ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଆସନ୍ତା 2026 ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ଆଜି (ମଙ୍ଗଳବାର) ଓଡ଼ିଶାରୁ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳର କେନ୍ଦ୍ରୀୟ ସଂସଦୀୟ ସମିତି ପକ୍ଷରୁ

ପ୍ରକାଶିତ ପ୍ରେସ ବିଜ୍ଞପ୍ତି ଅନୁସାରେ ମନମୋହନ ସାମଲ ଓ ସୁଜୀତ କୁମାରଙ୍କୁ ଓଡ଼ିଶାରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯାଇଛି ।

ମାର୍ଚ୍ଚ 3 ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ବିଭିନ୍ନ ରାଜ୍ୟ ସହ ଓଡ଼ିଶାର ଦୁଇଟି ଆସନ ପାଇଁ ଏହି ଦୁଇ ନାମକୁ ଅନୁମୋଦନ ଦିଆଯାଇଥିବା ଉଲ୍ଲେଖ ରହିଛି ।

ମନମୋହନ ସାମଲ ବର୍ତ୍ତମାନ ଓଡ଼ିଶା ବିଜେପିର ରାଜ୍ୟ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ । ସେ ଦୀର୍ଘଦିନ ଧରି ଦଳୀୟ ସଂଗଠନ ସହ ଜଡ଼ିତ ରହିଛନ୍ତି ଏବଂ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରିବାରେ ଭୂମିକା ଗ୍ରହଣ କରିଛନ୍ତି । ପୂର୍ବରୁ ସେ ବିଧାୟକ ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସଂଗଠନାତ୍ମକ କୌଶଳ ଓ ଦଳୀୟ ନିଷ୍ଠା ପାଇଁ ସେ ରାଜ୍ୟରେ ଏକ ପରିଚିତ ମୁହଁ ।

ସୁଜୀତ କୁମାର ଓଡ଼ିଶାର ଏକ ଯୁବ ଓ ପ୍ରଭାବଶାଳୀ ନେତା ଭାବେ ପରିଚିତ । ସେ ପୂର୍ବରୁ ରାଜ୍ୟସଭା ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟରତ ଥିଲେ ଏବଂ ସଂସଦରେ ଓଡ଼ିଶା ସମ୍ବନ୍ଧୀୟ ବିଭିନ୍ନ ମୁଦ୍ଦା ଉଠାଇଥିଲେ । କଳାହାଣ୍ଡି ଅଞ୍ଚଳ ସହ ତାଙ୍କର ଗଭୀର ସମ୍ପର୍କ ରହିଛି ଏବଂ ଆଇନ ପେଶାରୁ ରାଜନୀତିରେ ପ୍ରବେଶ କରିଥିବା ସୁଜୀତ କୁମାର ଦଳୀୟ ନୀତି ଓ ଜାତୀୟ ପ୍ରସଙ୍ଗରେ ସକ୍ରିୟ ଭୂମିକା ନେଇଆସୁଛନ୍ତି । ସେ ପୂର୍ବରୁ ବିଜେଡି ପାର୍ଥି ଭାବେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।

ବିଜେପିର ଏହି ଘୋଷଣା ପରେ ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ରାଜ୍ୟସଭା ନିର୍ବାଚନରେ ଦଳ ଏହି ଦୁଇ ଅନୁଭବୀ ନେତାଙ୍କ ଉପରେ ଭରସା ଦେଖାଇଛି ।

0 Comments