ନୂଆଦିଲ୍ଲୀ: ଆଜି(ସୋମବାର) ଲୋକସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ବଜେଟ ଅଧିବେଶନରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଜୋରଦାର ହଙ୍ଗାମା ହୋଇଛି । ଲୋକସଭାରେ ରାହୁଲ ଗାନ୍ଧୀ ପୂର୍ବତନ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେଙ୍କ ଅପ୍ରକାଶିତ ପୁସ୍ତକ ସମ୍ପର୍କରେ କହିଛନ୍ତି । ଯେଉଁ ପୁସ୍ତକରେ ଚୀନ ସେନା

ଭାରତରେ ପ୍ରବେଶ କରୁଥିବା ନେଇ ଦାବି ହୋଇଛି । ରାହୁଲ ଏକଥା ଉଠାଇବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଗୃହମନ୍ତ୍ରୀ ଅମିତ ଶାହ କଡା ଜବାବ ଦେଇଛନ୍ତି ।

ପୂର୍ବତନ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେଙ୍କ ଅପ୍ରକାଶିତ ପୁସ୍ତକକୁ ସଂସଦରେ ‘Quote’ କରିଥିଲେ ରାହୁଲ ଗାନ୍ଧୀ । ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଏହାକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ତାଙ୍କ କଥା ସତ୍ୟ ଅଟେ, ଯେଉଁଥିରେ ମନୋଜ ମୁକୁନ୍ଦ ନରୱାଣେଙ୍କ ‘Quote’ ମଧ୍ୟ ରହିଛି । ପୂର୍ବତନ ସେନାମୁଖ୍ୟଙ୍କ ଅପ୍ରକାଶିତ ମାଗାଜିନକୁ ‘Quote’ କରି ରାହୁଲ ସଂସଦରେ କହିଥିଲେ, ଚୀନର ସେନାର ଟ୍ୟାଙ୍କ ଭାରତୀୟ ସୀମା ନିକଟରେ ରହିଛି । ଚୀନର 4ଟି ଟ୍ୟାଙ୍କ ଭାରତ ସୀମାରେ ଅନୁପ୍ରବେଶ କରୁଥିଲେ । ଚୀନ ସେନାର ଟ୍ୟାଙ୍କ କୈଳାଶରେ ଚଢିବାକୁ ଉଦ୍ୟମ କରୁଛନ୍ତି ।

ରାହୁଲ ଗାନ୍ଧୀଙ୍କ ଏପରି ଦାବିକୁ ନେଇ ଆପତ୍ତି ଉଠାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ରାଜନାଥ ସିଂହ କହିଛନ୍ତି,‘ରାହୁଲ ଗାନ୍ଧୀ ସଂସଦକୁ ଭ୍ରମିତ କରୁଛନ୍ତି । ମୁଁ ଚାହୁଁଛି ଲୋକସଭାରେ ବିରୋଧୀ ଦଳ ନେତା (ରାହୁଲ ଗାନ୍ଧୀ) ସଦନରେ ସେହି ପୁସ୍ତକ ଉପସ୍ଥାପନ କରନ୍ତୁ ଯାହାକୁ ନେଇ ସେ ଦାବି ଉପସ୍ଥାପନ କରୁଛନ୍ତି । ଯେଉଁ ପୁସ୍ତକ ସମ୍ପର୍କରେ ସେ କହୁଛନ୍ତି ସେହି ପୁସ୍ତକ ପ୍ରକାଶିତ ହୋଇନାହିଁ ।’ ରାଜନାଥ ଆହୁରି କହିଥିଲେ ବିନା ତଥ୍ୟରେ ରାହୁଲ ଗାନ୍ଧୀଙ୍କୁ ସଂସଦରେ କହିବାକୁ ଅନୁମତି ପ୍ରଦାନ କରାନଯାଉ ।

ଏହି ପ୍ରସଙ୍ଗରେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି, ‘ନିୟମ ଏହାକୁ ଅନୁମତି ଦିଏ ନାହିଁ, ଏହାକୁ ଆପଣ ସଂସଦରେ ପଢିପାରିବେ ନାହିଁ । ଏହା ନିୟମ ବିରୁଦ୍ଧ ଅଟେ ।’

0 Comments