କଟକ: କଟକ ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣାରେ ବଢୁଛି ମୃତ୍ୟୁ ସଂଖ୍ୟା । ଗତାକାଲି ଅଗ୍ନିକାଣ଼୍ଡରେ 10 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପରବର୍ତ୍ତୀ ସମୟରେ ଆଉ 3 ଜଣଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଦାବି କରାଯାଇଛି । ମୃତକଙ୍କୁ ହରାଇବା ପରେ ଆତ୍ମୀୟ ପ
ରିଜନଙ୍କ କାନ୍ଦରେ ଡାକ୍ତରଖାନା ପରିସର ଶୋକାକୁଳ ହୋଇ ପଡିଛି । ମୃତକ ମାନେ ହେଲେ ଭଦ୍ରକର ୧୧ ବର୍ଷୀୟ ଝିଅ କଲ୍ୟାଣୀ ମଲ୍ଲିକ, କୋରାପୁଟ ଅଞ୍ଚଳର ୨୦ ବର୍ଷୀୟ ପବିତ୍ର ଦୀଶାରୀ ଓ ଅନୁଗୁଳ ଅଞ୍ଚଳର ୩୦ ବର୍ଷୀୟ ଯୁବକ ସୁମନ କୁମାର ସାହୁ। ମୃତଦେହ ଗୁଡ଼ିକୁ ପୋଷ୍ଟମର୍ଟମ କରାଯାଉଥିବା ବେଳେ ପରିବାର ତରଫରୁ ସୂଚନା ଦିଆଯାଇଛି। ତେବେ ମେଡିକାଲ ତରଫରୁ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରାଯାଇନାହିଁ।
ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ (NHRC) ଗଭୀର ଉଦବେଗ ପ୍ରକାଶ କରିବା ସହ ଘଟଣା ସମ୍ପର୍କିତ ସବିଶେଷ ଆକ୍ସନ ଟେକନ ରିପୋର୍ଟ ୧୫ ଦିନ ମଧ୍ୟରେ ଦାଖଲ କରିବାକୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ (HRF) ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନାଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି କମିଶନର ସଦସ୍ୟ ନ୍ୟାୟମୂର୍ତ୍ତି ବି.ଆର. ଷଡ଼ଙ୍ଗୀ ଏହି ଆଦେଶ ଜାରି କରିଛନ୍ତି । କେସ୍ ନଂ ୨୨୭/୧୮/୩/୨୦୨୬ ଉପରେ ତୁରନ୍ତ ପଦକ୍ଷେପ ନେବାକୁ ମଧ୍ୟ ଏଥିରେ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପକ୍ଷେ ହ୍ୟୁମାନ ରାଇଟ୍ସ ଫଣ୍ଡ ଅଫ ଇଣ୍ଡିଆ ଅଧ୍ୟକ୍ଷ ମନୋଜ ଜେନା ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଏହି ଘଟଣା ପାଇଁ ମେଡିକାଲ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି । ଜେନା କହିଛନ୍ତି, 'ରୋଗୀମାନଙ୍କ ସୁରକ୍ଷାକୁ ଆଦୌ ନଜର ଦିଆଯାଇ ନଥିଲା, ଯେଉଁଥିପାଇଁ ଏହି ଅଘଟଣ ଘଟିଛି । କେବଳ ଏସସିବି ନୁହେଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲରେ ଅଗ୍ନିକାଣ୍ଡ ଯୋଗୁ ଅନେକ ରୋଗୀଙ୍କ ମୃତ୍ୟ ଘଟୁଛି। ଏହି ଘଟଣାକୁ ନେଇ ଜାତୀୟ ମାନବଧିକାର କମିଶନରେ ମାମଲା କରାଯାଇଛି । କମିସନ ଏହି ମାମଲାର ଶୁଣାଣି କରି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ୧୫ ଦିନ ଭିତରେ ଏ ସଂକ୍ରାନ୍ତରେ ସବିଶେଷ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି l'