କେନ୍ଦୁଝର:  ଓଡ଼ିଶାର କେନ୍ଦୁଝର ଜିଲ୍ଲା ଶଙ୍କରପୁରସ୍ଥିତ ଓଡ଼ିଶା ଟାଟା ଆର୍ଚେରୀ ହାଇ ପରଫରମାନ୍ସ ସେଣ୍ଟର (ଓଟିଏପିଏଚସି) ଏବେ ଦେଶର ଭବିଷ୍ୟତର ଧନୁର୍ଦ୍ଧରମାନଙ୍କ କ୍ରୀଡ଼ାଭୂମି ସାଜିଛି। ଓଡ଼ିଶା ସରକାର ଏବଂ ଟାଟା ଷ୍ଟିଲର ମିଳିତ ପ୍ରଚେଷ୍ଟାରେ ଏହି ସେଣ୍ଟରରୁ ମାତ୍ର ୨୨ ମାସରେ ୧୪ ଜଣ ଜାତୀୟସ୍ତରର ଖେଳାଳି ସୃଷ୍ଟି ହୋଇପାରିଛନ୍ତି। ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ଆଧୁନିକ ପ୍ରଶିକ୍ଷଣ ମାଧ୍ୟମରେ ଏହି କେନ୍ଦ୍ର ବିଶେଷ କରି ରାଜ୍ୟର ଜନଜାତି ଓ ଗ୍ରାମାଞ୍ଚଳର ପ୍ରତିଭାମାନଙ୍କୁ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ କରୁଛି। 

୨୦୨୪ ମସିହାରେ ଓଡ଼ିଶା ସରକାର ଏବଂ ଟାଟା ଷ୍ଟିଲର ମିଳିତ ପ୍ରୟାସରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୪ ଜଣ କ୍ୟାଡେଟ (୧୨ ଜଣ ବାଳକ ଓ ୧୨ ଜଣ ବାଳିକା) ଙ୍କୁ ନେଇ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଆଧୁନିକ ଉପକରଣ ଏବଂ ବିଶେଷଜ୍ଞଙ୍କ ଦ୍ୱାରା ପ୍ରଶିକ୍ଷଣ କାର୍ଯ୍ୟ ହୋଇଥିଲା। ସମୟାନୁକ୍ରମେ ଏହା କେବଳ ଏକ ପ୍ରଶିକ୍ଷଣ କେନ୍ଦ୍ର ହୋଇ ରହିନାହିଁ, ବରଂ ଗ୍ରାମାଞ୍ଚଳ ଓ ଜନଜାତି ସମ୍ପ୍ରଦାୟରୁ ଆସୁଥିବା ପ୍ରତିଭାମାନଙ୍କୁ ଉଚ୍ଚକୋଟୀର ଆଥଲେଟ୍‌‌ ଭାବେ ଗଢ଼ିତୋଳିବାର ଏକ ସଫଳ ମାଧ୍ୟମ ପାଲଟିଛି ।

ଜାତୀୟସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ମାଲକାନଗିରି ଜିଲ୍ଲାର ନକ୍ସଲ ପ୍ରଭାବିତ ଦୁର୍ଗମ ଗ୍ରାମରେ ଜନ୍ମିତ ଅର୍ଜୁନ ଖରାଙ୍କ ପାଇଁ ଏହି ଯାତ୍ରା ଆଦୌ ସହଜ ନଥିଲା । ସାଧାରଣ ମୌଳିକ ସୁବିଧା ଅଭାବ ଭିତରେ ବଢ଼ିଥିବା ଜଣେ ଚାଷୀଙ୍କ ପୁଅ ଅର୍ଜୁନ । ୨୦୨୪ ମସିହାରେ ଓଟିଏପିଏଚସି ପାଇଁ ମନୋନୀତ ହେବା ପରେ ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିଲା । ଶୃଙ୍ଖଳିତ ପ୍ରଶିକ୍ଷଣ ଏବଂ ବୃତ୍ତିଗତ ମାର୍ଗଦର୍ଶନ ତାଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ଜାତୀୟସ୍ତରରେ ପହଞ୍ଚାଇ ପାରିଛି । ଆଜି ସେ ସିନିୟର ନ୍ୟାସନାଲ ଆର୍ଚେରୀ ଚାମ୍ପିଅନସିପ୍‌, ନ୍ୟାସନାଲ ଗେମ୍ସ ଏବଂ ଏନ୍‌ଟିପିସି ନ୍ୟାସନାଲ ର‍୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ ଭଳି ବଡ଼ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଆନ୍ତର୍ଜାତୀୟସ୍ତରରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବା ।

 ଅର୍ଜୁନ କୁହନ୍ତି, " ଜନଜାତି ପରିବାରର ହୋଇଥିବାରୁ ଧନୁର୍ବିଦ୍ୟା ପ୍ରତି ମୋର ପିଲାଦିନୁ ଆଗ୍ରହ ଥିଲା । ଓଡ଼ିଶା ଟାଟା ଆର୍ଚେରୀ ହାଇ ପରଫରମାନ୍ସ ସେଣ୍ଟରରେ ମିଳୁଥିବା ସୁବିଧା ମୋତେ ଧନୁର୍ବିଦ୍ୟା କ୍ଷେତ୍ରରେ ଆଗକୁ ବଢ଼ିବାରେ ସାହାଯ୍ୟ କରିଛି । ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିବା ମୋର ସ୍ୱପ୍ନ ।" 

ଏହି ସଫଳତା ସମ୍ପର୍କରେ ଟାଟା ଷ୍ଟିଲର ସ୍ପୋର୍ଟସ ଚିଫ୍ ମୁକୁଲ ବିନାୟକ ଚୌଧୁରୀ କହିଛନ୍ତି ଯେ, "ଓଡ଼ିଶା ଟାଟା ଆର୍ଚେରୀ ହାଇ ପରଫରମାନ୍ସ ସେଣ୍ଟର ତୃଣମୂଳସ୍ତରରୁ କ୍ରୀଡ଼ା ପ୍ରତିଭାଙ୍କୁ ଖୋଜି ବାହାର କରି ସେମାନଙ୍କୁ ଜାତୀୟସ୍ତରର ଶ୍ରେଷ୍ଠ ଖେଳାଳି ଭାବେ ଗଢ଼ିତୋଳିବା ପାଇଁ ପ୍ରତିବଦ୍ଧ । ଏହି ଯୁବ ଧନୁର୍ଦ୍ଧରମାନଙ୍କ ସଫଳତା ପ୍ରମାଣ କରୁଛି ଯେ ଯଦି ସଠିକ୍ ଭିତ୍ତିଭୂମି, ପ୍ରଶିକ୍ଷଣ

ଏବଂ ସହଯୋଗ ମିଳେ, ତେବେ ଓଡ଼ିଶା ଆନ୍ତର୍ଜାତୀୟସ୍ତରର ଚାମ୍ପିୟନ ସୃଷ୍ଟି କରିପାରିବ ।"

ସେହିପରି ଯାଜପୁର ଜିଲ୍ଲାର ସୀତା ହେମ୍ବ୍ରମଙ୍କ କାହାଣୀ ମଧ୍ୟ ଅତ୍ୟନ୍ତ ପ୍ରେରଣାଦାୟୀ । ପିଲାଦିନରୁ ବାପା, ମାଆ ଏବଂ ଭାଇଙ୍କୁ ହରାଇଥିବା ସୀତା ଅଳ୍ପ ବୟସରୁ ବହୁ ପାରିବାରିକ ଦାୟିତ୍ୱ ମୁଣ୍ଡାଇଥିଲେ । ସାନ ଭଉଣୀର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ କେନ୍ଦୁଝର ସେଣ୍ଟରରେ ଟ୍ରାଏଲ୍‌‌ ଦେଇଥିଲେ ଏବଂ ମନୋନୀତ ହୋଇଥିଲେ । ୨୦୨୪ ମସିହାରୁ ଓଏଟିଏଚ୍‌ପିସି ସହିତ ଯୋଡ଼ି ହେବା ପରେ ଧନୁର୍ବିଦ୍ୟା ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ସେ ଓଡ଼ିଶା ଷ୍ଟେଟ୍ ଇଣ୍ଟର ସ୍କୁଲ ଆର୍ଚେରୀ ଚାମ୍ପିଅନସିପ୍ ୨୦୨୫ରେ ପଦକ ଜିତି ରାଜ୍ୟସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ସୀତା କୁହନ୍ତି, "ଏହି ଏକାଡେମୀରେ ଯୋଗଦେବା ପୂର୍ବରୁ ମୋର ଧନୁର୍ବିଦ୍ୟା ବିଷୟରେ କୌଣସି ଜ୍ଞାନ ନଥିଲା । କିନ୍ତୁ ବିଗତ ଏକ ବର୍ଷ ମଧ୍ୟରେ ମୁଁ ଏଠାରେ ଯେଉଁ ବୈଷୟିକ କୌଶଳ ଶିଖିଲି, ତାହା ମୋତେ ସଫଳତା ଦେଇଛି । ଏହି ସୁବିଧା ଯୋଗାଇ ଦେଇଥିବାରୁ ମୁଁ ଟାଟା ଷ୍ଟିଲକୁ ଧନ୍ୟବାଦ ଜଣାଉଛି ।"

ଏକାଡେମୀର ପ୍ରଶିକ୍ଷକ ବିକାଶ ଉପାଧ୍ୟାୟଙ୍କ କହିବା ଅନୁଯାୟୀ, "ଏଠାରେ ଦିଆଯାଉଥିବା ଉଚ୍ଚମାନର ପ୍ରଶିକ୍ଷଣ ରାଜ୍ୟର ବିଭିନ୍ନ ଅଞ୍ଚଳର ପିଲାମାନଙ୍କ ପାଇଁ ଗେମ୍‌-ଚେଞ୍ଜର ସାବ୍ୟସ୍ତ ହୋଇଛି । କ୍ୟାଡେଟମାନଙ୍କ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଆମେ ଅନେକ ପଦକ ଜିତିବାରେ ସଫଳ ହୋଇଛୁ ।"

ଗତ ଡିସେମ୍ବର ୨୭-୨୮ରେ କଟକଠାରେ ଅନୁଷ୍ଠିତ ଓଡ଼ିଶା ରାଜ୍ୟ ଆର୍ଚେରୀ ଟୁର୍ଣ୍ଣାମେଣ୍ଟ-୨୦୨୫ରେ ଭଗବତ ବଳିଆରସିଂହ ଏବଂ ମୋନାଲିସା ନାୟକ ୧୫ ବଷର୍ରୁ କମ୍ ବାଳକ ଓ ବାଳିକା ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଏହି ଏକାଡେମୀର ସୁନିତା ନାୟକ ଏବଂ ସାବିତ୍ରୀ ପାତ୍ର, ଛତିଶଗଡ଼ ରାଜ୍ଯର ରାୟପୁର ଠାରେ ଗତ ଡିସେମ୍ବର ମାସରେ 

ଅନୁଷ୍ଠିତ ୪୫ ତମ ଏନ୍ ଟି ପି ସି  ଜୁନିଅର ନ୍ୟାସନାଲ ଚାମ୍ପିଅନସିପ୍ ରେ ବ୍ରୋଞ୍ଜ ପଦକ ଜିତି ଓଡିଶା ପାଇଁ ଗୌରବ ଆଣିଛନ୍ତି I 

 ସେହିପରି ଝାଡଖଣ୍ଡର ରାଞ୍ଚିରେ ଅନୁଷ୍ଠିତ ୬୯ତମ ଜାତୀୟ ସ୍କୁଲ ଗେମ୍ସ-୨୦୨୫-୨୬ରେ ଇଣ୍ଡିଭିଜୁଆଲ ଅଲିମ୍ପିକ ରାଉଣ୍ଡର ସୁନୀତା ନାୟକ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି I ସେହିପରି ସାବିତ୍ରୀ ପାତ୍ର ଟିମ୍ ଇଭେଣ୍ଟର ରୌପ୍ୟ ପଦକ ଜିତିଛନ୍ତି I

ବର୍ତ୍ତମାନ ଏହି କେନ୍ଦ୍ରରେ ୧୭ ଜଣ କ୍ୟାଡେଟ୍ ଅଛନ୍ତି, ଯେଉଁଥିରେ ଓଡ଼ିଶା ବାହାରୁ ୪ ଜଣ (ରାଜସ୍ଥାନରୁ ୩ ଜଣ ଓ ଉତ୍ତରପ୍ରଦେଶରୁ ଜଣେ) ସାମିଲ ଅଛନ୍ତି ।

ମାତ୍ର ୨୨ ମାସରେ ୧୪  ଜଣ ଜାତୀୟସ୍ତରର ଖେଳାଳି ସୃଷ୍ଟି ହେବା ସହ ୨୦ ଟି ଜାତୀୟ ଏବଂ ରାଜ୍ୟ ସ୍ତରୀୟ ପଦକ ହାସଲ ଏହାର ସଫଳତାକୁ ଦର୍ଶାଉଛି । ଏଠାର କ୍ୟାଡେଟମାନେ ଏବେ ସିନିୟର, ଜୁନିୟର, ସବ୍‌-ଜୁନିୟର ଏବଂ ସ୍କୁଲ ନ୍ୟାସନାଲ ଚାମ୍ପିଅନସିପ୍ ସହିତ ଆନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ହେଉଥିବା ଟ୍ରାଏଲରେ ମଧ୍ୟ ଭାଗ ନେଉଛନ୍ତି ।

0 Comments