ସମ୍ବଲପୁର: ନୂଆଖାଇ ପାଇଁ ସ୍ଥିର ହେଲା ଶୁଭଲଗ୍ନ । ଆଜି ପଶ୍ଚିମ ଓଡ଼ିଶାର କୃଷି ଭିର୍ତ୍ତିକ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁର ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ଠାରେ ଶୁଭ ଲଗ୍ନ ନିର୍ଦ୍ଧାରିତ ହୋଇଛି । ଆସନ୍ତା ସେପ୍ଟେମ୍ବର 8 ତାରିଖ ରବିବାର ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସକାଳ ସମୟ 9ଟା 12 ମିନିଟରୁ 9ଟା 27 ମିନିଟ ମଧ୍ୟରେ ସମ୍ବଲପୁ

ରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ଵରୀଙ୍କ ନିକଟରେ ନବାନ୍ନ ବା ନୂଆ ଚାଉଳର ଭୋଗ ଅର୍ପଣ ହେବ । ସମ୍ବଲପୁର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଏହି ଲଗ୍ନ ନିର୍ଣ୍ଣୟ କରିଛନ୍ତି ।

ଆଜି ଅପରାହ୍ନ 4ଟା ସମୟରେ ଝାଡୁଆପଡ଼ାର ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ବୋର୍ଡ ଦ୍ୱାରା ଅହୁତ ବୈଠକରେ ପଣ୍ଡିତ ମଣ୍ଡଳୀ ସମୂହ ପ୍ରଥମେ ବିଷ୍ଣୁ ସହସ୍ରନାମ ପାଠ କରିଥିଲେ l ଏହା ପରେ ମା' ସମଲେଶ୍ୱରୀଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ନୂଆଖାଇ ପାଇଁ ଶୁଭଲଗ୍ନ ସ୍ଥିରୀକୃତ ହୋଇଛି । ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ନବାନ୍ନ ଲାଗି ହେବ ବୋଲି ସ୍ଥିର ହୋଇଛି । ଏହି ଶୁଭଲଗ୍ନରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେଵୀ ମା' ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଚଢାଯିବା ପରେ ସମଗ୍ର ପଶ୍ଚିମ ଓଡିଶାରେ ଏହି ଶୁଭ ଲଗ୍ନ ଅନୁସାରେ ନୂଆଁଖାଇ ପର୍ବ ପାଳନ ହୋଇଥାଏ । ପରେ ଘରେ ଘରେ ଲୋକେ ନୂଆ ଚାଉଳ ର ଭୋଗ ଖାଇ ନୂଆଖାଇ ପର୍ବ ପାଳନ କରିବେ ।

ପ୍ରତ୍ୟେକ ବର୍ଷ ସମ୍ବଲପୁରରେ ଜନ୍ମାଷ୍ଟମୀ ପର ଦିନ ଅର୍ଥାତ ନନ୍ଦଉତ୍ସବ ଦିନ ନୂଆଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ କରାଯିବାର ପରମ୍ପରା ରହିଛି । ଏହି ପରମ୍ପରା ଅନୁଯାୟୀ, ନନ୍ଦୋତ୍ସବରେ ନୂଆଖାଇ ଲଗ୍ନ ସ୍ଥିର କରିଛନ୍ତି ପଣ୍ଡିତ ମହାସଭା । ପଶ୍ଚିମ ଓଡ଼ିଶାର ନୂଆଖାଇ ଏକ ସ୍ୱତନ୍ତ୍ର ପର୍ବ । ଏହି ପର୍ବରେ ବର୍ଷର ଅମଳ ପ୍ରାରମ୍ଭରୁ ଉତ୍ପାଦିତ ହେଉଥିବା ଧାନରୁ ଯେଉଁ ଅନ୍ନ ବାହାରେ ସେହି ଅନ୍ନକୁ ନିଜ ଇଷ୍ଟ ଦେବଦେବୀଙ୍କୁ ପାରମ୍ପରିକ ରୀତିନୀତିରେ ଅର୍ପଣ କରାଯାଇଥାଏ । ଏହାପରେ ତାହାକୁ ପ୍ରସାଦ ଭାବେ ନିଜେ ଗ୍ରହଣ କରିଥାନ୍ତି । ନୂଆଖାଇ ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ହୋଇଥିଲେ ମଧ୍ୟ ଚାଷୀଠୁ ନେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି । ଏହି ପର୍ବରେ ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ଝଲକ ଦେଖିବାକୁ ମିଳିଥାଏ ।


0 Comments