ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ କାକିନାଡା ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ । ଜିଲ୍ଲାର ଭେଟଲାପାଲିମ ସ୍ଥିତ ସମରଲାକୋଟା ମଣ୍ଡଳରେ ଥିବା ଏକ ବାଣ ଉତ୍ପାଦନ କାରଖାନାରେ ବଡ଼ ବିସ୍ଫୋରଣ ଘଟିଛି । ଗୋଦାବରୀ କେନାଲ ପାଖରେ ଥିବା ସୂର୍ଯ୍ୟଶ୍ରୀ ବାଣ ତିଆରି କାରଖାନାରେ ଅପରାହ୍ନ ପ୍ରାୟ ୨ଟା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଏହି ଘଟଣା
େ 21 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଶୋକ ପ୍ରକାଶ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
ଭୟଙ୍କର ବିସ୍ଫୋରଣ ପରେ କଳା ଧୂଆଁ ସମଗ୍ର ଅଞ୍ଚଳରେ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ବିସ୍ଫୋରଣ ପ୍ରାୟ 5 କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା । ଶବ୍ଦର ତୀବ୍ରତା ଯୋଗୁଁ ପଡ଼ୋଶୀ ଗାଁର ଏକ ଘରୋଇ ସ୍କୁଲର ସ୍ଲାବ ଫାଟି ଯାଇଛି । ତେବେ ସୂଚନା ପାଇବା ପରେ, ଅଗ୍ନିଶମ ବିଭାଗର କର୍ମଚାରୀମାନେ 2ଟି ଦମକଳ ଗାଡ଼ି ସାହାଯ୍ୟରେ ନିଆଁ ଲିଭାଇଥିଲେ । 8 ଜଣ ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଛି ।
ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ବୋଲି ଜଣାପଡିଛି । ବିସ୍ଫୋରଣ ଯୋଗୁଁ ମୃତଦେହ କ୍ଷେତରେ ଫିଙ୍ଗାଯାଇଛି । ଆଖପାଖର ପାଞ୍ଚଟି ଗାଁରେ ଘନ ଧୂଆଁର ଆସ୍ତରଣ ଖେଳିଯାଇଛି । ବିସ୍ଫୋରଣର ଶବ୍ଦ ଶୁଣି ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡ଼ିଥିଲେ ଏବଂ ସରକାରୀ ଅଧିକାରୀମାନେ ବିସ୍ଫୋରଣସ୍ଥଳରେ ପହଞ୍ଚିଛନ୍ତି । ପୂର୍ବରୁ ସେହି ଗାଁର ଏକ ବାଣ ତିଆରି କାରଖାନାରେ ସମାନ ପ୍ରକାରର ଘଟଣା ଘଟିଥିଲା ।
ଅଧିକାରୀମାନେ ଆନ୍ଧପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ବିସ୍ଫୋରଣ ଘଟଣା ବିଷୟରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ଅଧିକାରୀମାନଙ୍କୁ ତୁରନ୍ତ ରିଲିଫ୍ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ସହିତ ଗୃହମନ୍ତ୍ରୀ ଅନିତାଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୃହମନ୍ତ୍ରୀ ଭାଙ୍ଗାଲାପୁଡି ଅନିତା ଘଟଣାସ୍ଥଳକୁ ଯାଇଛନ୍ତି। ଚନ୍ଦ୍ରବାବୁ ବର୍ତ୍ତମାନ ବିଜୟନଗରମ୍ ଜିଲ୍ଲା ଗସ୍ତରେ ଅଛନ୍ତି ।