ଭୁବନେଶ୍ୱର: ରବିବାର କଟକର ଚୌଦ୍ୱାରର ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ କାମାକ୍ଷା ଏକ୍ସପ୍ରେସର ଏକାଧିକ କୋଚ୍ ଲାଇନଚ୍ୟୁତ ହୋଇଛି।
ରିପୋର୍ଟ ଅନୁସାରେ ଟ୍ରେନ୍ ନମ୍ବର ୧୨୫୫୧ ବେଙ୍ଗାଲୁରୁରୁ କାମାକ୍ଷା ଅଭିମୁଖେ ଯାଉଥିବା ସମୟରେ ଟ୍ରେନ୍ର କିଛି କୋଚ୍ ଟ୍ରାକରୁ ଖସି ପଡ଼ିଥିଲା। ଏହା ପରେ ଭୟରେ ଯାତ୍ରୀମାନେ ସେମାନଙ୍କର ଲଗେଜ୍ ସହିତ ଟ୍ରେନ୍ରୁ ଓହ୍ଲାଇ ପଡୁଥିବା ଦେଖାଯାଇଥିଲା। ପୂର୍ବତଟ ରେଳପଥର ସିଆରପିଓ ଅଶୋକ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ୧୧ଟି କୋଚ୍ ଦୁର୍ଘଟଣା ହୋଇଛି।
ତେବେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ମୃତକ ହେଲେ କୋଲକାତାର 23 ବର୍ଷୀୟ ଶୁଭଙ୍କର ରୟ । ପୂର୍ବତଟ ରେଳବାଇ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି ।
କୋଲକାତା ଦକ୍ଷିଣ-ପୂର୍ବ ସର୍କଲ (South Eastern Circle) ରେଳ ସ
ରକ୍ଷା ଆୟୁକ୍ତ (Commissioner of Railway Safety) ବ୍ରିଜେଶ କୁମାର ମିଶ୍ର, ବେଙ୍ଗାଲୁରୁ-କାମାକ୍ଷାନଗର ଏସି ଏସଏଫ ଏକ୍ସପ୍ରେସର ଲାଇନଚ୍ୟୁତ ଘଟଣାରେ ତଦନ୍ତ କରିବେ । କେଉଁ ପରିସ୍ଥିତିରେ ଟ୍ରେନ୍ ଲାଇନଚ୍ୟୁତ ହେଲା ତାହା ଜାଣିବା ପାଇଁ ସିଆରଏସ ଘଟଣାସ୍ଥଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିବେ । CRS ଏହି ଘଟଣାରେ ଏକ ବିଧିବଦ୍ଧ ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ କରିବେ । ସେହିପରି ଟ୍ରେନ ଲାଇନଚ୍ୟୁତ ଓ ଏହା ସହିତ ଜଡିତ ବିଷୟ ଜାଣିଥିବା ଏବଂ ପ୍ରମାଣ ଦେବାକୁ ଚାହୁଁଥିବା ଯେକୌଣସି ଜନସାଧାରଣ ୦୧.୦୪.୨୦୨୫ ଏବଂ ୦୨.୦୪.୨୦୨୫ ରେ ଜଟଣୀ (ଖୋର୍ଦ୍ଧା ରୋଡ୍) ର DRM/ଖୋର୍ଦ୍ଧା ରୋଡ୍ ଡିଭିଜନର କାର୍ଯ୍ୟାଳୟରେ ଏହା କରିପାରିବେ। ଲାଇନଚ୍ୟୁତ ସମ୍ପର୍କରେ ଜାଣିଥିବା ଜନସାଧାରଣ "ରେଳ ସୁରକ୍ଷା ଆୟୁକ୍ତ, ସାଉଥ୍ ଇଷ୍ଟର୍ଣ୍ଣ ସର୍କଲ, ୧୪, ଷ୍ଟ୍ରାଣ୍ଡ ରୋଡ୍, ୧୨ ଫ୍ଲୋର, କୋଇଲାଘାଟ ଷ୍ଟ୍ରିଟ୍, କୋଲକାତା-୭୦୦୦୦୧" ଠିକଣାରେ ଜଣାଇପାରିବେ ।
କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ସହାୟତା ଘୋଷଣା କରିଛି ପୂର୍ବତଟ ରେଳବାଇ । ମୃତକଙ୍କ ପରିବାରକୁ 5 ଲକ୍ଷର ସହାୟତା ଘୋଷଣା । ଜଣେ ଗୁରୁତର ଆହତଙ୍କୁ ଅଢେଇ ଲକ୍ଷ ସହାୟତା ଘୋଷଣା କରାଯାଇଥିବା ବେଳେ 2 ଆହତଙ୍କ ପାଇଁ 50 ହଜାର ଘୋଷଣା କରିଛି ପୂର୍ବତଟ ରେଳବାଇ ।