ମୟୂରଭଞ୍ଜ

: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ମାମଲା । ଘଟଣାକୁ ନେଇ ରାସ୍ତା ଅବରୋଧ ସହ ପ୍ରତିବାଦ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ପ୍ରତିବାଦରେ ୨୭ ଜଣ ମହିଳା ସମେତ ୩୪ ଜଣଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ହୋଇଥିବା ଲୋକମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ଦାବିରେ ଆଜି ରାଇରଙ୍ଗପୁରରେ ବନ୍ଦ ଡାକରା ଦେଇଛି ସର୍ବଦଳୀୟ ଆଦିବାସୀ ଏକତା ମଞ୍ଚ । ଫଳରେ ମୟୂରଭଞ୍ଜରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଜନୈକା ଆଦିବାସୀ ନାବାଳିକା ଅସଦାଚରଣ ମାମଲାରେ ବହଳଦା ଠାରେ ଜାତୀୟ ରାଜପଥ ଅବରୋଧ ବେଳେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଫଳରେ ପୋଲିସର ଲାଠିଚାର୍ଜ ଓ ପୋଲିସକୁ ଆକ୍ରମଣ ମଧ୍ୟ କରାଯାଇଥିଲା । ଏଥି ସହିତ ବହଳଦା ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା ସହ ଓଲଟାଇ ଦେଇଥିଲେ ଗ୍ରାମବାସୀ । ଏହି ଘଟଣାରେ ୩୪ ଜଣ ଆଦିବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ସମସ୍ତ ୩୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ଦାବି କରି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ଲୋକେ ଦୁଇ ଦିନ ଧରି ଧାରଣା ପ୍ରଦର୍ଶନ କରିଥିଲେ । ହେଲେ କୌଣସି ସୁଫଳ ମିଳି ନଥିଲା । ଶେଷରେ ମୟୂରଭଞ୍ଜ ଆଦିବାସୀ ଏକତା ମଞ୍ଚ ରାଇରଙ୍ଗପୁର ଉପଖଣ୍ଡ ବନ୍ଦ ଡାକରା ଦେଇଥିଲେ ।


0 Comments