ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ରାଜ୍ୟ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛି ବିରୋଧୀ ବିଜେଡି । ଓଡ଼ିଶାର ସ୍ଵାର୍ଥ ପାଇଁ ମୋହନ ସରକାର କିଛି କରୁ ନାହାନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଘେରିଛନ୍ତି ବିଜେଡିର ତିନି ଜଣ ବରିଷ୍ଠ ନେତା । ମହାନଦୀ ବାବଦକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛି ବିଜେଡି । ଆଗାମୀ ଦିନ ମହାନଦୀକୁ ନେଇ ବଡ଼ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ଦଳ ।

ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ମହାନଦୀ କ୍ଷେ

ତ୍ରରେ ଓଡ଼ିଶାର ନାର୍ଯ୍ୟ ଅଧିକାର ପାଇଁ ସରକାରଙ୍କ ପଦକ୍ଷେପ ସଂଶୟ ସୃଷ୍ଟି କରୁଛି । ଆମ ଦଳର ମହାନଦୀ କମିଟି ପକ୍ଷରୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ବିଜେପି ସରକାର କେବଳ ଆରୋପ ପ୍ରତ୍ୟାରୋପରେ ମତିଛନ୍ତି । ଦ୍ଵନ୍ଦ୍ବ ପରିସ୍ଥିତିରେ ରାଜ୍ୟ ସରକାର ରହିଛନ୍ତି । ଓଡ଼ିଶା ତାର ଯେଉଁ ହକ୍ କେନ୍ଦ୍ରରୁ ପାଇବା କଥା ପାଇ ନାହାନ୍ତି । ଛତିଶଗଡ଼ ମନ ଇଚ୍ଛା ବ୍ୟାରେଜ କରିଛି । ୨୦୧୬ ମସିହା ସେପ୍ଟେମ୍ବର ୩୦ ତାରିଖରେ କାମ ବନ୍ଦ କରିବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଥିଲେ । ଯେଉଁ ଜଳ ବିବାଦ ଉପୁଜିଛି ସେଥିରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ । ୨୦୧୭ ମସିହା ଜୁନ୍ ୩୦ ତାରିଖରେ ମୋଦି ସରକାରଙ୍କୁ ମଧ୍ୟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ମହାନଦୀ ବିବାଦ ସମାଧାନ କରିବାକୁ ଚାହିଁଥିଲେ । ଟ୍ରିପଲ ଇଞ୍ଜିନ ସରକାର ଗଠନ ପରେ ଆମେ ଆଶା କରିଥିଲୁ ମହାନଦୀ ଜଳ ବିବାଦର ସମାଧାନ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡିସେମ୍ବରରେ କହିଥିଲେ କି ମହାନଦୀ ବିବାଦ ଆପୋଷରେ ସମାଧାନ ହୋଇଯିବ । କିନ୍ତୁ ତାହା ହେଲା ନାହିଁ । ଆମେ ନିରାଶ । ଆପୋଷ ସମାଧାନ ହେଉନାହିଁ । ଛତିଶଗଡ଼ ଏକପାଖିଆ ରାଜୁତି ଚଳାଇଛି । ଓଡ଼ିଶାର ସ୍ବାର୍ଥ ଓ ହକ୍ ପାଇଁ ଆମେ ଓଡ଼ିଶା ସରକାରଙ୍କ ନିକଟରେ ଦାବି କରୁଛୁ କି ବର୍ତ୍ତମାନ ସୁଦ୍ଧା କ'ଣ ଆପୋଷ ସମାଧାନ ଦିଗରେ ସରକାର ଯାଉଛନ୍ତି ତାହା ରାଜ୍ୟବାସୀଙ୍କ ପାଖରେ ସ୍ପଷ୍ଟ କରନ୍ତୁ ।"

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ପ୍ରତିଦିନ ଓଡ଼ିଶା ପ୍ରତି ଅନ୍ୟାୟ ହେଉଛି । କିନ୍ତୁ କେନ୍ଦ୍ର ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି । ଆମ ସରକାର ସମୟରେ ମହାନଦୀକୁ ନେଇ କେନ୍ଦ୍ରଠାରୁ ଆରମ୍ଭ କରି ଛତିଶଗଡ଼ ସହ ଆଲୋଚନା କଲୁ । କିନ୍ତୁ କେହି ଶୁଣିଲେ ନାହିଁ । ଆମେ ଆଶା କଲୁ କି ଆଜି ଟ୍ରିପଲ ଇଞ୍ଜିନ ସରକାର ଆସିଛି । ଆମର ଆଶା ରହିଥିଲା କି ସମସ୍ୟା ତ୍ୱରିତ ଦିଗରେ ସମାଧାନ ହେବ । କିନ୍ତୁ ତାହା ଭୁଲ । ଆଶା ଆଶାରେ ରହିଗଲା । ଆମେ ନିରାଶ ହୋଇଛୁ । ସରକାର ଆପୋଷ ସମାଧାନ କଥା କହି ବିବାଦକୁ ଘନୀଭୂତ କରିଛନ୍ତି ।ଓଡ଼ିଶାର ନ୍ୟାୟ ପାଇଁ ଓଡ଼ିଶା ସରକାର ଲଢେଇ କରନ୍ତୁ ଆମେ ଛିଡା ହେବୁ । କିନ୍ତୁ ସରକାର ଛଳନା ନକରନ୍ତୁ ।"


0 Comments