ମୁମ୍ବାଇ: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର । ବାରାମତିରେ ବିମାନ ଅବତରଣ ବେଳେ କ୍ରାସ ହୋଇଥିଲା । ଦୁର୍ଘଟଣାରେ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିବା ବେଳେ, ବିମାନରେ ଥିବା ଅନ୍ୟ 4 ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବିମାନଟି ବାରାମତି ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ, ଏଥିରେ ଅଜିତ ପାୱାର ଥିଲେ । ଅଜିତ ପାୱାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭାରେ ଯୋଗ ଦେବା ପାଇଁ ବିମାନରେ ବାରାମତି ଯାଉଥିଲେ ।

ଏନସିପି ମୁଖ୍ୟ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଆଜି ଜିଲ୍ଲା ପରିଷଦ ଏବଂ ପଞ୍ଚାୟତ ସମିତି ନିର୍ବାଚନ ପ୍ରଚାର କରିବା ପାଇଁ ବାରାମତି ଯାତ୍ରା କରୁଥିଲେ । ଗତକାଲି କ୍ୟାବିନେଟ ବୈଠକ ଶେଷ ହେବା ପରେ, ସେ ଆଜି ସକାଳେ VSR ଆଭିଏସନ

ଦ୍ୱାରା ପରିଚାଳିତ ଏକ VT-SSK Learjet 45 ବିମାନରେ ବାରାମତି ଯାଉ ଆସୁଥିଲେ । ବିମାନରେ ଅଜିତଙ୍କ ସହ 2 ଜଣ କର୍ମଚାରୀ (1 ପିଏସଓ ଏବଂ 1 ଆଟେଣ୍ଡାଣ୍ଟ) ଏବଂ ୨ ଜଣ କ୍ରୁ (ପିଆଇସି+ଏଫଓ) ସଦସ୍ୟ ଥିଲେ ।

ବିମାନ ବାରାମତି ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣା ଘଟିଥିଲା । ଚାର୍ଟର ବିମାନଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବାରାମତି ଅଗ୍ନିଶମ ବିଭାଗ କର୍ମଚାରୀ, ତୁରନ୍ତ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଥିଲେ । ସେମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାରେ ଅଜିତଙ୍କ ସମେତ 5 ଜଣଙ୍କ ମୃତ୍ୟ ଘଟିଛି ।

ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ଖବର ପାଇ ଦିଲ୍ଲୀରେ ଥିବା ଶରଦ ପାୱାରଙ୍କ ସମେତ ପରିବାର ସଦସ୍ୟ ମହାରାଷ୍ଟ୍ର ବାହାରିଛନ୍ତି । ଶରଦ ପାୱାର, ସୁପ୍ରିୟା ସୁଲେ, ଅତିଜ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଏବଂ ପୁ୍ଅ ପାର୍ଥ ବାରାମତି ଅଭିମୁଖେ ଯାତ୍ରା କରିଛନ୍ତି ।

ମହାରାଷ୍ଟ୍ରର ଅନ୍ୟତମ ଟାଣୁଆ ରାଜନେତା ଥିଲେ ଅଜିତ ପାୱାର । ସେ 22 ଜୁଲାଇ 1959 ମସିହାରେ ମହାରାଷ୍ଟ୍ର ଅହମଦନଗର ଜିଲ୍ଲା ଦେଓଲାଲି ପ୍ରଭରାରେ ଜନ୍ମଗ୍ରହଣ କରିଥିଲେ । ଅଜିତ ପାୱାର ହେଉଛନ୍ତି ଶରଦ ପାୱାରଙ୍କ ବଡ଼ ଭାଇ ଅନନ୍ତରାଓ ପାୱାରଙ୍କ ପୁଅ । ତାଙ୍କ କାକା ଶରଦ ପାୱାରଙ୍କ ପଦାଙ୍କ ଅନୁସରଣ କରି, ଅଜିତ ପାୱାର, 1982 ମସିହାରେ ଏକ ସମବାୟ ଚିନି କାରଖାନାର ବୋର୍ଡକୁ ନିର୍ବାଚିତ ହେବା ସହ ରାଜନୀତିରେ ପ୍ରଥମ ଥର ପାଇଁ ପ୍ରବେଶ କରିଥିଲେ । ସେ ପ୍ରଥମଥର ପାଇଁ 1991 ମସିହାରେ ବାରାମତୀ ଲୋକସଭା କ୍ଷେତ୍ରରୁ ସଂସଦକୁ ନିର୍ବାଚିତ ହୋଇଥିଲେ । କିନ୍ତୁ, ନରସିଂହ ରାଓ ସରକାରରେ ଶରଦ ପାୱାର ପ୍ରତିରକ୍ଷା ମନ୍ତ୍ରୀ ହେବା ପରେ ସେ ଏହି ଆସନ ଛାଡି ଦେଇଥିଲେ । ପରେ, ସେ ବାରାମତୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସାତ ଥର ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ । ଆଜି ବିମାନ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ 66 ବର୍ଷ ବୟସ ହୋଇଥିଲା।

ଅଜିତଙ୍କ ଅକାଳ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଶିଷ୍ଟ ନେତାମାନେ ଶୋକ ବ୍ୟକ୍ତ କରିଛନ୍ତି ।

0 Comments