କଟକ: ପ୍ରଚଳିତ ଆଇନ ଅନୁସାରେ ଓଡ଼ିଶା‌ରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନ, ୧୯୬୦ର ଧାରା ୩ ଅନୁସାରେ ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ସରକାରଙ୍କ ତରଫରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟ

ସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗୌ ଜ୍ଞାନ ଫାଉଣ୍ଡେସନ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଏଜିଏ ଦେବାଶିଷ ତ୍ରିପାଠୀ ଦର୍ଶାଇଥିଲେ ଯେ ଏହି ପ୍ରସଂଗରେ ଆଇନ ବିଭାଗର ନିକଟରୁ ମତାମତ ଲୋଡ଼ା ଯାଇଥିଲା।

ଅନ୍ୟପକ୍ଷରେ ୧୯୬୦ର ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନର ଧାରା ୩ ଅନୁସାରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ହୋଇଥିବା ବେଳେ ଏହି ଆଇନ ଅନୁସାରେ ପ୍ରାଧିକୃତ କର୍ତ୍ତୃପକ୍ଷ (କମ୍ପିଟେଣ୍ଟ ଅଥରିଟି)ଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇ ନଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଗୋ ହତ୍ୟା ନିରୋଧ ଆଇନ ସଂପୂର୍ଣ୍ଣ କାର୍ଯ୍ୟକାରୀ ପାଇଁ ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ନିଯୁକ୍ତି ନିହାତି ଆବଶ୍ୟକ ବୋଲି ଶୁଣାଣି ବେଳେ ମତ ପ୍ରକାଶ ପାଇଥିଲା। ହାଇକୋର୍ଟ ଏହି ପ୍ରସଂଗକୁ ଗୁରୁତ୍ବର ସହିତ ଗ୍ରହଣ କରି ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନର ଧାରା ୨ ଅନୁସାରେ ପ୍ରାଧିକୃତ କର୍ତ୍ତୃ୍ପକ୍ଷଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ସେପ୍ଟେମ୍ବର ୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। 

0 Comments