ଖୋଲିଲା ହୀରାକୁଦ ଡ୍ୟାମ ଗେଟ୍ । ଆଜି (ରବିବାର) ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ସକାଳ 9ଟାରେ ପ୍ରଥମେ 7ଟି ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଥିଲା । ପ୍ରଥମେ 7 ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ 7ଟି ଗେଟ୍ ଖୋଲାଯାଇଛି । ଏବେ ମୋଟ 14ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଆଜି ତିନୋଟି ପର୍ଯ୍ୟାୟରେ ହୀରାକୁଦର ମୋଟ 20ଟି ଗେଟ୍ ଖୋଲାଯିବ ।

ପରମ୍ପରା ମୁତାବକ, ଆଜି ସକାଳୁ ପୂଜାର୍ଚ୍ଚନା ପରେ ପ୍ରଥମ ହୀରାକୁଦର 7 ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିଲା । ଏହାପରେ 6ଟି ଗେଟ୍ ଖୋଲିଥିଲା । ପୂର୍ବାହ୍ନରେ ଆଉ 7ଟି ଗେଟ୍ ଖୋଲିଛି । ଏବେ ମୋଟ 14ଟି ଗେଟ୍ ଦେଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଉଛି । ଅପରାହ୍ନ 2ଟାରେ 6ଟି ଗେଟ୍ ଖୋଲାଯିବବ । ତିନୋଟି ପର୍ଯ୍ୟାୟରେ ଆଜି ମୋଟ 20ଟି ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ କରାଯିବ ।

ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ହୋଇଥିବାବେଳେ ଆଜି ସକାଳ 8ଟା ସୁଦ୍ଧା ଜଳ ଭଣ୍ଡାରର ଜଳସ୍ତର 617.29 ଫୁଟ ରହିଥିଲା l ଏହି ସମୟରେ ଡ୍ୟାମର ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ହାରାହାରି 2 ଲକ୍ଷ 78 ହଜାର 24 କ୍ୟୁସେକ ଜଳ ପ୍ରବେଶ କରୁଛି l ଗୋଟିଏ ସ୍ଲୁଇସ ଗେଟରୁ ସେକେଣ୍ଡ ପ୍ରତି 15 ହଜାର କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି l ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଡ୍ୟାମ୍ କର୍ତ୍ତୃପକ୍ଷ ହୀରାକୁଦ ଜଳଭଣ୍ଡାରର 20ଟି ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ହୀରାକୁଦ ଗେଟ୍ ଖୋଲିବା ପରେ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଉଥିବାରୁ ସ୍ବତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ 9 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି । ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ, ଅନୁଗୋଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ।

0 Comments