ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ଘନଘଟା ପ୍ରଖର ହେବାରେ ଲାଗିଛି । ଯୁଦ୍ଧ ପ୍ରଭାବିତ ବିଭିନ୍ନ ଦେଶରେ ଫସି ରହିଛନ୍ତି ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ । ସେମାନଙ୍କୁ ଫେରାଇ ଆଣିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ବିରୋଧୀ ନେତା ନବୀନ ପଟ୍ଟନାୟକ । ଏପଟେ ବିଗତ ଦିନ ଭଳି ଏଥର ମଧ୍ୟ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ଓଡିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ।
ଇରାନ ଏବଂ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ଷିପ୍ର ହେବାରେ ଲାଗିଛି । ଉଭୟ ପକ୍ଷ ପରସ୍ପରର ସହଯୋଗୀ ରାଷ୍ଟ୍ରଙ୍କୁ କ୍ଷେପଣାସ୍ତ୍ର, ଡ୍ରୋନ ଆକ୍ରମଣ କରୁଛନ୍ତି । ଫଳରେ ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ମିଜାଇଲ ମାଡ଼ରେ ଥରି ଉଠୁଛି ଅତ୍ୟାଧୁନିକ ଅଟ୍ଟାଳିକା । ଭୁଶୁଡି ପଡୁଛି ସୁଉଚ୍ଚ ବିଲ୍ଡିଂ । ମଧ୍ୟପ୍ରାଚ୍ୟ ଦେଶରେ ଫସି ରହିଛନ୍ତି କୋଟି କୋଟି ଭା
ରତୀୟ । ସେମାନଙ୍କ ମଧ୍ୟରେ ଲକ୍ଷାଧିକ ପ୍ରବାସୀ ଓଡ଼ିଆ ରହିଛନ୍ତି । ବିଶେଷ କରି ଦୁବାଇ, ସାଉଦି ଆରବ, ବାହାରିନ ଭଳି ଦେଶରେ ଅଧିକାଂଶ ପ୍ରବାସୀ ଓଡ଼ିଆ ଅବସ୍ଥାନ କରୁଛନ୍ତି । ସେମାନେ ଭୟରେ କାଳାତିପାତ କରୁଛନ୍ତି । ପରିବାର ଲୋକ ମଧ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନରୁ ଓଡିଆଙ୍କ ଫସିରହିଥିବା ଖବର ସାମ୍ନାକୁ ଆସୁଛି । ଯୁଦ୍ଧ ଦିନକୁ ଦିନ ତୀବ୍ରତର ହେଉଥିବାରୁ ପ୍ରବାସୀ ଓଡିଆଙ୍କ ସୁରକ୍ଷା ଚିନ୍ତାର ବିଷୟ ପାଲଟିଛି । ମଧ୍ୟପ୍ରଚ୍ୟ ଦେଶ ଗୁଡିକରେ ବସବାସ କରୁଥିବା ପ୍ରବାସୀ ଓଡିଆ ଭିଡିଓ ବାର୍ତ୍ତା ମାଧ୍ୟମରେ ସେମାନଙ୍କୁ ସରକ୍ଷିତ ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ସେମାନଙ୍କ ପ୍ରିୟଜନକୁ ନିଜ ଘରକୁ ଫେରାଇ ଆଣିବାକୁ ପରିବାର ଲୋକ ମଧ୍ୟ ରାଜ୍ୟ ସରକାରଙ୍କୁ ଅନୁରୋଧ କରିନ୍ତି । ମଧ୍ୟପ୍ରାଚ୍ୟ ଦେଶରେ ଅବସ୍ଥାପିତ ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ବାବଦରେ ଚିନ୍ତିତ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେଥିପାଇଁ ନବୀନ ଆଜି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, "ସମସ୍ତ ଓଡ଼ିଆ ଫେରି ଆସିବେ । ବିଗତ ଦିନରେ ସରକାର ଯେମିତି ପଦକ୍ଷେପ ନେଇଥିଲେ, ଏଥର ମଧ୍ୟ ସେମିତି ନେବେ । ଟୋଲଫ୍ରୀ ନମ୍ବର ଜାରି ହୋଇଛି । ଲୋକେ ଯୋଗାଯୋଗ କରିବେ । ଲୋକେ ସୁରକ୍ଷିତ ସ୍ଥାନରେ ରହିବେ । ବାହାରକୁ ବାହାରିବେ ନାହିଁ । କାରଣ କ୍ଷେପଣାସ୍ତ୍ର ଓ ବୋମା ମାଡ଼ ହେଉଛି ।"ସେହିପରି ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ୨ ତାରିଖରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ସଂପର୍କିତ ଆଲୋଚନା ହୋଇଛି । ପରିସ୍ଥିତିକୁ ନଜର କରି ପ୍ରସ୍ତୁତି ଓ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଦେଇଛନ୍ତି । ପ୍ରବାସୀଙ୍କୁ ସହଯୋଗ ପାଇଁ ଭାରତର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଏକ ୨୪ ଘଣ୍ଟିଆ ଟୋଲଫ୍ରି ନମ୍ବର କରିଛନ୍ତି । ଏହି ନମ୍ବର ହେଉଛି ୮୦୦-୪୬୩୪୨ ଓ ହ୍ୱାଟ୍ସ ଆପ ନଂ- ୯୭୧୫୪୩୦୯୦୫୭୧ ରହିଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ସହାୟତା ଓ ସୂଚନା ନେଇ ଓଡ଼ିଶା ମୋ ପରିବାର, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ, ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ବା ପ୍ରୋଟେକ୍ଟର ଅଫ ଏମିଗ୍ରାଣ୍ଚସଙ୍କ ସହ ମିଳିତ ଭାବେ ଏକ ଓ୍ୱାର୍କିଂ ଗୃପ ଗଠନ କରାଯାଇଛି । ଓଡ଼ିଶା ପରିବାର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀଙ୍କୁ ପ୍ରିତୀଶ ପଣ୍ଡା ନୋଡାଲ ଅଧିକାରୀ ଭାବେ ସୂଚନା ଓ ସହାୟତା ପାଇଁ କାର୍ଯ୍ୟରତ ଅଛନ୍ତି । ସ୍ୱତନ୍ତ୍ର ଅଧିକାରୀଙ୍କ ଦୂରଭାଷ ନମ୍ବର - ୯୫୮୩୩୨୧୯୬୪ ରହିଛି ।