ରାଇରଙ୍ଗପୁର: ୩ ଦିନିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ବୁଧବାର) ପୂର୍ବାହ୍ନରେ ରାଇରଙ୍ଗପୁର ଠାରେ ପହଞ୍ଚିଛନ୍ତି ।
ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଜରିଆରେ ବୁଧବାର ପୂର୍ବାହ୍ନ ୧୧ଟା୧୦ ସମୟରେ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷରେ ରାଷ୍ଟ୍ରପତି ଅବତରଣ କରିଛନ୍ତି । ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଓ ଉପସ୍ଥିତ ଅତିଥି ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆସି ଦିବା ୧୧ ଟା ୩୦ରେ ହଲି ଡେ ହୋମର (Holiday Home) ଉଦଘାଟନ କରିଛ
ନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା ରାଇରଙ୍ଗପୁର ପରି ଉପାନ୍ତ ଅଞ୍ଚଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ଵାଗତ ପାଇଁ ମହୁଲଡିହାରେ ଏହି ହଲି ଡେ ହୋମ୍ ପ୍ରସ୍ତତ କରାଯାଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦରୁ ଅବସର ଗ୍ରହଣ କରିବା ପରେ ଏହି ହଲି ଡେ ହୋମରେ ଅବସ୍ଥାନ କରିବେ । ଏଠାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ବିଳାସ ପୂର୍ଣ୍ଣ ବଙ୍ଗଳା ସହ ୧୬ଟି କୋଠରୀ ବିଶିଷ୍ଟ ଏକ ବିଲ୍ଡିଂ ପ୍ରସ୍ତୁତ ହୋଇଛି । ଉଦ୍ଘାଟନ କାର୍ଯ୍ୟକ୍ରମ ପାଇଁ ଖୁବ ସୁନ୍ଦର ଭାବେ ସାଜସଜ୍ଜା କରାଯାଇଥିଲା । ଉଦ୍ଘାଟନ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।
ମଧ୍ୟାହ୍ଣ ୧୨:୦୦ଟା ସମୟରେ ରାଷ୍ଟ୍ରପତି ମହୁଲଡିହା ସ୍ଥିତ ସରକାରୀ ଏସଏସଡି ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ । ଏହାପରେ ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିବା ସହ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିର ଲୋକାର୍ପଣ କରିଛନ୍ତି ।
ପିଲାଙ୍କ ମଧ୍ୟରେ ହଜି ଯାଇଥିଲେ ରାଷ୍ଟ୍ରପତି । ପିଲାଙ୍କ ସହିତ ନିଜର ପିଲା ଦିନର ସ୍ମୃତିଚାରଣା ମଧ୍ୟ କରିଥିଲେ । କେବଳ ପାଠପଢା ନୁହେଁ ଖେଳକୁଦ, ନାଚଗୀତ ସବୁ ଦିଗରେ ପାରଙ୍ଗମ ହେବାକୁ କହିଥିଲେ ମହାମହିମ ।ଅନ୍ୟପଟେ ରାଷ୍ଟ୍ରପତିଙ୍କୁ ଅତି ନିକଟରୁ ପାଇଁ ଛାତ୍ରୀମାନେ ମଧ୍ୟ ବେଶ ଖୁସିଥିବା କହିଛନ୍ତି ।
ରାଇରଙ୍ଗପୁରକୁ ଏହା ମହାମହିମଙ୍କ ଚତୁର୍ଥ ଗସ୍ତ । ଏହି ଗସ୍ତ କାର୍ଯ୍ୟକ୍ରମକୁ ନେଇ ସମଗ୍ର ରାଇରଙ୍ଗପୁର ଚଳଚଞ୍ଚଳ ହୋଇଉଠିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।