ଭୁବନେଶ୍ବର: ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) । ଏହି କାର୍ଯ୍

ୟକ୍ରମକୁ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଅଧିକାରୀଙ୍କ ପାଇଁ ଚାରି ଦିନିଆ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇଛି । ଏହି ପ୍ରଶିକ୍ଷଣ ଭୁବନେଶ୍ୱରର ଗୋଠପାଟଣା ସ୍ଥିତ ରେଭେନ୍ୟୁ ଅଫିସର୍ସ ଟ୍ରେନିଙ୍ଗ ଇନଷ୍ଟିଚ୍ୟୁଟରେ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୩ ତାରିଖ ଯାଏଁ ଚାଲିବ ।

ପ୍ରଥମ ଦିନ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ.ଗୋପାଲନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଦିନର ପ୍ରଶିକ୍ଷଣରେ ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ନିର୍ବାଚନ ପଞ୍ଜିକରଣ ଅଧିକାରୀ ବା ଇଆରଓ, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ବା ଏଇଆରଓ ଓ ଉପଜିଲ୍ଲାପାଳ ଯୋଗ ଦେଇଛନ୍ତି । ପ୍ରଶିକ୍ଷଣ ସମୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା, ଭୋଟର ତାଲିକା ସଂଶୋଧନ ପଦ୍ଧତି, ପୁରୁଣା ଭୋଟର ତାଲିକା ସହିତ ମତଦାତାଙ୍କ ମ୍ୟାପିଂ, ତଥ୍ୟ ସଂଗ୍ରହ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟନ୍ବୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଅଧିକାରୀମାନଙ୍କୁ ଅବଗତ କରାଯାଇଛି ।

ପ୍ରଶିକ୍ଷଣରେ ପ୍ରତିଷ୍ଠାନଗତ ଓ ମାନବ ସମ୍ବଳ ପ୍ରସ୍ତୁତିକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ପ୍ରକ୍ରିୟାର ପାରଦର୍ଶିତା ଓ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବା ପାଇଁ ରାଜନୈତିକ ଦଳମାନଙ୍କ ଦ୍ୱାରା ବୁଥ ସ୍ତରରେ ଏଜେଣ୍ଟ ବା ବିଏଲଏ ନିଯୁକ୍ତି, ବିଏଲଏଙ୍କ ପାଇଁ ମତଦାତା ଯାଞ୍ଚ ଓ ଫର୍ମ ପ୍ରବନ୍ଧନ ସମ୍ପର୍କିତ ପ୍ରଶିକ୍ଷଣ, ପ୍ରତ୍ୟେକ ପୋଲିଂ ବୁଥରେ ୨୦ ଜଣ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଚିହ୍ନଟ ଓ ୨୦୦୨ ମସିହାର ଭୋଟର ତାଲିକା ସହିତ ମତଦାତାଙ୍କ ମ୍ୟାପିଂ କାର୍ଯ୍ୟ ସମାପ୍ତି ଉପରେ ମଧ୍ୟ ଆଲୋଚନା ହୋଇଛି ।

ସେହିପରି ପରିଗଣନା ବା ଏନ୍ୟୁମେରେସନ ଫର୍ମ ଗୁଡ଼ିକର ଡିଜିଟାଇଜେସନ ପାଇଁ ଉପଯୁକ୍ତ ସ୍ଥାନ ଓ ଆବଶ୍ୟକ ସୁବିଧା ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଫର୍ମ ଗୁଡ଼ିକର ସ୍କାନିଂ, ଡାଟା ଏଣ୍ଟ୍ରି ଓ ସତ୍ୟାପନ କାମ ପାଇଁ ପ୍ରଶିକ୍ଷିତ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଭୋଟରଙ୍କର ଦାବି ଓ ଆପତ୍ତି ଶୁଣାଣି ପାଇଁ ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରାଯିବ । ଶିବିର ଗୁଡ଼ିକର ତାରିଖ, ସମୟ ଓ ସ୍ଥାନ ସମ୍ବନ୍ଧରେ ଭୋଟର ଓ ସମ୍ପୃକ୍ତ ହିତାଧିକାରୀଙ୍କୁ ପୂର୍ବରୁ ସୂଚନା ଯୋଗାଇ ଦିଆଯିବ ବୋଲି ଆଲୋଚନା ହୋଇଛି ।

ସେହିପରି ତଥ୍ୟ ପରିଚାଳନା ଓ ନିରୀକ୍ଷଣ ପାଇଁ ଇଆରଓ/ଏଇଆରଓ ସ୍ତରରେ ଆବଶ୍ୟକ ମାନବ ସମ୍ବଳ ସହିତ ଆଇଟି ସେଲ ସ୍ଥାପନ କରିବା ସହିତ ସଂଶୋଧନ ପ୍ରକ୍ରିୟା ସମୟରେ ମତଦାତା, ବିଏଲଓ ଓ କ୍ଷେତ୍ରସ୍ତରର କର୍ମଚାରୀଙ୍କୁ ସହଯୋଗ ପାଇଁ ଡିଇଓ/ଏଇଆରଓ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି । ପ୍ରଶିକ୍ଷଣ ମାଧ୍ୟମରେ ଅଧିକାରୀମାନେ ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ପ୍ରଶାସନିକ ଦିଗରେ ପ୍ରସ୍ତୁତ ରହିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଲନଙ୍କ ସମେତ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଗୋପୀନାଥ କୁଅଁର, ଡେପୁଟି ସିଇଓ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

0 Comments