ଭୁବନେଶ୍ବର: 6 ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର 5ଟି ଜିଲ୍ଲା ଯାଜପୁର, ପୁରୀ, ଖୋର୍ଦ୍ଧା, ବାଲେଶ୍ବର ଓ ମୟୂରଭଞ୍ଜରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା 6ଟା 30ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ସେଠାରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଅନେକ ନେତୃବୃନ୍ଦ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ଆଜି ଲୋକ ଭବନରେ ରାତ୍ରୀ ଯାପନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଆସନ୍ତାକାଲି (ମଙ୍ଗଳବାର) ସକାଳ 8.30ରେ ଲୋକ ଭବନରୁ ବାହାରି ବିମାନ ଯୋଗେ 9.30ରେ ଯାଜପ
ୁର ସ୍ଥିତି ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡରେ ପହଞ୍ଚିବେ । 9.50ରେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିରରେ ପହଞ୍ଚିବେ । 10.00ଟାରେ ନାଭିଗୟାରେ ପହଞ୍ଚି ପିଣ୍ଡଦାନ କରିବା ସହ ମା' ବିରଜାଙ୍କ ଦର୍ଶନ କରିବେ । ସେଠାରୁ ବାହାରି 12ଟା 40ରେ ବାଲେଶ୍ବର ଫକୀର ମୋହନ ବିଶ୍ବବିଦ୍ୟାଳୟ ଯିବେ । ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସନ୍ଧ୍ୟା 6.00ଟା ସୁଦ୍ଧା ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ । ପୁରୀ ଲୋକ ଭବନ ଯାଇ ରାତ୍ରୀଯାପନ କରିବେ । 4 ତାରିଖ (ବୁଧବାର) ପୁରୀ ଶ୍ବେତଗଙ୍ଗାରେ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଯାଜପୁର ଓ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।
ସେପଟେ 4 ତାରିଖ ଦିନ ହିଁ ପୁରୀରୁ ସିଧାସଳଖ ଜନ୍ମମାଟି ମୟୂରଭଞ୍ଜ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ରାଇରଙ୍ଗପୁରସ୍ଥିତ ଘରେ ରାତ୍ରୀ ଯାପନ ମଧ୍ୟ କରିବେ । ବୁଧବାର, ଗୁରୁବାର ଏବଂ ଶୁକ୍ରବାର ରାଇରଙ୍ଗପୁର ଏବଂ ଜଶିପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଶିମିଳିପାଳ ମଧ୍ୟ ଯିବେ । ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ମହାମହିମ ରାଷ୍ଟ୍ରପତି ରାଇରଙ୍ଗପୁରର ମହୁଲଡିହାସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ । ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଏବଂ ଡାକ୍ତରଖାନା, ଓୟୁଏଟି କ୍ୟାମ୍ପସ, ତୀରନ୍ଦାଜୀ କେନ୍ଦ୍ର, ସହରୀ ସୌନ୍ଦର୍ଯ୍ୟକରଣ ଏବଂ ଡ୍ରେନେଜ ଅପଗ୍ରେଡେସନ୍ ପ୍ରକଳ୍ପ ଏବଂ ରାଇରଙ୍ଗପୁରରେ ଏମଏସସିବି ବିଶ୍ୱବିଦ୍ୟାଳୟ ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ ଭଳି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ଫେବୃଆରୀ ୬ ତାରିଖ ଦିନ ରାଷ୍ଟ୍ରପତି ଶିମିଳିପାଳଠାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଏବଂ ଯୁବକମାନଙ୍କ ସହ ଭାବବିନିମୟ କରିବେ । ସେହିଦିନ ସେ ପଶ୍ଚିମବଙ୍ଗର ଯାଇ ପୁଣି ଭୁବନେଶ୍ୱର ଫେରିବେ । ଭୁବନେଶ୍ବର ଫେରି ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱର୍କ ସହଯୋଗରେ ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ 'ବ୍ଲାକ ସ୍ୱାନ ସମିଟ, ଇଣ୍ଡିଆ'ରେ ମଧ୍ୟ ଯୋଗ ଦେବେ । ଫେବ୍ରୁଆରୀ ୭ରେ ରାଷ୍ଟ୍ରପତି ଛତିଶଗଡ଼ର ଜଗଦଲପୁରରେ 'ବସ୍ତର ପାଣ୍ଡୁମ ୨୦୨୬' ମହୋତ୍ସବ ଉଦଘାଟନ କରିବେ । ଗସ୍ତ ଶେଷ ହେବା ପରେ ସେ ରାୟପୁର ବିମାନବନ୍ଦରରୁ ଦିଲ୍ଲୀ ଯିବେ ।