ଭୁବନେଶ୍ୱର: ଓଡ଼ିଶାରେ ଖାଲି ହେବାକୁ ଥିବା ଚାରିଟି ରାଜ୍ୟ ସଭା ପଦ ପାଇଁ ତିନି ପ୍ରମୁଖ ଦଳ ତାଙ୍କର ପ୍ରାର୍ଥୀ ଘୋଷଣା କରିସାରିବା ପରେ ରାଜ୍ୟସଭା ନିର୍ବାଚନ ଖୁବ୍ ରୋଚକ ମୋଡ଼ ନେଇଛି । ଦିଲୀପ ରାୟଙ୍କର ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା, ଓଡ଼ିଶାର ଚତୁର୍ଥ ଆସନର ନିର୍ବାଚନକୁ ରୋମାଞ୍ଚକର କରିଦେଇଛି ।

ପ୍ରଥମ ତିନିଟି ଆସନର ଚିତ୍ର ପ୍ରାୟ ସ୍ପଷ୍ଟ ଥିବାବେଳେ, ଚତୁର୍ଥ ଆସନଟି ହେଉଛି ସବୁଠାରୁ ରୋଚକ ଏବଂ ନିର୍ଣ୍ଣାୟକ । ଏହି ଆସନର ଗଣିତ ଏବଂ ରାଜନୈତିକ ସମୀକରଣ ଉପରେ ସମସ୍ତ ଦଳର ଦୃଷ୍ଟି ରହିଛି ।

ରାଜ୍ୟସଭା ନିର୍ବାଚନ ପ୍ରିଫରେନ୍ସିଆଲ ଭୋଟିଂ ପ

ରଣାଳୀରେ ହୋଇଥାଏ । ଯେଉଁଥିରେ କେବଳ ବିଧାନସଭା ସଦସ୍ୟମାନେ ଭୋଟ ଦେଇଥାନ୍ତି । ଓଡ଼ିଶା ବିଧାନସଭାରେ ମୋଟ ୧୪୭ ଜଣ ବିଧାୟକ ରହିଛନ୍ତି । ଚାରିଟି ଆସନ ପାଇଁ ଜଣେ ପ୍ରାର୍ଥୀଙ୍କୁ ଜିତିବାକୁ ପ୍ରାୟ ୩୦ ଭୋଟର ଆବଶ୍ୟକତା ରହିଛି ।

୨୦୨୪ ନିର୍ବାଚନ ପରେ ବିଧାନସଭାର ଦଳଭିତ୍ତିକ ସଂଖ୍ୟା ଚିତ୍ର ଏପରି ରହିଛି: ବିଜେପି ୮୨ (ଉପନିର୍ବାଚନ ପରେ), ବିଜେଡି ୪୮ (ଦୁଇ ବିଧାୟକଙ୍କ ନିଲମ୍ବନ ପରେ), କଂଗ୍ରେସ ୧୪, ସିପିଆଇ(ଏମ୍) ୧ ଏବଂ ସ୍ୱାଧୀନ ବିଧାୟକ ୨ ଜଣ ।

ପ୍ରଥମ ତିନିଟି ଆସନର ସ୍ଥିତି ସ୍ପଷ୍ଟ ରହିଛି । ବିଜେପିର ୮୨ ଭୋଟ୍ ସହିତ ସେ ୬୦ ଭୋଟ୍ ଦ୍ୱାରା ଦୁଇଟି ଆସନ ସହଜରେ ଜିତିପାରିବ । ବିଜେଡିର ୪୮ ଭୋଟ ସହିତ ସେ ୩୦ ଭୋଟ ଦ୍ୱାରା ଗୋଟିଏ ଆସନ ନିଶ୍ଚିତ କରିପାରିବ ।

କିନ୍ତୁ ଚତୁର୍ଥ ଆସନର ଗଣିତ ହେଉଛି ସବୁଠାରୁ ରୋମାଞ୍ଚକର । ତୃତୀୟ ଆସନ ପରେ ବିଜେପି ପାଖରେ ଅବଶିଷ୍ଟ ରହିବ ୨୨ ଭୋଟ (୮୨-୬୦), ସେହିପରି ବିଜେଡି ପାଖରେ ରହିବ ୧୮ ଭୋଟ (୪୮-୩୦) । ଏହି ପରିସ୍ଥିତିରେ ବିଜେପି ଓ ବିଜେଡି ଦଳ ପାଖରେ ସ୍ୱତନ୍ତ୍ର ଭାବେ ୩୦ ଭୋଟ ନାହିଁ । କଂଗ୍ରେସର ୧୪ ଭୋଟ, ସିପିଆଇ(ଏମ୍)ର ୧ ଭୋଟ ଏବଂ ୨ ଜଣ ସ୍ୱାଧୀନ ବିଧାୟକଙ୍କ ଭୂମିକା ହେବ ନିର୍ଣ୍ଣାୟକ ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲୀପ ରାୟଙ୍କର ବହୁବର୍ଷର ରାଜନୈତିକ ଅଭିଜ୍ଞତା ତାଙ୍କୁ ଏହି ନିର୍ବାଚନ ଜିତିବାରେ ସହାୟକ ହବ । ବିଜେପିର ସମର୍ଥନ ସହିତ ସ୍ୱାଧୀନ ଭାବେ ଲଢ଼ିବା ଦ୍ୱାରା ସେ ନିଜକୁ ଏକ ନିରପେକ୍ଷ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ।

"ମୁଁ ଆଶାବାଦୀ ଯେ ଏହି ନିର୍ବାଚନ ମୁଁ ଯିତିବି, ସେଥିପାଇଁ ସ୍ୱାଧୀନ ଭାବେ ପ୍ରାର୍ଥୀ ହେବାକୁ ସ୍ଥିର କଲି । ସମସ୍ତଙ୍କ ସହ ଭଲ ସମ୍ପର୍କ, ସମସ୍ତଙ୍କୁ ଭେଟିକି ଜିତେଇବା ପାଇଁ କହିବି । ମୁଁ ନବୀନ ବାବୁ ଓ ଭକ୍ତ ବାବୁଙ୍କ ଠାରୁ ସମୟ ନେବି ଓ ଏ ବିଷୟରେ କଥା ହେବି," ବୋଲି କହିଛନ୍ତି ଦିଲୀପ ରାୟ । ସେ 2002 ମସିହାରେ କ୍ରସ ଭୋଟିଂ ଜରିଆରେ ରାଜ୍ୟସଭା ଆସନକୁ ହତେଇବାରେ ସଫଳ ହୋଇଥିଲେ ।


0 Comments