ନୂଆଦିଲ୍ଲୀ: ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧନ କରି ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି । ଆମେ 140 କୋଟି ଭାରତୀୟ ଏକାଠି ହୋଇ ଲଢିବା । ପରିସ୍ଥିତି ଏବେ ଚ୍ୟାଲେଞ୍ଜିଂ ରହିଛି । ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ । ଏପରି ସ୍ଥିତିରେ ଦେଶବାସୀଙ୍କୁ ସତର୍କ ରହିବାକୁ
ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ କୌଣସି ଗୁଜବକୁ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଛନ୍ତି ।
ମନ କି ବାତରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବିଶ୍ବର ଯେଉଁ କ୍ଷେତ୍ରରେ ଯୁଦ୍ଧ ଜାରି ରହିଛି ସେହି ସବୁ କ୍ଷେତ୍ରରୁ ଦେଶ ଶକ୍ତି ଆବଶ୍ୟକତାର ବଡ଼ କେନ୍ଦ୍ର ଅଟେ । ସାରା ବିଶ୍ବରେ ତୈଳ ଓ ଗ୍ୟାସକୁ ନେଇ ସଙ୍କଟ ପରିସ୍ଥିତି ଉପୁଜିଛି । ଭାରତ ଏପରି ପରିସ୍ଥିତିକୁ ଦୃଢ ଭାବେ ମୁକାବିଲା କରୁଛି । ଯୁଦ୍ଧ ଚାଲୁଥିବା ରାଷ୍ଟ୍ର ଗୁଡିକରେ ଦେଶର ଲକ୍ଷାଧିକ ପରିବାର କାମ କରୁଛନ୍ତି । ଏସବୁ ଦେଶ ପ୍ରତି ମୁଁ କୃତଜ୍ଞ, କୋଟି କୋଟି ଭାରତୀୟଙ୍କୁ ସେମାନେ ସାହାଯ୍ୟ କରୁଛନ୍ତି ।’
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ ମାର୍ଚ୍ଚ ମାସରେ ବିଶ୍ବ ଅନେକ କଠିନ ପରିସ୍ଥିତି ଦେଇ ଗତି କରୁଛି । ପୂର୍ବରୁ ବି ମାର୍ଚ୍ଚ ମାସରେ କୋଭିଡକୁ ନେଇ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଆମକୁ ଅନୁଭବ ହେଉଥିଲା କୋଭିଡରୁ ବାହାରିବା ପରେ ବିଶ୍ବ ନୂଆ ରାସ୍ତାରେ ଆଗକୁ ବଢିବ । କିନ୍ତୁ ବିଶ୍ବରେ ଲଗାତର ଯୁଦ୍ଧ ପରିସ୍ଥିତି ଜାରି ରହିଛି । ଯାହାକି ଦୁର୍ଭାଗ୍ୟପୂର୍ଣ୍ଣ ଅଟେ ।’
ଯୁଦ୍ଧ ଚାଲିଥିବା ରାଷ୍ଟ୍ର ଗୁଡିକରେ ଅଶୋଧିତ ତୈଳ, ଗ୍ୟାସ୍, ଇନ୍ଧନର ପ୍ରମୁଖ କେନ୍ଦ୍ର ରହିଛି । ଏହି କ୍ଷେତ୍ରରେ ଗୁଡିକରେ ଯୁଦ୍ଧ କାରଣରୁ ସାରା ବିଶ୍ବରେ ପେଟ୍ରୋଲ, ଡିଜେଲ, ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି । ହୋର୍ମୁଜ ପ୍ରଣାଳୀ ବନ୍ଦ ରହିଥିବା କାରଣରୁ ତୈଳ ପରିବହନ ବାଧାପ୍ରାପ୍ତ ହୋଇଛି । ଫଳରେ ବାଣିଜ୍ୟ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି । ସରକାର ଏସବି ସମସ୍ୟା ଯେପରି ନଦେଖାଯାଏ ଏଥିପାଇଁ ପ୍ରୟାସ ଜାରି ରଖିଛନ୍ତି । ଘରୋଇ ଏଲପିଜି ଯେପରି ଉପଭୋକ୍ତାଙ୍କୁ ମିଳିବ ଏହା ସରକାରଙ୍କ ପ୍ରଥମ ପ୍ରାଥମିକତା ରହିଛି । ଦେଶରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ 5.3 ମିଲିୟନ ଟନରୁ ଅଧିକ ରହିଛି । ଏହାକୁ ଆହୁରି ବୃଦ୍ଧି କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।