ଜମ୍ମୁ କାଶ୍ମୀର ଏବଂ କର୍ଣ୍ଣାଟକ ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ୍ ଡ୍ର ରେ ଶେଷ ହୋଇଛି । ଆଉ ଏପରି ସ୍ଥିତିରେ ପ୍ରଥମ ଇନିଂସରେ ୨୯୧ ରନ୍ ର ଲିଡ୍ ଯୋଗୁଁ ଜମ୍ମୁ କାଶ୍ମୀରକୁ ବିଜେତା ଘୋଷଣା କରାଯାଇଛି । ଜମ୍ମୁ କାଶ୍ମୀର ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ୍ ଜିତି ଇତିହାସ ରଚିଛି । ଯେତେବେଳେ କି ନବମ ଥର ପାଇଁ ଟାଇଟଲ୍ ଜିତିବାର କର୍ଣ୍ଣାଟକର ସ୍ୱପ୍ନ ଭାଙ୍ଗି ଯାଇଛି । ଜମ୍ମୁ କାଶ୍ମୀର ଟସ୍ ଜିତି ପ୍ରଥମ ଇନିଂସରେ ୫୮୪ ରନ କରିଥିଲା । ଯାହାର ଜବାବରେ କର୍ଣ୍ଣାଟକ କେବଳ ୨୯୩ ରନ୍ କରିପାରିଥିଲା ।

ମ୍ୟାଚ୍ ର ପଞ୍ଚମ ଏବଂ ଶେଷ ଦିନରେ, ଜମ୍ମୁ କାଶ୍ମୀର ୩୪୨/୪ରେ ସେମାନଙ୍କର ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା, ଯାହା ଫଳରେ ସେମାନଙ୍କର ମୋଟ ଲିଡ୍ ୬୩୩ ରନକୁ ବୃଦ୍ଧି ପାଇଥିଲା । ତଥାପି, କର୍ଣ୍ଣାଟକ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ନକରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଜମ୍ମୁ କାଶ୍ମୀର ଅଧିନାୟକଙ୍କ ସହ ହାତ ମିଳାଇବା ପରେ ମ୍ୟାଚ୍ କୁ ଡ୍ର ରେ ଶେଷ କରିବାକୁ ଇଚ୍ଛା ପ୍ରକାଶ କରିଥିଲା । ଏହାପରେ ଜମ୍ମୁ କାଶ୍ମୀରକୁ ସେମାନଙ୍କର ପ୍ରଥମ ଇନିଂସ ଲିଡ୍ ଆଧାରରେ ଚାମ୍ପିଅନ୍ ଘୋଷଣା କରାଯାଇଥିଲା ।

ଜମ୍ମୁ କାଶ୍ମୀରର ଶୁଭମ ପୁଣ୍ଡିରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଛି । ସେ ଫାଇନାଲ ମ୍ୟାଚ୍ ର ପ୍ରଥମ ଇନିଂସରେ ଚମତ୍କାର ୧୨୧ ରନ୍ କରିଥିଲେ, ଯାହା ଜମ୍ମୁ କାଶ୍ମୀରକୁ ଏକ ବଡ଼ ସ୍କୋର କରିବାରେ ସାହାଯ୍ୟ କରିଥିଲା । ଏଥିସହ ଦ୍ରୁତ ବୋଲର ଆକିବ ନବିଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି । ସେ ଏହି ସିଜନରେ ସର୍ବାଧିକ ୬୦ଟି ୱିକେଟ୍ ନେଇଥିଲେ । ଯେଉଁଥିରେ ସାତଟି ପାଞ୍ଚ ୱିକେଟ୍ ରହିଛି । ନବି ମଧ୍ୟ ଫାଇନାଲ ମ୍ୟାଚ୍ରେ ପାଞ୍ଚ ୱିକେଟ୍ ନେଇଥିଲେ ।

ଫାଇନାଲ ମ୍ୟାଚ୍ ର ପଞ୍ଚମ ଏବଂ ଶେଷ ଦିନରେ, ଯେତେବେଳେ ଜମ୍ମୁ କାଶ୍ମୀର ଚା’ ସମୟ ପୂର୍ବରୁ ସେମାନଙ୍କର ଇନିଂସ ଘୋଷଣା କରିଥିଲେ, ସେତେବେଳେ କର୍ଣ୍ଣାଟକ ଅଧିନାୟକ ସମୟ ଅଭାବରୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ନକରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କ ପ୍ରତିପକ୍ଷ ପାରସ ଡୋଗ୍ରାଙ୍କ ସହ ହାତ ମିଳାଇ ଡ୍ର କରିବାକୁ ରାଜି ହୋଇଥିଲେ । ମ୍ୟାଚ୍ ଡ୍ର ହୋଇଥିଲା, କିନ୍ତୁ ପ୍ରଥମ ଇନିଂସରେ ଅଗ୍ରଣୀ ଯୋଗୁଁ ଜମ୍ମୁ କାଶ୍ମୀର ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଚାମ୍ପିଅନ ହୋଇ ଇତିହାସ ରଚିଥିଲା ।

0 Comments