ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବଡ଼ଧରଣର ରାଜନୈତିକ ହଲଚଲ । ବିଜେଡି ଛାଡିଛନ୍ତି ପୂର୍ବତନ ବାଲେଶ୍ଵର ସାଂସଦ ରବୀନ୍ଦ୍ର କୁମାର ଜେନା । ରବୀନ୍ଦ୍ର ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ରବୀନ୍ଦ୍ର ବିଜେଡି ଛାଡିବା ପରେ ଖୁବଶୀଘ୍ର ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ସୃଷ୍ଟି ହେଉଛି । ରବୀନ୍ଦ୍ର ବିଜେଡି ଛାଡିବା ପରେ ତାଙ୍କ ପତ୍ନୀ ତଥା ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ଉପରେ ଏବେ ସମସ୍ତଙ୍କର ନଜର ।
ଯାହା ଚର୍ଚ୍ଚା ହେଉଥିଲା ତାହା ସତ ପ୍ରମାଣିତ ହେବାକୁ ଯାଉଛି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ବାଲେଶ୍ଵରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା । ବାଲେଶ୍ଵର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ନିଜର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ରବୀନ୍ଦ୍ର ନିଜର ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, "ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ମୋର ଇସ୍ତଫା ପତ୍ର ପ୍ରଦାନ କରୁଛି । ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ
ସଦସ୍ୟ ଭାବେ ରହି ଦଳର ସଙ୍ଗଠନକୁ ସୁଦୃଢ଼ କରିବା ସହ ବାଲେଶ୍ବରବାସୀଙ୍କ ସେବା କରିଆସିଛି । କିନ୍ତୁ କେତେକ ବ୍ୟକ୍ତିଗତ କାରଣ ଏବଂ ପରିସ୍ଥିତି ନିମନ୍ତେ ମୁଁ ଦଳରୁ ଅଲଗା ହେବାକୁ କଠିନ ନିଷ୍ପତ୍ତି ନେଇଛି । ଦଳ ସହିତ ମୋର ଦୀର୍ଘ ଦିନର ସମ୍ପର୍କ ମୋ ପାଇଁ ଏକ ସ୍ମରଣୀୟ ଯାତ୍ରା ହୋଇ ରହିବ । ଏହି ସମୟ ମଧ୍ୟରେ ମୋତେ ମିଳିଥିବା ସହଯୋଗ, ସମ୍ମାନ ଏବଂ ସୁଯୋଗ ପାଇଁ ରାଜ୍ୟ ନେତୃବୃନ୍ଦ, ସହକର୍ମୀ ଏବଂ ବାଲେଶ୍ବର ଜିଲ୍ଲାର ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି ।"
ବ୍ୟବସାୟରୁ ରାଜନୀତିରେ ପ୍ରବେଶ କରି ବିଜେଡି ଟିକେଟରେ ସାଂସଦ ହୋଇଥିଲେ ରବୀନ୍ଦ୍ର । ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ପ୍ରତାପ ଷଡଙ୍ଗୀଙ୍କୁ ପରାସ୍ତ କରି ସାଂସଦ ହୋଇଥିଲେ ରବୀନ୍ଦ୍ର । କିନ୍ତୁ ରବୀନ୍ଦ୍ର ୨୦୧୬ ମସିହାରେ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ପଡିଥିଲେ । ସିସୋର ଚିଟଫଣ୍ଡ ସଂସ୍ଥା ସହ ଆର୍ଥିକ କାରବାର ଅଭିଯୋଗରେ ରବୀନ୍ଦ୍ରଙ୍କୁ ସିବିଆଇ ପଚାରାଉଚରା କରିଥିଲା । ଫଳରେ ରବୀନ୍ଦ୍ର ବାଲେଶ୍ଵର ଜିଲ୍ଲାରେ ଲୋକପ୍ରିୟତା ହରାଇଥିଲେ । ଗୁଇନ୍ଦା ରିପୋର୍ଟ ଆଧାରରେ ରବୀନ୍ଦ୍ରଙ୍କ ପରାଜୟ ସୁନିଶ୍ଚିତ ବୋଲି ବିଜେଡି ଶିର୍ଷ ନେତୃତ୍ୱ ଅବଗତ ହୋଇଥିଲେ । କିନ୍ତୁ ପାୱାର କରିଡରକୁ ପ୍ରଭାବିତ କରି ଟିକେଟ ନେବାରେ ସଫଳ ହୋଇଥିଲେ ରବୀନ୍ଦ୍ର । ୨୦୧୯ ନିର୍ବାଚନରେ ଫଳାଫଳ ରବୀନ୍ଦ୍ରଙ୍କ ବିପକ୍ଷରେ ଯାଇଥିଲା । ପ୍ରତାପଙ୍କ ଠାରୁ ସେ ପରାସ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ଦଳ ରବୀନ୍ଦ୍ରଙ୍କୁ ବାଲେଶ୍ଵର ଜିଲ୍ଲା ସଭାପତି କରିଥିଲା । ୨୦୨୪ ନିର୍ବାଚନ ବିଜେଡି ରବୀନ୍ଦ୍ରଙ୍କୁ ଟିକେଟ ଦେବା ବଦଳରେ ତାଙ୍କ ପତ୍ନୀ ସୁବସିନୀ ଜେନାଙ୍କୁ ବିଧାନସଭା ଟିକେଟ ଦେଇଥିଲା । ସୁବାସିନୀ ବାଲେଶ୍ଵରର ବସ୍ତା ନିର୍ବାଚନ ମଣ୍ଡଳୀରୁ ବିଜେଡିକୁ ବିଧାନସଭାରେ ପ୍ରତିନିଧିତ୍ୱ କରୁଛନ୍ତି ।
ରବୀନ୍ଦ୍ରଙ୍କ ଇସ୍ତଫା ସାମ୍ପ୍ରତିକ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ରବୀନ୍ଦ୍ରଙ୍କ ଇସ୍ତଫା ଅନେକ ଆକଳନ ସୃଷ୍ଟି କରୁଛି । ରବୀନ୍ଦ୍ରଙ୍କ ଇସ୍ତଫା ଚାପ ନା ଦଳ ଭିତରେ ଥିବା ବିଶୃଙ୍ଖଳା ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ସେହିପରି ରାଜନୈତିକ ଆବଶ୍ୟକତା ନା ବ୍ୟବସାୟକୁ ସୁରକ୍ଷା ପାଇଁ ରବୀନ୍ଦ୍ରଙ୍କ ଇସ୍ତଫା ତାହା ମଧ୍ୟ ଜଣାପଡ଼ିବ । ହେଲେ ବିଜେଡିରୁ ଇସ୍ତଫା ଦେଇ ରବୀନ୍ଦ୍ର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଏବେଠୁ ଆରମ୍ଭ ହୋଇଯାଇଛି । ରବୀନ୍ଦ୍ର ବିଜେଡି ଛାଡିବା ପରେ ସୁବାସିନୀଙ୍କ ଗତି କ'ଣ ହେବ ସେ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଜ୍ୟସଭା ନିର୍ବାଚନରେ ହ୍ବିପ ନଥିବାରୁ ସୁବାସିନୀ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମିତି ହେଲେ ଦଳ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନେଇପାରେ । କିନ୍ତୁ ସଭ୍ୟପଦ ଯିବନାହିଁ । ରବୀନ୍ଦ୍ର, ସୁବାସିନୀ ହେଉଛନ୍ତି ବିଜେଡିର ଅନ୍ୟତମ ହେଭିୱେଟ ନେତା ଓ ପ୍ରଣବ ପ୍ରକାଶ ଦାସଙ୍କ ନିକଟ ସମ୍ପର୍କୀୟ ।