ଭୁବନେଶ୍ବର: ଅବସରପ୍ରାପ୍ତ ଆଇଏଏସ ପ୍ରଦୀପ କୁମାର ଜେନାଙ୍କୁ ବଡ ଦାୟିତ୍ୱ । ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୋହନ ମାଝୀ ସରକାର । ପ୍ରଦୀପ ଜେ

ନାଙ୍କୁ OERC ବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଦାୟିତ୍ୱ ଦେଇଛନ୍ତି ସରକାର । ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସୁରେଶ ମହାପାତ୍ରଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ପଦ ପୂରଣ କରିଛନ୍ତି ମୋହନ ମାଝୀ ସରକାର । ପୂର୍ବରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା ଶକ୍ତି ବିଭାଗ । ଗତ ଫେବୃଆରୀ ୨୪ ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରିବାକୁ ବିଜ୍ଞାପନରେ ଦର୍ଶାଯାଇଥିଲା । କାରଣ ଅବସରପ୍ରାପ୍ତ ଆଇଏଏସ ତଥା ଅଧ୍ୟକ୍ଷ ଥିବା ସୁରେଶ ଚନ୍ଦ୍ର ମହାପାତ୍ର ଇସ୍ତଫା ଦେଇଥିଲେ । ଏଥିଯୋଗୁଁ ଗତ ୨୦୨୩ ନଭେମ୍ବର ମାସରୁ ଓଇଆରସି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା । ବିଜ୍ଞପ୍ତି ଅନୁଯାୟୀ ଏହି ପଦବୀରେ ସର୍ବାଧିକ ୫ ବର୍ଷ ଅବା ୬୫ ବର୍ଷ ବୟସ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ । ଯିଏ ଏହି ଅଧ୍ୟକ୍ଷ ପଦବୀରେ କାର୍ଯ୍ୟ କରିବେ ସେ ଅନ୍ୟ କୌଣସି ଦାୟିତ୍ୱରେ ରହିପାରିବେ ନାହିଁ ବୋଲି ବିଜ୍ଞାପନରେ ଦର୍ଶାଯାଇଥିଲା ।

ଓଇଆରସି ଅଧ୍ୟକ୍ଷ ଭାବେ ୨୦୨୩ ମାର୍ଚ୍ଚ ମାସ ୧ ତାରିଖରେ ସୁରେଶ ଚନ୍ଦ୍ର ମହାପାତ୍ର ଶପଥ ଗ୍ରହଣ କରିଥିଲେ । ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ୨୦୨୩ ଫେବୃଆରୀ ୨୮ରେ ଶେଷ ହୋଇଛି । ସୁରେଶ ମହାପାତ୍ର ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ୨୦୨୨ ଫେବୃଆରୀ ପର୍ଯ୍ୟନ୍ତ ତାଙ୍କୁ ଏହି ଦାୟିତ୍ବରେ ରହିବାର ଥିଲା । ମାତ୍ର ବିଜେଡି ସରକାର ତାଙ୍କ କାର୍ଯ୍ୟକାଳକୁ ଦୁଇ ଥର ବୃଦ୍ଧି କରିଥିଲେ । ବିଜେଡି ସରକାରରେ ସିଏମଓର ମୁଖ୍ୟ ପରାମର୍ଶଦାତା ଭାବେ ସୁରେଶ ମହାପାତ୍ର ନିଯୁକ୍ତି ପାଇବା ପରେ ଓଇଆରସି ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇଥିଲେ ।

0 Comments