ପୂଜ୍ୟସନ୍ଥ, ଧର୍ମାଚାର୍ଯ୍ୟ ଏବଂ ସମାଜର ସଜ୍ଜନଶକ୍ତିମାନଙ୍କର ଆଶୀର୍ବାଦ ରହିଛି । ନିଜର ପ୍ରାଚୀନ ସଂସ୍କୃତି ଏବଂ ସମୃଦ୍ଧ ପରମ୍ପରା କାରଣରୁ ଏକ ସୌହାର୍ଦ୍ଦପୂର୍ଣ୍ଣ ବିଶ୍ୱ ନିର୍ମାଣ ନିମନ୍ତେ ଭାରତ ପାଖରେ ଅନୁଭବ ଜନିତ ବିପୁଳ ଜ୍ଞାନର ଭଣ୍ଡାର ରହିଛି । ତେଣୁ ଆମ କର୍ତବ୍ୟ ହେଉଛି ଏକ ଆଦର୍ଶ ସମାଜ ସୃଷ୍ଟି କରିବା, ଯାହାକି ସବୁ ପ୍ରକାର ଭେଦଭାବକୁ ପରିହାର କରି ଏକ ସମରସତାଯୁକ୍ତ ଆଚରଣ , ପରିବେଶ ସହଯୋଗୀ ଜୀବନଶୈଳୀ ଏବଂ ନାଗରିକ କର୍ତବ୍ୟଯୁକ୍ତ ସମାଜର ନିର୍ମାଣ କରିବା ଏବଂ ଏହି କାର୍ଯ୍ୟରେ ସଂଘର ସ୍ୱୟଂସେବକମାନେ ଆତ୍ମୀୟତାର ସହିତ ସାମିଲ ହେବେ । ନିକଟ ଅତୀତରେ ପ୍ରୟାଗରାଜ ଠାରେ ସଫଳତାର ସହିତ ସମାପନ ହୋଇଥିବା ମହାକୁମ୍ଭ ତାହାର ଏକ ଜ୍ୱଳନ୍ତ ଉଦାହରଣ ।
ଏହା ବ୍ୟତୀତ କର୍ଣ୍ଣାଟକର ମହାରାଣୀ ଅବକ୍କାଙ୍କର ୫୦୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ମାନନୀୟ ସରକାର୍ଯ୍ୟବାହ ଶ୍ରୀଯୁକ୍ତ ଦତାତ୍ରେୟ ହୋସବାଲେ ଏକ ବକ୍ତବ୍ୟ ଜାରିକରିଛନ୍ତି । ମହାରାଣୀ ଅବକ୍କା ଦକ୍ଷିଣ କନ୍ନଡ ଜିଲ୍ଲାର ଉଲ୍ଲାଲ ଅଂଚଳକୁ ଅନେକ ଦିନ ଧରି ଶାସନ କରିଥିଲେ । କେରଳର ରାଜା ଜାମରିନଙ୍କ ସହିତ ସନ୍ଧିକରି ଏକ ବିରାଟ ସାମରିକ ଶକ୍ତି ତିଆରି କରି ପର୍ତୁଗୀଜ ସୈନ୍ୟମାନଙ୍କୁ ବାରମ୍ବାର ପରାସ୍ତ କରିଥିଲେ । ସେଥିପାଇଁ ତାଙ୍କୁ ଅଭୟରାଣୀ ଆଖ୍ୟା ଦିଆଯାଇଛି । ସେ ଅନେକ ଶିବମନ୍ଦିର, ତୀର୍ଥସ୍ଥଳର ବିକାଶ କରିଥିଲେ । ତାଙ୍କର ସମ୍ମାନରେ କର୍ଣ୍ଣାଟକରେ ଅନେକ ପାରମ୍ପରିକ ନୃତ୍ୟ ଓ ସଂଗୀତର ପ୍ରଚଳନ ଚାଲୁରହିଛି । କେନ୍ଦ୍ର ସରକାର ୨୦୦୩ ମସିହାରେ ତାଙ୍କ ସମ୍ମାନାର୍ଥେ ଏକ ଡାକ ଟିକଟ ପ୍ରଚଳନ କରିବା ସହିତ ଏକ ସାମୁଦ୍ରିକ ପୋତକୁ ମଧ୍ୟ ୨୦୦୯ରେ ତାଙ୍କ ନାମରେ ନାମିତ କରିଥିଲେ । ଏହି ଅବସରରେ ସଂଘ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
ଏହି ପ୍ରତିନିଧି ସଭାରେ ସମଗ୍ର ଭାରତରୁ ୧୪୪୩ ଜଣ ପ୍ରତିିନିଧି ଭାଗ ନେଇଥିବା ବେଳେ ଓଡିଶାରୁ ୫୦ ଜଣ ପ୍ରତିନିଧି ଯୋଗଦେଇଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ଓ ସହପ୍ରାନ୍ତ ପ୍ରଚାର ପ୍ରମୁଖ ମନିନ୍ଦ୍ର ସୁନ୍ଦର ଦାସ ଉପସ୍ଥିତ ଥିଲେ ।