ପାଟଣା(ବିଜୟ ମହାନ୍ତ), କେନ୍ଦୁଝର ଜିଲ୍ଲା ପାଟଣା ବନ ବିଭାଗ ଦ୍ୱାରା ଜବତ ହୋଇଥିବା ଏକ କାଠ ଭର୍ତ୍ତି ଟ୍ରକ୍କୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋରଧର ହୋଇଛି। ଦୁଇମାସ ବିତିଯାଇଥିଲେ ମଧ୍ୟ ଉକ୍ତ ଗାଡ଼ିଟି ବନ କାର୍ଯ୍ୟାଳୟରେ ଅଟକ ରହିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଅନ୍ୟ ଜାଗାରୁ ଅବୈଧ ଭାବେ କାଠ କାଟି ଆଣାଯାଇଥିବା ସନ୍ଦେହରେ ପାଟଣା ବନ ଅଧିକାରୀ ଗାଡ଼ିଟିକୁ ଜବତ କରିଥିଲେ। କିନ୍ତୁ ପରେ କାଗଜପତ୍ର ଯାଞ୍ଚ ଓ ତଦନ୍ତ ପ୍ରକ୍ରିୟା ସରିଥିବା ସତ୍ତ୍ୱେ କୌଣସି ଅନିୟମିତତା ମିଳିନଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଏନେଇ ବନଖଣ୍ଡ ଅଧିକାରୀଙ୍କୁ ସମସ୍ତ ବୈଧ କାଗଜପତ୍ର ଦେଖାଯାଇଥିବା କଥା କୁହାଯାଇଛି।
ସରକାରୀ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ନିଜ ପଟ୍ଟା ଜମିରେ ଥିବା ଆକାଶିଆ ଓ ପଟାସ ଗଛ ବ
କ୍ରି କରିପାରିବେ। ତଥାପି ବନ ବିଭାଗ ଏହାକୁ ମାନୁନଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ସମ୍ପୃକ୍ତ ବ୍ୟବସାୟୀ କୋର୍ଟର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି।
ଅନ୍ୟପଟେ, ବ୍ୟବସାୟୀଙ୍କ ଅଭିଯୋଗ ଅନୁସାରେ ବନ କାର୍ଯ୍ୟାଳୟକୁ ଡାକି ଅନ୍ୟ ଅଞ୍ଚଳରୁ କାଠ କାଟିଥିବା ମାମଲା ମିଛରେ ମାନିବା ପାଇଁ ଜୋରଜବରଦସ୍ତି ସହ ସାଇନ୍ କରାଇବାର ଚେଷ୍ଟା ହୋଇଥିଲା। ଉକ୍ତ ଗାଡ଼ିଟି ସିଲିଦା ଗ୍ରାମରୁ ଯାଉଥିବା ସମୟରେ ଜବତ ହୋଇଥିବା ସୂଚନା ମିଳିଛି।
ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରି ନ୍ୟାୟସଂଗତ ତଦନ୍ତ ଦାବି କରିଛନ୍ତି। ସେପଟେ ପାଟଣା ବନ ବିଭାଗ ଅଧିକାରୀଙ୍କ ବଦଳି ଦାବି ମଧ୍ୟ ଜୋର ଧରିଛି।
ଏହି ସମ୍ପର୍କରେ ବନ ବିଭାଗ ପକ୍ଷରୁ କୌଣସି ସରକାରୀ ପ୍ରତିକ୍ରିୟା ମିଳି ପାରି ନାହିଁ।