କେନ୍ଦୁଝର: ଜିଲ୍ଲା ଖଣିଜ ଅନୁଷ୍ଠାନ (ଡିଏମଏଫ୍) ର ଅର୍ଥ ସହାୟତାରେ ଚାଲିଥିବା ଡିଏମଏଫ୍–ଉଦ୍ୟମୀ ପ୍ରକଳ୍ପ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ପି.ଏମ୍‌.ଇ.ଜି.ପି ଯୋଜନା ଅନ୍ତର୍ଗତ ଆଜି ସଦର ବ୍ଲକର ଡି.ଡି. କଲେଜ ରୋଡ଼ଠାରେ ଉଦ୍ୟମୀ ଇପ୍ସିତା ପଟ୍ଟନାୟକ ଙ୍କ ଦ୍ୱାରା ସ୍ଥାପିତ ଏକ ଆଧୁନିକ ଡ୍ରାଏ କ୍ଲିନିଂ (ଟମ୍ୱଲ ଡ୍ରାଏ) କେନ୍ଦ୍ର ଶୁଭ ଉଦ୍ଘାଟନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ଗଣେଶ ନାୟକ, ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ପରିଚାଳକା ମଲ୍ଲିକା ମୂର୍ମୁ ଓ ଅପର୍ଣ୍ଣା ସାହୁ ଯୋଗଦେଇ ଉଦ୍ୟମୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ କେନ୍ଦ୍ରର ଶୁଭ ଉଦ୍ଘାଟନ କରିଥିଲେ।

ଅତିଥିମାନେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ ଡିଏମଏଫ୍–ଉଦ୍ୟମୀ ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ଯୁବକ-ଯୁବତୀ ଓ ମହିଳାମାନଙ୍କୁ ସ୍ୱୟଂରୋଜଗାରର ସୁଯୋଗ ମିଳୁଛି, ଯାହା ଗ୍ରାମୀଣ ଓ ଖଣି ପ୍ରଭାବିତ ଅଞ୍ଚଳର ଅର୍ଥନୀତିକୁ ମଜବୁତ କରୁଛି। ଏପରି ମାଇକ୍ରୋ ଉଦ୍ୟମଗୁଡ଼ିକ ଆଗାମୀ ଦିନରେ ନୂତନ ରୋଜଗାର ସୃଷ୍ଟି ସହ ସ୍ଥାନୀୟ ସେବା

ଓ ଉତ୍ପାଦନକୁ ଆହୁରି ଗତି ଦେବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ।

ଭାରତୀୟ ଉଦ୍ୟମତା ବିକାଶ ସଂସ୍ଥା (ଇ.ଡି.ଆଇ.ଆଇ) ଦ୍ୱାରା ରୂପାୟଣ ହେଉଥିବା ଡିଏମଏଫ୍–ଉଦ୍ୟମୀ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ୫ ବର୍ଷ ମଧ୍ୟରେ ୩୫୦୦ଟି ନୂତନ ଉଦ୍ୟମ/ବ୍ୟବସାୟ ସୃଷ୍ଟି କରିବାକୁ ଲକ୍ଷ୍ୟ ଧରାଯାଇଛି। ଏହି ଲକ୍ଷ୍ୟ ପୂରଣ ପାଇଁ ସ୍ଥାନୀୟ ଯୁବକ-ଯୁବତୀ ଓ ମହିଳାମାନଙ୍କୁ ବ୍ୟବସାୟିକ ତାଲିମ, ବ୍ୟାଙ୍କ ସହ ଆର୍ଥିକ ସଂଯୋଗ, ସରକାରୀ ଯୋଜନା ସହ ସମନ୍ୱୟ, ମୂଲ୍ୟ ସଂଯୋଜନ, ବିକ୍ରୟ–ବଜାର ସହାୟତା, ଡିଜିଟାଲ ପ୍ରଚାର ଓ ବ୍ରାଣ୍ଡିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଏହି ପ୍ରୟାସ ମାଧ୍ୟମରେ ଗ୍ରାମୀଣ ଓ ଖଣି ପ୍ରଭାବିତ ଅଞ୍ଚଳରେ ସ୍ଥାୟୀ ସ୍ୱୟଂରୋଜଗାର ସୁଯୋଗ ବୃଦ୍ଧି ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ମୂଳ ଉଦ୍ଦେଶ୍ୟ ରହିଛି।

କାର୍ଯ୍ୟକ୍ରମ ଶେଷରେ ଉଦ୍ୟମୀଙ୍କ ସଫଳତା କାମନା କରାଯାଇ ସମସ୍ତଙ୍କ ସହଯୋଗରେ ଏପରି ଉଦ୍ୟମଗୁଡ଼ିକୁ ଆଗକୁ ନେବା ପାଇଁ ଆହ୍ୱାନ ଜଣାଇ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଇ.ଡି.ଆଇ.ଆଇ ର ଜିଲ୍ଲା କାର୍ଯ୍ୟକ୍ରମ ସଂଚାଳକ ଶ୍ରୀ ସଞ୍ଜୟ କୁମାର ସାହୁ ପରିଚାଳନା କରିଥିବାବେଳେ ଆଦିତ୍ୟ, ଅରବିନ୍ଦ ଓ ଲକ୍ଷ୍ମଣ ସହଯୋଗ କରିଥିଲେ।

0 Comments