ସମ୍ବଲପୁର: ଆଜି ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ଓ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସୁଦର୍ଶନ ହରିପାଲ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥିପାଇଁ ଆଜି ସମ୍ବଲପୁର ବାଲିବନ୍ଧା ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ବିଜେଡିର ହଜାର ହଜାର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

ସମ୍ବଲପୁର ଲୋକସଭା କ୍ଷେତ୍ର ପାଇଁ ବିଜୁ ଜନତା ଦଳ ତରଫରୁ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେହିଭଳି ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ବିଜେଡି ନେତା ରୋହିତ ପୂଜାରୀ ଓ ରେଙ୍ଗାଲି ବିଧାନସଭା ପ୍ରାର୍ଥୀ ସୁଦର୍ଶନ ହରିପାଲ

ନାମାଙ୍କନ ଭରିଛନ୍ତି । ଏହି ଅବସରରେ ସମର୍ଥକ ମାନଙ୍କର ଏକ ବିରାଟ ଶୋଭାଯାତ୍ରା ସହରରେ ପରିକ୍ରମା କରିଥିଲା । ୪୩ ଡିଗ୍ରୀ ଖରା ସତ୍ତ୍ବେ ହଜାର ହଜାର ସଂଖ୍ୟାରେ ବିଜେଡି କାର୍ଯ୍ୟକର୍ତ୍ତା ଶୋଭଯାତ୍ରାରେ ସାମିଲ ହୋଇ ପ୍ରଣବ ପ୍ରକାଶ ଓ ରୋହିତ ପୂଜାରୀଙ୍କୁ ସମର୍ଥନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଜରିଆରେ ପ୍ରଣବ ପ୍ରକାଶଙ୍କୁ ଶୁଭେଚ୍ଛା ଜଣାଇଥିଲେ । 'ମୁଁ ନିଶ୍ଚିତ ଅଛି ତୁମେ ବିଜୟୀ ହେବ' ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ନାମାଙ୍କନ ସମୟରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।

ଆଜି ସକାଳ ପ୍ରାୟ ୮ଟା ସମୟରେ ମା' ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଥିଲେ ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ସାଙ୍ଗରେ ଉପସ୍ଥିତ ଥିଲେ ସମ୍ବଲପୁର ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ । ପ୍ରଥମେ ମା' ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ । ପୂଜାର୍ଚ୍ଚନା କରି ଆର୍ଶୀବାଦ କାମନା କରିଥିଲେ । ଏହି ଅବସରରେ ପ୍ରଣବ ପ୍ରକାଶ କହିଥିଲେ, "ମାଆ ସମଲେଶ୍ବରୀଙ୍କ ଡୋରୀ ଲାଗିବାରୁ ମୁଁ ଏ ମାଟିର ସେବା କରିବା ପାଇଁ ଆସିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ସମ୍ବଲପୁର ପଠାଇଛନ୍ତି । ମା'ଙ୍କ ଆଶୀର୍ବାଦ ରହିଛି । ନିଶ୍ଚୟ ଜୟଯୁକ୍ତ ହେବୁ ଏବଂ ସମୃଦ୍ଧ ସମ୍ବଲପୁର ଗଢିବା ଦିଗରେ କାମ କରିବୁ ।" ସମଲେଇ ମନ୍ଦିରରେ ମା'ଙ୍କୁ ଦର୍ଶନ କରିବା ପରେ ଜେଲ ଛକକୁ ଯାଇଥିଲେ । ସେଠାରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ ପ୍ରଣବ ପ୍ରକାଶ । ପ୍ରଣବ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଥିବାବେଳେ ସର୍ମଥନ ଦେବାକୁ ବାଲିବନ୍ଧାଠାରେ ହଜାର ହଜାର ସମର୍ଥକଙ୍କ ସମାଗମ ହୋଇଥିଲା । ପୁରୁଷ, ମହିଳା, ଯୁବ ଭୋଟର ଓ ବିଭିନ୍ନ ବର୍ଗର ଲୋକେ ସ୍ବତଃପ୍ରବୃତ୍ତ ଭାବରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ବାଲିବନ୍ଧାରୁ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ଏକ ଭବ୍ୟ ଶୋଭଯାତ୍ରା ବାହାରିଥିଲା । ସମ୍ବଲପୁରୀ ବାଜାର ତାଳେ ତାଳେ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଶୋଭାଯାତ୍ରା ସମୟରେ ବାଟରେ ଅଟକି ସମ୍ବଲପୁରର ପ୍ରସିଦ୍ଧ ସରସତିଆ ଖାଇଥିଲେ ପ୍ରଣବ ପ୍ରକାଶ ଓ ରୋହିତ ପୂଜାରୀ । ଝାଡୁଆପଡାଠାରେ ପହଞ୍ଚିବା ପରେ ବ୍ରହ୍ମପୁରା ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରିଥିଲେ । ବାଲିବନ୍ଧାଠାରୁ ଶୋଭାଯାତ୍ରା ବାହାରି କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ହାଟପଡା, ଦଲେଇପଡା ଓ ମ୍ୟୁନିସିପାଲଟି ଛକଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଅନ୍ୟପଟେ ସମ୍ବଲପୁର ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାନଙ୍କ ପତ୍ର ଦାଖଲ କରିଥିଲେ । ରେଙ୍ଗାଲି ବିଜେଡି ବିଧାୟକ ପ୍ରାର୍ଥୀ ସୁଦର୍ଶନ ହରିପାଲ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାନଙ୍କ ପତ୍ର ଦାଖଲ କରିଥିଲେ ।

0 Comments